ଦମ୍ପତିଙ୍କ ଆତ୍ମହତ୍ୟା

0

ଖୋର୍ଦ୍ଧା : କମ୍ପାନୀ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯାତନା କ୍ରମାଗତ ଭାବେ ବୃଦ୍ଧି ପାଇଲା। ଏହାସହିତ ପୁଲିସ ନିର୍ଯାତନା ମଧ୍ୟ କମ୍‍ ନ ଥିଲା। ଏହାକୁ ନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ବାଙ୍କି ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର ସୌମ୍ୟକାନ୍ତ ପଟ୍ଟନାୟକ। ଗତ କିଛି ବର୍ଷ ଧରି ସେ ସ୍ଥାନୀୟ ଠେଙ୍ଗାହାଟ ଛକଠାରେ ଏକ ଭଡ଼ା ଘରେ ରହି ଆସୁଥିଲେ। ମାନସିକ ନିର୍ଯାତନା ସହି ନ ପାରି ସୌମ୍ୟକାନ୍ତ ରବିବାର ନିଜ ଧର୍ମପତ୍ନୀ ସୁଚିସ୍ମିତା ପଟ୍ଟନାୟକଙ୍କ ସହ ଆତ୍ମହତ୍ୟା କରିଛନ୍ତି। ଏକମାତ୍ର ଝିଅ ଅଙ୍କିତା ବେକରେ ଶାଢ଼ି ଲଗାଇ ତାକୁ ପଙ୍ଖାରେ ଟାଙ୍ଗିବା ପରେ ଉଭୟ ପରସ୍ପର ଦୁଇଟି ଅଲଗା କୋଠରିରେ ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିବାର ଦେଖାଯାଇଛି। ମାତ୍ର ବେକରେ ଲଗାଯାଇଥିବା ଶାଢ଼ିଟି ଖସିଯିବାରୁ ଝିଅ ଅଙ୍କିତା ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୌମ୍ୟକାନ୍ତ ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଥେରୁବାଲି କମ୍ପାନୀରେ କାର୍ଯ୍ୟରତ ଥିଲେ। କୌଣସିି କାରଣ ନ ଥାଇ କମ୍ପାନୀ କର୍ତ୍ତୃପକ୍ଷ ୪ ବର୍ଷ ତଳେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ସମ୍ପର୍କରେ ସେ ଶ୍ରମ ଅଦାଲତରେ ଅଭିଯୋଗ କରିଥିଲେ। ଅଦାଲତର ରାୟ ସୌମ୍ୟକାନ୍ତ ସପକ୍ଷରେ ଯାଇଥିଲା। ଏ ସମ୍ପର୍କରେ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଥିଲେ; ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଶ୍ରମ ଅଦାଲତର ରାୟକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପୁଲିସ ସହାୟତରେ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା। ପ୍ରତି ସପ୍ତାହରେ ଶିଳ୍ପାଞ୍ଚଳ ଫାଣ୍ଡି ପକ୍ଷରୁ ତାଙ୍କୁ ଥାନାକୁ ଡକାଇ ସମାଧାନ ପାଇଁ ଚାପ ପ୍ରୟୋଗ କରୁଥିଲା ବୋଲି ସୌମ୍ୟଙ୍କ ଦାଦା ରବିନାରାୟଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଦରମା ନ ମିଳିଥିବାରୁ ପରିବାର ଚଳାଇବା ସହ ଘରଭଡ଼ା ଦେବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିଲା। ଫଳରେ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ। ରବିବାର ପୁଲିସ ତାଙ୍କୁ ପୁନର୍ବାର ଡକାଇ ସମାଧାନ ପାଇଁ ଚାପ ପକାଇଥିଲା ବୋଲି ତାଙ୍କର କେତେକ ବନ୍ଧୁ କହିଛନ୍ତି। ବର୍ତ୍ତିଯାଇଥିବା ଝିଅଠାରୁ ସୂଚନା ପାଇ କଟକରୁ ତାଙ୍କ ଭାଇ ବିଶ୍ୱଜିତ୍‍ ପଟ୍ଟନାୟକ ଏଠାରେ ପହଞ୍ଚିିଥିଲେ। ଟାଉନ ଥାନା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

kalyan agarbati
Leave A Reply