କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଦ୍ୟ ସମାପ୍ତ ଭାରତ ଗସ୍ତ ବିଶ୍ୱ ରାଜନୀତିକୁ ଏକ ବଡ଼ ବାର୍ତ୍ତା ଦେଇଛି। ୟୁକ୍ରେନ ଯୁଦ୍ଧକୁ ନେଇ ପଶ୍ଚିମ ଦେଶଗୁଡ଼ିକର କଟକଣା ସତ୍ତ୍ୱେ, ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ଥିବା ଦୀର୍ଘ ଦିନର ବନ୍ଧୁତା ଯେ ଅତୁଟ ରହିଛି, ତାହା ପୁଣି ଥରେ ପ୍ରମାଣିତ ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ ଏହି ରାଜନୈତିକ ଉଷ୍ମତା ଓ ଅର୍ଥନୈତିକ ବାସ୍ତବତା ମଧ୍ୟରେ ଏକ ବଡ଼ ଫରକ ରହିଛି, ଯାହାକୁ ଉପେକ୍ଷା କରିହେବ ନାହିଁ। ପୁଟିନଙ୍କ ଗସ୍ତର ଏକ ପ୍ରମୁଖ ଘୋଷଣା ହେଲା ୨୦୩୦ ମସିହା ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଏକ ନୂଆ ରଣନୀତି ଆପଣାଇଛି। ଏଥର କୌଣସି ବଡ଼ ଅସ୍ତ୍ର କିଣାବିକା ଚୁକ୍ତି ହୋଇନାହିଁ, ବରଂ ଗୁରୁତ୍ୱ ଦିଆଯାଇଛି ‘ମେକ୍ ଇନ୍ ଇଣ୍ଡିଆ’ ଉପରେ। ରୁଷିଆର ସହାୟତାରେ ଭାରତରେ ସୁଖୋଇ ଭଳି ଯୁଦ୍ଧ ବିମାନର ଯନ୍ତ୍ରାଂଶ ତିଆରି ଏବଂ ରକ୍ଷଣାବେକ୍ଷଣ କାରଖାନା ପ୍ରତିଷ୍ଠା ହେବ। ଏହା ସହିତ ନିଯୁକ୍ତି, ପର୍ଯ୍ୟଟନ ଓ ଚେନ୍ନଇ-ଭ୍ଲାଡିଭୋଷ୍ଟକ ସମୁଦ୍ର ପଥ ଭଳି ଯୋଗାଯୋଗ କ୍ଷେତ୍ରରେ ହୋଇଥିବା ବୁଝାମଣା ସାଧାରଣ ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିବ; କିନ୍ତୁ ଏହି ସଫଳତା ପଛରେ ଥିବା ଅର୍ଥନୈତିକ ଦୁର୍ବଳତାକୁ ବୁଝିବା ଜରୁରୀ। ଗତ ତିନି ବର୍ଷ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇ ୬୫-୭୦ ବିଲିୟନ ଡଲାରରେ ପହଞ୍ଚିଛି ସତ, କିନ୍ତୁ ଏହାର ମୂଳଦୁଆ ଦୁର୍ବଳ। ଏହି ବୃଦ୍ଧି କେବଳ ଗୋଟିଏ କାରଣରୁ ହୋଇଛି- ତାହା ହେଲା ରୁଷିଆର ଶସ୍ତା ଅଶୋଧିତ ତୈଳ। ଯଦି ଭବିଷ୍ୟତରେ ଆମେରିକା ଓ ୟୁରୋପର କଟକଣା ଅଧିକ କଡ଼ାକଡ଼ି ହୁଏ, ତେବେ ଏହି ତୈଳ-ଭିତ୍ତିକ ବାଣିଜ୍ୟ ଭୁଶୁଡ଼ି ପଡ଼ିପାରେ।
ଆମେ ରୁଷିଆଠାରୁ ବିପୁଳ ପରିମାଣର ତେଲ, ଗ୍ୟାସ ଓ ସାର କିଣୁଛୁ; କିନ୍ତୁ ବଦଳରେ ଆମେ ଖୁବ୍ କମ୍ ସାମଗ୍ରୀ (ଯଥା ଔଷଧ ଓ ଖାଦ୍ୟ) ବିକ୍ରି କରୁଛୁ। ଚୀନ୍ କ୍ଷେତ୍ରରେ ଚିତ୍ରଟି ଭିନ୍ନ । ଚୀନ୍ ଯନ୍ତ୍ରପାତି, ଗାଡ଼ି ଓ ବୈଷୟିକ ସାମଗ୍ରୀ ରପ୍ତାନି କରି ରୁଷିଆକୁ ନିଜ ଉପରେ ନିର୍ଭରଶୀଳ କରାଇପାରିଛି; କିନ୍ତୁ ଭାରତ କ୍ଷେତ୍ରରେ, ଆମେ ରୁଷିଆ ଉପରେ ନିର୍ଭରଶୀଳ; କିନ୍ତୁ ରୁଷିଆ ଆମ ବଜାର ଉପରେ ସେତେଟା ନିର୍ଭରଶୀଳ ନୁହେଁ। ଯଦି ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରର ବାଣିଜ୍ୟ କାରବାର ଲକ୍ଷ୍ୟକୁ ବାସ୍ତବ ରୂପ ଦେବାର ଅଛି, ତେବେ କେବଳ ‘ରାଜନୈତିକ ବନ୍ଧୁତା’ ଯଥେଷ୍ଟ ନୁହେଁ। ଭାରତକୁ ଏହାର ରପ୍ତାନି ବୃଦ୍ଧି କରିବାକୁ ପଡ଼ିବ। ଆଇଟି ସେବା, ମେସିନାରୀ, ଅଟୋମୋବାଇଲ୍ ପାର୍ଟସ୍ ଓ ମହାକାଶ ଗବେଷଣା ଭଳି କ୍ଷେତ୍ରରେ ଭାରତକୁ ଆଗେଇ ଆସିବାକୁ ହେବ। କେବଳ ତେଲ କିଣିବା ବଦଳରେ, ଭାରତୀୟ ସାମଗ୍ରୀ ପାଇଁ ରୁଷିଆରେ ଏକ ବଡ଼ ବଜାର ସୃଷ୍ଟି କରିବା ଆବଶ୍ୟକ |
ପୁଟିନଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତ ଶାନ୍ତିର ବାର୍ତ୍ତା ଦେବା ସହ ନିଜର ଆର୍ଥିକ ଓ ସାମରିକ ବିକାଶ ପାଇଁ ଏହି ବନ୍ଧୁତାକୁ କାଏମ ରଖିବାରେ ସଫଳ ହୋଇଛି। ରୁଷିଆ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଦାବିକୁ ସମର୍ଥନ କରିଛି; କିନ୍ତୁ ଏହି ସମ୍ପର୍କକୁ ସ୍ଥାୟୀ କରିବାକୁ ହେଲେ ବାଣିଜ୍ୟ କ୍ଷେତ୍ରରେ ବିବିଧତା ଆଣିବା ଏବଂ ଅର୍ଥନୈତିକ ଭାରସାମ୍ୟ ରକ୍ଷା କରିବା ଜରୁରୀ।



