ପରିବାରର ଭବିଷ୍ୟତ
ଗଙ୍ଗାଧର ସାହୁ
ପରିବାର କହିଲେ ଏକ ସାମାଜିକ ଅନୁଷ୍ଠାନ ବା ବ୍ୟବସ୍ଥାକୁ ବୁଝାଏ ଯାହା କେବଳ ମନୁଷ୍ୟ ସମାଜରେ ଦେଖାଯାଏ। ପଶୁପକ୍ଷୀ ଜଗତରେ ସନ୍ତାନ ପ୍ରସବ ଓ ଲାଳନପାଳନ ଥିଲେ ବି ପାରିବାରିକ ବ୍ୟବସ୍ଥା ନ ଥାଏ। ସମାଜରେ ବିବାହ, ସମ୍ପର୍କ, ପରିବାର, ଜ୍ଞାତି କୁଟୁମ୍ବ ନିମନ୍ତେ ମଣିଷ କିଛି ଲିଖିତ ଓ କିଛି ଅଲିଖିତ ନିୟମ ବାହାର କରିଛି ।
ପୃଥିବୀର ବିଭିନ୍ନ ପ୍ରାନ୍ତରେ ପରିବାରର ସଂଜ୍ଞା ପୃଥକ ହେବା ସହିତ ଧୀରେଧୀରେ ବଦଳିବାକୁ ଲାଗିଛି। ଏହି ପରିବର୍ତ୍ତନ ବା ବିବର୍ତ୍ତନ ଏକବିଂଶ ଶତାଦ୍ଦୀରେ ଶିଳ୍ପ ବିପ୍ଳବ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜଗତୀକରଣ ପ୍ରଭାବରେ ଏତେ କ୍ଷୀପ୍ର ଓ ବହୁମୁଖୀ ହୋଇଛି ଯେ ବିବାହ ଓ ପରିବାରର ସଂଜ୍ଞା କଣ ହେବ ତା’ର ଭବିଷ୍ୟତ ବାଣୀ କିଛି ସମାଜବିଜ୍ଞାନୀଙ୍କୁ ଚକିତ କରି ଦେଇଛି। ପରିବର୍ତ୍ତନର ଯେଉଁ ସୁନାମୀ ଦେଖାଦେଇଛି ଏହି ସୁନାମୀରେ ପରିବାର କିଭଳି ପ୍ରଭାବିତ ହେବ ସେ ସମ୍ପର୍କରେ ଆଲ୍ଭିନ୍ ଟଫଲର ନାମକ ଜଣେ ସମାଜ ବିଜ୍ଞାନୀ ଓ ଲେଖକ “ଫ୍ୟୁଚର ଶକ୍” ନାମକ ପୁସ୍ତକରେ ଚମତ୍କାର ବର୍ଣ୍ଣନା କରିଛନ୍ତି।
୧୯୭୮ ମସିହାରେ ପୃଥିବୀର ପ୍ରଥମ ଟେଷ୍ଟଟ୍ୟୁବ୍ ସନ୍ତାନ (କନ୍ୟା) ଲୁଇ ଜୟ ବ୍ରାଉନ୍ ଲଣ୍ଡନରେ ଜନ୍ମ ଗ୍ରହଣ କଲା। ଏହି ବୈଜ୍ଞାନିକ ପଦ୍ଧତିରେ ପ୍ରଜନନ ଜ୍ଞାନ ସୂଚାଇ ଦେଲା ଯେ ପୁରୁଷ ନାରୀ ସଙ୍ଗମ ବିନା ଗର୍ଭାଣୁ ଓ ଶୁକ୍ରାଣୁକୁ ବାହାରେ ସଙ୍ଗମ କରାଇ, ଗବେଷଣାଗାରରେ ଟେଷ୍ଟଟ୍ୟୁବ୍ ମଧ୍ୟରେ ଭ୍ରୂଣ ଜନ୍ମାଇ, ମା’ର ଗର୍ଭାଶୟରେ ପ୍ରତିରୋପଣ କରି ସନ୍ତାନପ୍ରାପ୍ତି ସମ୍ଭବ। ଏହା ମଧ୍ୟରେ ବିଜ୍ଞାନ ଅନେକ ଅଗ୍ରଗତି କଲାଣି। ସେ ସମୟ ଆଉ ବେଶୀ ଦିନ ନୁହେଁ ଯେତେବେଳେ ଏକାଧିକ ମା’ର ଡିମ୍ବାଣୁ ଓ ଏକାଧିକ ପିତା’ର ଶୁକ୍ରାଣୁକୁ ସଙ୍ଗମ କରାଇ ଭ୍ରୂଣ ସୃଷ୍ଟି କରାଯାଇପାରିବ। ଏ ପରିସ୍ଥିତିରେ ସନ୍ତାନର ବାପା ମା’ର ପରିଚୟ କଣ ହେବ? ଏଭଳି ସମୟ ଉପନୀତ ହେଲାଣି ଯେତେବେଳେ ଜଣେ ଚାହିଁଲେ ମଲ୍ରୁ ତେଜରାତି ଜିନିଷ କିଣିଲା ଭଳି ବେବିଟୋରିୟମ୍କୁ ଯାଇ କୌଣସି ବୈଜ୍ଞାନିକ/ସାହିତ୍ୟିକ/ଦାର୍ଶନିକ/କ୍ରୀଡାବିତ୍/ ସୈନିକ/କଳାକାର/ରାଷ୍ଟ୍ରନେତାର ଶୁକ୍ରାଣୁ ବା ଡିମ୍ବାଣୁ କିଣିପାରିବ ଓ ପ୍ରଜନନ କେନ୍ଦ୍ରକୁ ଯାଇ ଅର୍ଡର ଦେଇପାରିବ ଯେ ମୋର ପିଲାର ଆଇକ୍ୟୁ ଏତିକି ହେବା ଦରକାର, ମୋ ପିଲାର ରଙ୍ଗ ଏମିତି ହେବା ଦରକାର, ମୋ ପିଲାର ଉଚ୍ଚତା ଏମିତି ହେବା ଦରକାର, ମୋ ପିଲାର ଆଖି ଏମିତି ହେବା ଦରକାର ଓ କେଶ ବିଭିନ୍ନ ରଙ୍ଗର ହେବା ଦରକାର। ଏଭଳି ପରିସ୍ଥିତିରେ ଏଭଳି ଜନ୍ମିତ ପିଲାର ପ୍ରକୃତ ପିତାମାତା କିଏ ଜାଣିବା କଷ୍ଟକର ହେବା ସହିତ ସମାଜରେ ବିଭିନ୍ନ କମ୍ପାନୀ ଡିମ୍ବାଣୁ/ଶୁକ୍ରାଣୁ ବ୍ୟବସାୟ ଆରମ୍ଭ କରିବେ ଓ ପିଲାକୁ ଅମୁକ କମ୍ପାନୀର ବୋଲି ସମ୍ବୋଧନ କରିବାକୁ ପଡିବ। ଏ ପ୍ରକାର ପରିସ୍ଥିତିକୁ କିଏ ହୁଏତ କାହାଣୀ କହିପାରେ, କିନ୍ତୁ ଏହା ଯେ ବିଜ୍ଞାନର ସମ୍ଭାବନା ଏବଂ ଆସନ୍ତା କାଲିର ବାସ୍ତବତା ଯାହାର ଉତ୍ତର ଭବିଷ୍ୟତ ନେଇକି ଆସୁଛି। ଏଠାରେ ଯାହା ଉଲ୍ଲେଖ କରାଗଲା ଯଦି ଏହା ବାସ୍ତବତା ହୁଏ ତେବେ ସବୁଠାରୁ ବେଶୀ ଆଘାତ ପାଇବ ନାରୀଜାତିର ମାତୃତ୍ୱ (ଯାହା ପାଇଁ ସେମାନେ ଗର୍ବ ଅନୁଭବ କରନ୍ତି) । ଦ୍ୱିତୀୟରେ ପ୍ରଚଳିତ ପରିବାର ସଂଜ୍ଞା ଓ ରୂପ ଏପରି ବଦଳିବ ଯେ ଶବ୍ଦକୋଷରେ ଥିବା ପରିବାର ସମ୍ପର୍କିତ ଶବ୍ଦ, ଯଥା- ବାପା, ମା’, ପୁଅ, ଝିଅ, ଦାଦା, ଦାଦି, କକା, ଖୁଡୀ ପ୍ରମୁଖ ଅଭାବ ପଡିବ।
