ଏକା ସାଙ୍ଗରେ ଜୀବନସାଥୀ ବାଛିଲେ ମା-ଝିଅ, ଗୋଟିଏ ମଣ୍ଡପରେ ହେଲା ଯଥା…ରାବଣସ୍ୟ….ମନ୍ଦୋଦରୀ
ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁର ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।ଏକା ସାଙ୍ଗରେ ବିବାହ କରିଛନ୍ତି ମା-ଝିଅ । ଜୀବନର ପରୀଣତ ବୟସରେ ମା ନିଜର ଜୀବନ ସାଥୀ ବାଛିଥିବା ବେଳେ ଝିଅ ମଧ୍ୟ ସେହି ଗୋଟିଏ ମଣ୍ଡପରେ ନିଜ ଜୀବନ ସାଥୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମୂହିକ ବିବାହ ଯୋଜନାରେ ଗୋଟିଏ ମଣ୍ଡପରେ ମାଆ – ଝିଅ ବିବାହ କରିଛନ୍ତି ।
ସୂଚନାଅନୁସାରେ ଉତ୍ତରପ୍ରଦେଶର ପିପାରୋଲି ବ୍ଲକ କୁରାମୋଲ୍ର ବାସିନ୍ଦା ହରିହର ବିଲି ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହେଁ ୫ ଟି ସନ୍ତାନର ଜନକ ହୋଇଥିଲେ । ସନ୍ତାନ ମାନଙ୍କ ମଧ୍ୟରୁ ଦୁଇ ଜଣ ପୁଅ ଏବଂ ୩ ଝିଅ ରହିଥିଲେ । ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ ହରିହର ବିଲି ଦେବୀଙ୍କ ପରିବାର ଉପରେ କଳାବାଦଲ ମାଡି ଆସିଲା । ବିଲି ଦେବୀଙ୍କ ସ୍ବାମୀ ହରିହରଙ୍କର ଅକାଳ ବିୟୋଗ ଘଟିଲା । ହରିହରଙ୍କ ବିୟୋଗ ପରେ ବିଲି ଦେବୀ ଦୁଇ ପୁଅ ଏବଂ ୩ ଝିଅଙ୍କୁ ଶିକ୍ଷା ଦିକ୍ଷା ଦେଇଥିଲେ । ଏହାରି ମଧ୍ୟରେ ବିଲି ଦେବୀଙ୍କ ସ୍ବାମୀଙ୍କ ଦେହାନ୍ତ ପ୍ରାୟ ୨୫ ବର୍ଷ ହୋଇ ସାରିଥିବା ବେଳେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ବିବାହ ମଧ୍ୟ ହୋଇ ସାରିଛି ।
ବିଲି ଦେବୀଙ୍କ ସାନ ଝିଅ ଇନ୍ଦୁର ବିବାହ ବୟସ ହୋଇଯାଇଥିବାରୁ ବିଲି ଦେବୀ ଝିଅ ବାହାଘର ପାଇଁ ବରପାର୍ଥୀ ଦେଖୁଥିଲେ । ଝିଅ ପାଇଁ ବର ଠିକ କରିବା ପରେ ବିଲି ଦେବୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମୂହିକ ବିବାହ ଯୋଜନାରେ ବିବାହ କରିବା ପାଇଁ ଝିଅ ଇନ୍ଦୁର ନାମ ପଞ୍ଜିକରଣ କରିବା ସହ ନିଜ ନାମ ମଧ୍ୟ ପଞ୍ଜିକରଣ କରିଥିଲେ । ଝିଅ ଇନ୍ଦୁର ବିବାହ ପାଲି ବାସିନ୍ଦା ରାହୁଲଙ୍କ ସହ ହୋଇଥିବା ବେଳେ ବିଲି ଦେବୀ ତାଙ୍କ ଦିଅର ଜଗଦୀଶଙ୍କୁ ବିବାହ କରିଛନ୍ତି ।ଗୋଟିଏ ମଣ୍ଡପରେ ମା-ଝିଅ ବିବାହ କରିବାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି ।
ବିଲି ଦେବୀଙ୍କୁ ବିବାହ କରିଥିବା ଜଗଦୀଶ ବିଲି ଦେବୀଙ୍କ ପ୍ରଥମ ସ୍ବାମୀ ହରିହରଙ୍କ ସାନ ଭାଇ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ । ସେ ତାଙ୍କ ପରିବାରରେ ସାନ ପୁଅ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଥିଲେ ।
Comments are closed.