ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲାଲ ଗୌଡ଼ଙ୍କର ବୁଧବାର ସକାଳେ ନର୍ମଦା ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ବାବୁଲାଲଙ୍କ ୨ଟି ଯାକ କିଡ୍ନୀ ଖରାପ ହୋଇଯାଇଥିଲା। ଗତ ୧୪ ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଭେଣ୍ଟିଲେଟରରେ ରଖି ତାଙ୍କର ଚିକିତ୍ସା କରାଯାଉଥିଲା। ମଙ୍ଗଳବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବା ସହିତ ରକ୍ତଚାପ ଏବଂ ପଲ୍ସ ରେଟ୍ କମ୍ ହୋଇଯାଇଥିଲା। ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।
ବୁଧବାର ଦିନ ସାଢ଼େ ୧୨ଟାରେ ତାଙ୍କ ମରଶରୀରକୁ ତାଙ୍କ ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ଶେଷ ଦର୍ଶନ କରିବେ। ଏହାପରେ ଅପରାହ୍ନ ୨ଟାରେ ଅନ୍ତିମ ସଂସ୍କାର କରାଯିବ। ବାବୁଲାଲଙ୍କ ମୃତ୍ୟୁ ପରେ ରାଜ୍ୟ ବିଜେପି ଅଧ୍ୟକ୍ଷ ରାକେଶ ସିଂହଙ୍କ ସମେତ ଦଳୀୟ ନେତାମାମେ ଗଭୀର ଶୋକପ୍ରକାଶ କରିଛନ୍ତି। ବାବୁଲାଲ ରାଜ୍ୟରେ ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବାବୁଲାଲ ୨୦୦୪ ଅଗଷ୍ଟ ୨୩ରୁ ୨୦୦୫ ନଭେମ୍ବର ୨୯ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଥିଲେ।



