ସହବାସୀ ବାନ୍ଧବୀଙ୍କୁ ବୀଭତ୍ସ ହତ୍ୟା
ମୁମ୍ବଇରେ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି
ତିନି ଦିନ ପରେ ସାମ୍ନାକୁ ଆସିଲା ଘଟଣା, ଶରୀରକୁ ଖଣ୍ଡଖଣ୍ଡ କାଟି ସିଝାଇଥିଲା ଅଭିଯୁକ୍ତ
ମୁମ୍ବଇ : ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର-ଅଫତାବ ପୁନାୱାଲା ହତ୍ୟା ଘଟଣାର ପୁନରାବୃତ୍ତି ଘଟିଛି ମୁମ୍ବଇର ମୀରା ରୋଡ୍ ଅଞ୍ଚଳରେ। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଗୀତାନଗର ଫେଜ୍-୭ ଅନ୍ତର୍ଗତ ଗୀତା ଆକାଶ ଦ୍ବୀପ ଆପାର୍ଟମେଣ୍ଟର ୭୦୪ ନମ୍ବର ଫ୍ଲାଟରୁ ଖସି ପଳାଉଥିବାବେଳେ ମନୋଜ ସାଣେ ଓରଫ ମନୋଜ ସାଇନି(୫୬)କୁ ପୁଲିସ ଗିରଫ କରିବା ପରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ମନୋଜ ପ୍ରାୟ ତିନି ବର୍ଷ ଧରି ବିବାହ ନ କରି ସହବାସୀ ବାନ୍ଧବୀ (ଲିଭ୍-ଇନ୍)ରେ ରହୁଥିବା ଅନାଥ ମହିଳା ସରସ୍ବତୀ ବୈଦ୍ୟ(୩୬)ଙ୍କୁ ହତ୍ୟା କରିଛି। କେବଳ ହତ୍ୟା ନୁହେଁ, ସରସ୍ବତୀଙ୍କ ଶରୀରକୁ ସେ ଖଣ୍ଡଖଣ୍ଡ କରି କାଟି, ଏହାକୁ ପ୍ରେସର କୁକରରେ ସିଝାଇ ଓ ମିକ୍ସଚର୍ ଗ୍ରାଇଣ୍ଡରରେ ବାଟି ଘରେ ସାଇତି ରଖିବା ସହ ଗତ ତିନିଦିନ ଧରି ନିୟମିତ ଭାବେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲା। ଯାଞ୍ଚବେଳେ ପୁଲିସ ରୋଷେଇ ଘରୁ ତିନି ବାଲ୍ତି ରକ୍ତ ସହ ସରସ୍ବତୀଙ୍କ ଶରୀରର ମାତ୍ର ୧୩ ଖଣ୍ଡ କଟା ଅଂଶ ଜବତ କରିଛି। ସେଥିମଧ୍ୟରେ ରହିଛି ତାଙ୍କର ଗୋଟିଏ ଗୋଡ଼। ଏହି ଲୋମଟାଙ୍କୁରା ଘୃଣ୍ୟ ଅପରାଧ ମୁମ୍ବଇ ସମେତ ସାରା ଦେଶକୁ ପୁନର୍ବାର ସ୍ତମ୍ଭୀଭୂତ କରିଦେଇଛି।
ନାୟାନଗର ପୁଲିସ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକ ୭୦୪ ନମ୍ବର ଫ୍ଲାଟ୍ରୁ ଦୁର୍ଗନ୍ଧ ଆସୁଥିବା ଖବର ଦେଇଥିଲେ। ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲେ। ମନୋଜ ପୁଲିସକୁ ଦେଖି ପଳାଇବା ଉଦ୍ୟମ କଲାବେଳେ ଧରା ପଡ଼ିଥିଲା। ଘର ଭିତରକୁ ପ୍ରବେଶ କରି ପୁଲିସ ପ୍ରଥମେ ମହିଳାଙ୍କ ଗୋଡ଼ ଦେଖିବାକୁ ପାଇଥିଲା। ପରେ ଯାଞ୍ଚବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଘରୁ ବହୁ ସଂଖ୍ୟକ ଏୟାର ଫ୍ରେସନର୍ ଓ ଗଛ କଟା ଯନ୍ତ୍ର ସହ ଏଣେ ତେଣେ ପଡ଼ିଥିବା କଳା ଜରି ବ୍ୟାଗ୍, ଶୋଇବା ଘରୁ ମହିଳାଙ୍କ ମୁଣ୍ଡ ଚୁଟି ଏବଂ ରୋଷେଇ ଓ ଗାଧୁଆ ଘରୁ ରକ୍ତ, ମାଂସ ଆଦି ଜବତ କରିଥିଲା। କିଛି ଅଂଶ ନର୍ଦମାରେ ଭସାଇ ଦେଇଥିବା ପୁଲିସ ଦେଖିଥିଲା। ପଡ଼ୋଶୀଙ୍କ ସୂଚନାନୁଯାୟୀ, କେବେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉ ନଥିବା ମନୋଜ ଗତ ତିନି ଦିନ ହେଲା ଖାଇବାକୁ ଦେଉଥିଲା। ତିନି ବର୍ଷ ହେଲା ଏଠାରେ ସେମାନେ ରହୁଥିଲେ ମଧ୍ୟ କାହା ସହ ମିଳାମିଶା କରୁ ନଥିଲେ। ଏମିତିକି ଘର ସାମ୍ନାରେ ନାମଫଳକ ମଧ୍ୟ ଲଗାଇ ନଥିଲେ। ପୁଲିସ ସୂଚନାନୁଯାୟୀ, ହତ୍ୟାକାଣ୍ଡ ୪ତାରିଖ, ରବିବାରଠାରୁ ଘଟିଲାଣି। ସାମାନ୍ୟ ଝଗଡ଼ାକୁ ନେଇ ସରସ୍ବତୀ ଆତ୍ମହତ୍ୟା କରିଥିବା ମନୋଜ କହୁଥିଲେ ମଧ୍ୟ ସେ ତାଙ୍କୁ ତଣ୍ଟିଚିପି ମାରିଥିବା ଓ ପରେ କରତରେ ଶରୀରକୁ ଖଣ୍ଡଖଣ୍ଡ କରି କାଟିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଜବତ ଦେହାବେଶଷକୁ ପରୀକ୍ଷା ପାଇଁ ପଠାଇବା ସହ ଫରେନସିକ୍ ଯାଞ୍ଚ ଚଳାଇଛି।
ମନୋଜର ମୁମ୍ବଇ ନିକଟ ବୋରିଭାଲି ଅଞ୍ଚଳର ଏକ ଅନାଥାଶ୍ରମରେ ରହୁଥିବା ସରସ୍ବତୀଙ୍କ ସହ ରେସନ୍ ଦୋକାନରେ ୧୦ବର୍ଷ ପୂର୍ବେ ସାକ୍ଷାତ୍ ହୋଇଥିଲା। ସେତେବେଳେ ମନୋଜ ବୋରିଭାଲିଠାରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ମନୋଜ ନିଜେ ମୀରା ରୋଡ ଅଞ୍ଚଳରେ ଏକ ରେସନ ଦୋକାନ ଖୋଲିଥିଲା ଓ ସେମାନେ ସେଠାକୁ ଆସି ଏକତ୍ର ବାସ କରୁଥିଲେ। ତିନି ବର୍ଷ ରହିବା ମଧ୍ୟରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଅନେକ ସମୟରେ ଘରୋଇ ହିଂସା ମଧ୍ୟ ଘଟୁଥିଲା। ମେ ୨୯ରୁ ମନୋଜର ଦୋକାନ ବନ୍ଦ ଥିଲା। ସେବେଠାରୁ ମନୋଜ ସରସ୍ବତୀଙ୍କୁ ହତ୍ୟା ଯୋଜନା ଚଳାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ଲିଭ୍-ଇନ୍ ବନ୍ଧୁ ଅଫତାବ ପୁନାୱାଲା ହତ୍ୟା କରିବା ପରେ ଶରୀରକୁ ପ୍ରାୟ ୩୫ଖଣ୍ଡ କରି କାଟିଥିଲା ଓ ଏହାକୁ ଫ୍ରିଜରରେ ରଖି ପ୍ରତ୍ୟହ ଜଙ୍ଗଲରେ ପକାଉଥିଲା। ସମାନ ଶୈଳୀ ଅବଲମ୍ବନ କରିଥିବା ମନୋଜ ଅାଉ ପାଦେ ଆଗେଇଯାଇ ଗନ୍ଧ ହଟାଇବା ପାଇଁ ଶରୀରକୁ ସିଝାଇଥିବା ଲକ୍ଷ୍ୟ କରାଯାଇଛି। ଏଭଳି ଭୟାନକ ହତ୍ୟା ଘଟଣା କ୍ରମଶଃ ବୃଦ୍ଧି ପାଉଥିବା ନେଇ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ବିସ୍ମୟ ପ୍ରକାଶ କରିବା ସହ ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ସେହିପରି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ ନିକଟ ଅତୀତର କିଛି ଦୃଷ୍ଟାନ୍ତ ରଖି ମହିଳାଙ୍କ ବିରୋଧରେ ଅମାନବୀୟ ହିଂସା ବଢ଼ୁଥିବା ଏବଂ ଅପରାଧୀମାନେ ଆଇନକୁ ଭୟ କରୁନଥିବା ଚିନ୍ତାର ବିଷୟ ବୋଲି କହିଛନ୍ତି।
Comments are closed.