ସନ୍ତୋଷ ହତ୍ୟାକାଣ୍ଡ ମାମଲା; ଦୁଇ ଅଭିଯୁକ୍ତ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅର୍ନ୍ତଗତ ଫାଟକ ଅଞ୍ଚଳରେ ପୁର୍ବ ଶତ୍ରୁତାକୁ ନେଇ ସନ୍ତୋଷ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଶନିବାର ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନଙ୍କୁ ପୁଲିସ ଜୁଭେନାଇଲ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବା ପରେ ସେମାନଙ୍କୁ ସୁଧାର ଗୃହକୁ ପଠାଇଛି। ଏଥିସହ ଅଭିଯୁକ୍ତଙ୍କ ବୟାନ ରେର୍କଡ କରାଯାଇଛି। ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୁୃତୟନ କରାଯାଇଛି।
ସୂଚନା ମୁତାବକ, ଜଗନ୍ନାଥ କଲୋନୀ ନିବାସୀ ସଞ୍ଜୟ ପଟ୍ଟନାୟକଙ୍କ ଏକ ମାତ୍ର ପୁତ୍ର ସନ୍ତୋଷ ପଟ୍ଟନାୟକ(୧୯) ସବୁ ଦିନ ପରି ଗତ ୨୫ ତାରିଖରେ ଫାଟକ ଓଭରବ୍ରିଜ ତଳକୁ ସାଙ୍ଗମାନଙ୍କ ସହିତ ଖଟି କରିବାକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳକ ଦ୍ୱୟଙ୍କ ସହିତ ତାଙ୍କର ବଚସା ହୋଇଥିଲା। ମୃତ ଯୁବକ ସନ୍ତୋଷ ସେହି ଅଞ୍ଚଳରେ ଗଣ୍ଡୋଗଳ ଭିଆଉଥିବା ବେଳେ ଅନେକ ଦୋକାନୀଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଉଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ରବିବାର ଜୀବନରେ ମାରି ଦେବାକୁ ମୃତ ଯୁବକ ଧମକ ଦେଇଥିଲେ। ତେଣୁ ଯୋଜନାବଦ୍ଧ ଭାବରେ ଏହି ଦୁଇ ଭାଇ ପାଖରେ ରଖିଥିବା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଅଇଁଠାପାଲି ପୁଲିସ ଓ ସାଇଣ୍ଟିଫିକ୍‍ ଦଳ ଘଟଣାସ୍ଥଳରୁ ରକ୍ତ ନମୁନା ଓ ଦୁଇଟି ଛୁରୀ ଜବତ କରିଥିଲେ। ପାଖରେ ଥିବା ସିସିଟିଭିରୁ ଅଭିଯୁକ୍ତ ଦୁଇ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ସୋନପୁର ଜିଲା ଉଲୁଣ୍ଡା ଅଞ୍ଚଳରୁ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଏ ନେଇ ୩୦୧/୨୦୧୯ରେ ଏକ ମାମଲା ରୁଜୁ ହୋଇଛି।

kalyan agarbati

Comments are closed.