ଆଉ ଗୋଟିଏ ପରିବର୍ତ୍ତନ ଧାରା ଦେଖିବାକୁ ମିଳେ ଯେ ଯୌଥ ପରିବାର ଧୀରେଧୀରେ ଲୋପ ପାଇବାକୁ ବସିଲାଣି। ଜଗତୀକରଣ, ଶିଳ୍ପ ବିପ୍ଳବ ଓ ସାମାଜିକ ପରିବର୍ତ୍ତନ ଫଳରେ ପରିବାର କହିଲେ ବର୍ତ୍ତମାନ ପିତା, ମାତା ଓ ପୁଅଟିଏ ବା ଝିଅଟିଏ। କିଛିଦିନ ପରେ ଛୋଟ ପିଲା, ଦାଦା ଦାଦି କକା ଖୁଡୀର ସଂଜ୍ଞା କହିପାରିବେ ନାହିଁ। ଏହା ଏହିଠାରେ ସୀମିତ ରହି ନାହିଁ। ବର୍ତ୍ତମାନ ଅନେକ ଦମ୍ପତି ୩୫ ବର୍ଷ ପରେ ବାହା ହେଉଛନ୍ତି, ୪୦/୪୫ ବର୍ଷ ପରେ ଛୁଆ ଜନ୍ମ କରିବା ଚିନ୍ତା କରୁଛନ୍ତି। ସମୟ ଆସୁଛି ସେମାନେ ନିଜର କ୍ୟାରିୟର ନିମନ୍ତେ ସନ୍ତାନ ଜନ୍ମ କରିବା ନିଷ୍ପତ୍ତି ଅବସର ପରେ ଚିନ୍ତା କରିବେ କିମ୍ବା ପୋଷ୍ୟ ସନ୍ତାନଟିଏ କରି ଖୁସି ହେବେ । ଲକ୍ଷ୍ୟ କରନ୍ତୁ, ବାଲ୍ୟ ବିବାହଠାରୁ ଅବସର ପର ବିବାହ ଡଜନ ଛୁଆଠାରୁ ଛୁଆଶୂନ୍ୟ ପରିବାର ପର୍ଯ୍ୟନ୍ତ, ପରିବର୍ତ୍ତନ କି ସୂଚନା ପ୍ରଦାନ କରୁଛି? ଫ୍ରାନ୍ସ, ରୁଷିଆ, ସ୍ପେନ, ଜାପାନ ଭଳି ରାଷ୍ଟ୍ରରେ ବର୍ତ୍ତମାନ ନାରୀମାନେ ବିବାହ ପରେ ଛୁଆଜନ୍ମ କରିବାକୁ ଅମଙ୍ଗ ହେବାରୁ ସରକାରଙ୍କ ତରଫରୁ ଛୁଆ ଜନ୍ମ ନିମନ୍ତେ ପୁରସ୍କାର ଘୋଷଣା କରାଗଲାଣି ।
ଆଗାମୀ ପିଢି ସମୟରେ ବୃତ୍ତିଗତ ଚାପ, ଛୁଆ ଲାଳନପାଳନ ବୋଝ, କ୍ୟାରିୟର ଚିନ୍ତା, ସମୟ ଅଭାବ, ସ୍ୱାମୀ ସ୍ତ୍ରୀଙ୍କର କର୍ମସଂସ୍ଥା ପୃଥକପୃଥକ ହେତୁ ଓ ବେବି ସିଟର ଖୋଜିବା ଯନ୍ତ୍ରଣାରୁ ରକ୍ଷା ପାଇବା ନିମନ୍ତେ ଭବିଷ୍ୟତରେ ଦୁଇପ୍ରକାରର ପିତାମାତା ମିଳିବେ। ଜନ୍ମ କଲା ପିତାମାତା ଓ ଲାଳନପାଳନ କଲା ପିତାମାତା।
