ଦୁଃସ୍ଥିତିର ମୁକାବିଲା
ବ୍ରାହ୍ମଣ ଅତି ଗରିବ ଥିଲେ। ଭିକ୍ଷାନ୍ନ ସଂଗ୍ରହରେ ପରିବାର ପ୍ରତିପୋଷଣ କରୁଥିଲେ। ଯେଉଁଦିନ ଭିକ୍ଷାନ୍ନ ମିଳେ ସେଥିରେ ସପରିବାର ଖାଇଥାନ୍ତି। କେଉଁଦିନ ଅର୍ଦ୍ଧାହାର ତ କେଉଁଦିନ ଅନାହାରରେ ରହିବାକୁ ପଡ଼ିଥାଏ। ନିଜର ଦୁରବସ୍ଥା ନେଇ ବ୍ରାହ୍ମଣ ଅତି ଚିନ୍ତିତ ଥିଲେ। ଏଭଳି ପ୍ରତିକୂଳ ପରିସ୍ଥିତିରେ କେତେଦିନ ବା ନିଜ ଗୁଜୁରାଣ ମେଣ୍ଟାଇବେ? ପୁରୁଷ ବ୍ୟକ୍ତିର ଧନ ହିଁ ଶ୍ରେଷ୍ଠ ବଳ। ଧନହୀନ ପୁରୁଷକୁ ମିତ୍ର, ସେବକ, ଏପରିକି ସ୍ଥଳବିଶେଷରେ ପତ୍ନୀ ଓ ପରିବାର ସଦସ୍ୟ ମଧ୍ୟ ତ୍ୟାଗ କରିଥାନ୍ତି। ଧନ ଫେରିଆସିଲେ ସେମାନେ ଜଣଜଣ କରି ଫେରିଥାନ୍ତି। ମୁଖ୍ୟତଃ ଧନଥିବା ଲୋକର ସମସ୍ତେ ମିତ୍ର ହୋଇଥାନ୍ତି। ଧନବାନ ଲୋକ ସଂସାରରେ ବଳବାନ ବୋଲି ପରିଚିତି ଲାଭ କରିଥାନ୍ତି ଓ ବଞ୍ଚିବାର ଆନନ୍ଦ ଉପଲବ୍ଧି କରିଥାନ୍ତି। ଧନ ଜଗତରେ ସବୁକିଛି। ନିଜର ନିର୍ଦ୍ଧନ ଅବସ୍ଥାକୁ ନେଇ ଏହିଭଳି ଅନେକ ଚିନ୍ତା ମନକୁ ଆସୁଥିଲା। ଅହରହ ଧନହୀନର ଦୁଃଖଯନ୍ତ୍ରଣା ନେଇ ବଞ୍ଚିରହିବା ଅପେକ୍ଷା ସପରିବାରେ ଗୃହତ୍ୟାଗ କରିବାକୁ ସିଦ୍ଧାନ୍ତ ନେଲେ। ସ୍ଥାନ ପରିବର୍ତ୍ତନରେ ଦୁଃସ୍ଥିତି ଦୂର ହୋଇଯିବ ବୋଲି ଧାରଣା ମନରେ ଦୃଢ଼ୀଭୂତ ହୋଇଥିଲା।
ଅମାବାସ୍ୟାର ଘୋର ଅନ୍ଧକାରମୟ ରାତ୍ରି ଥିଲା। ପରିବାରର ସଦସ୍ୟମାନଙ୍କ ସହିତ ଗୃହତ୍ୟାଗ କରି ବେଶ୍ କିଛିଦୂର ଯିବାପରେ ହଠାତ ମନେ ପଡ଼ିଗଲା ଘରେ ଦୀପଟିଏ ଜଳୁଥିବା ଅବସ୍ଥାରେ ନ ଲିଭାଇ ଚାଲିଆସିଛନ୍ତି। ବ୍ରାହ୍ମଣ ଗରିବ ହେଲେ ମଧ୍ୟ ସହୃଦୟ ଓ ପରୋପକାରୀ ଥିଲେ। ମନକୁ ଆସିଲା ଦୁେର୍ଯାଗବଶତଃ ଯଦି ଜଳନ୍ତା ଦୀପରୁ ନିଆଁଲାଗି ତାଙ୍କ ଘର ପୋଡ଼ିଯାଏ ପାଖପଡ଼ୋଶୀ ମଧ୍ୟ କ୍ଷତିଗ୍ରସ୍ତ ହେବେ। ତାଙ୍କ ଭୁଲ ପାଇଁ ପଡ଼ୋଶୀମାନେ କାହିଁକି ଅବା କ୍ଷତିଗ୍ରସ୍ତ ହେବେ? ଏହା ବିଚାର କରି ପୁଅକୁ ପଠାଇଥିଲେ ଦୀପଟି ଲିଭାଇ ଦେଇ ଆସିବା ନିମିତ୍ତ।