ଆମେ ଯେଉଁ ପରିବାର ବିଷୟରେ ଆଲୋଚନା କରୁଛେ, ତାହା ବିବାହ ଯୋଗୁ ସମ୍ଭବ ହୁଏ। ତେବେ ବିବାହର ରୂପ କ’ଣ ହେବ? ଟିକିଏ ପଛକୁ ଚାହିଁ ଦେଖନ୍ତୁ ପୂର୍ବେ ବିବାହ ମାନେ କ’ଣ ଥିଲା ଏବେ କ’ଣ ଅଛି। ବାଲ୍ୟ ବିବାହ, ପିତାମାତାଙ୍କ ଦ୍ୱାରା କନ୍ୟା ବା ବର ଖୋଜା, କେତେ ରୀତିନୀତି ଆଉ ଅଛି? ନା। ଏବେ ଆସି ଆମେ ଶାଦୀ.କମ୍ (shadi.com) ବା ଇଣ୍ଟରନେଟ୍ ବିବାହରେ ପହଞ୍ଚି ଗଲେଣି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୁପ୍ରିମ କୋର୍ଟ ଦ୍ୱାରା ଆଇନ୍ସମ୍ମତ ବୋଲି ପରିଗଣିତ ଲିଭ-ଇନ୍ ସମ୍ପର୍କକୁ (ପାଶ୍ଚାତ୍ୟ ଜଗତରେ ଟ୍ରାଏଲ୍ ବିବାହ) ଅନେକ ଗ୍ରହଣ କଲେଣି। ତେଣୁ ଜଣେ ପ୍ରୋବେସନ୍ ପରେ ବିବାହ କରିପାରେ କିମ୍ବା ଆଉ ଜଣକ ସହିତ ପୁଣି ଡେଟିଙ୍ଗରେ ଯାଇପାରେ। ଏହି ପ୍ରୋବେସନ୍ର ମାତ୍ରା ଯେତେ ବଢିବ ଦୁଇଟି ହୃଦୟ ଭିତରେ ପ୍ରେମ, ଆଦର, ସ୍ନେହ ଆଲିଙ୍ଗନ ଓ ବୁଝାମଣା କେତେ କମ ତାହା ଜଣାପଡିଯିବ। ନିକଟରେ ଆମେରିକାର ଜଣେ (ଆଇ.ବି.ଏମ୍). ମହିଳା କର୍ମଚାରୀ ୪ର୍ଥ ବିବାହ ବିଚ୍ଛେଦ ପରେ ପଞ୍ଚମ ବିବାହ ପାଇଁ ମାଟ୍ରିମୋନି.କମ୍ ରେ ନିଜର ବାୟୋଡାଟା ଏବଂ ବୈବାହିକ ବିବରଣୀ ପୂରଣ କରିବା ସମୟରେ ଆପଣ ବିବାହିତ ନା ଅବିବାହିତ ପ୍ରଶ୍ନର ଉତ୍ତର କ’ଣ ଲେଖିବେ ଭାବିଭାବି ଫର୍ମ ପୂରଣ କଲେ ଯେ ସେ ପୁନଃ ଅବିବାହିତ (unremarried) ।
ଉପରୋକ୍ତ ଆଲୋଚନାରୁ ଜଣାପଡେ ଯେ ସମାଜର ଦୁଇଟି ଶକ୍ତ ଓ ବୃହତ ଅନୁଷ୍ଠାନ ବା ବ୍ୟବସ୍ଥା, ଯଥା- ବିବାହ ଓ ପରିବାର ପରିବର୍ତ୍ତନର ସୁନାମୀରେ ନିଜର ସଂଜ୍ଞା ହରାଇବାକୁ ବସିଲେଣି।
ଅତିରିକ୍ତ ଶାସନ ସଚିବ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
[email protected]