ବ୍ରାହ୍ମଣଙ୍କ ପୁଅ ଘର ଖୋଲି ଭିତରେ ପ୍ରବେଶ କରିଥିଲେ। ଦୀପ ଲିଭାଇବାକୁ ଯାଇ ଯାହା ଦେଖିଲେ ସେଥିରେ ସେ ଖୁବ୍ ଭୟଭୀତ ହୋଇପଡ଼ିଲେ, ତାଙ୍କର ରକ୍ତ ବରଫ ହୋଇଗଲା। ଦୀପ ନିକଟରେ ଭୟଙ୍କର ଦେଖାଯାଉଥିବା ସାକ୍ଷାତ ଦୈତ୍ୟ ସଦୃଶ ମଣିଷଟିଏ ବସି ସେହି ଦୀପରୁ ତେଲ ଆଣି ନିଜ ପାଦରେ ଥିବା ଫଟା ସ୍ଥାନରେ ଘଷୁଥାଏ।
ବ୍ରାହ୍ମଣପୁତ୍ର ଭୟାତୁର କଣ୍ଠରେ କହିଲେ- ତୁମେ କିଏ? ସେଠି କ’ଣ କରୁଛ? ବ୍ୟକ୍ତିଟି ବସିବା ସ୍ଥାନରୁ ଉଠିପଡ଼ି ଖୁବ୍ ଜୋରରେ ହସିବାକୁ ଲାଗିଲା। କିଛିକ୍ଷଣ ପରେ ବ୍ୟକ୍ତିଟି କହିଲା- ‘ମୁଁ ତୁମ ଘରର ଦୁଃସ୍ଥିତି। ତୋର ବାପା ମୋ ଭୟରେ ଘର ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। ମୁଁ ବର୍ତ୍ତମାନ ମୋର ଫଟାପାଦର ପ୍ରାସ ସ୍ଥାନରେ ତେଲ ଘଷୁଛି, ଆରାମ ଲାଗିଲେ ତାଙ୍କ ପଛେପଛେ ଯିବାପାଇଁ। ସେ ଯୁଆଡ଼େ ଯିବେ ମୁଁ ତାଙ୍କ ପଛେପଛେ ଯିବି। ଦେଖିବି ସେ କେଉଁଠି ରହିବେ? ମୁଁ ତାଙ୍କ ପିଛା ଛାଡ଼ିବି ନାହିଁ କେବେ।’
ବ୍ରାହ୍ମଣପୁତ୍ର ଫେରିଆସି ପିତାଙ୍କୁ ସମସ୍ତ ବୃତ୍ତାନ୍ତ କହିଥିଲେ। ବ୍ରାହ୍ମଣ କିଛିକ୍ଷଣ ଚିନ୍ତାକରି କହିଥିଲେ- ଯଦି ଦୁଃସ୍ଥିତି, ଦୁେର୍ଯାଗ ସହ ଚାଲିବାକୁ ହେବ, ତେବେ ଘରଛାଡ଼ି କି ଲାଭ? ବରଂ ସେହିଠାରେ ରହି ଏହାର ମୁକାବିଲା କରିବା ଠିକ୍ ହେବ। ଚାଲ, ଏବେ ସମସ୍ତେ ଫେରିଯିବା। ଏହା ସତ୍ୟ ଯେ ଭୀରୁପରି ପଳାୟନପନ୍ଥୀ ହେଲେ ଦୁଃସ୍ଥିତି ଦୂରେହାଇ ନଥାଏ, ବରଂ ଏହା ଛାଇ ପରି ଅନୁସରଣ କରି ଆହୁରି ଜଟିଳ ହୋଇଥାଏ। ସାହସର ସହ ଏହାର ମୁକାବିଲା ହିଁ ପୌରୁଷତ୍ବର ପରିଚାୟକ।