ଅତିଷ୍ଠ କଲେଣି ମଶା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ୬୭ଟି ୱାର୍ଡରେ ଲୋକସଂଖ୍ୟା ୧୫ଲକ୍ଷ ଅତିକ୍ରମ କଲାଣି। ମହାନଗର ନିଗମ ପକ୍ଷରୁ ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅନେକ ଯୋଜନା କରାଯାଉଛି। ହେଲେ ଏହାର ତଦାରଖ ଉପରେ ଗୁରୁତ୍ବ ଦିଆଯାଉନାହିଁ। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଶା ଉପଦ୍ରବରେ ସହରବାସୀ ଅତିଷ୍ଠ ହେଉଥିଲେ ହେଁ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। କରୋନା ଆଳ ଦେଖାଇ ମଶା ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। କେବଳ ସନ୍ଧ୍ୟା ବା ରାତି ନୁହେଁ ଦିନରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଯାହାକି ଡେଙ୍ଗୁ ଓ ମେଲେରିଆକୁ ଆମନ୍ତ୍ରଣ କରୁଛି।
ମଶା ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇପାରୁ ନାହିଁ। ଏ କ୍ଷେତ୍ରରେ ଫେଲ୍‌ ମାରିଛି ବିଏମ୍‌ସି। ଅଧାପନ୍ତରିଆ ଡ୍ରେନ୍‌, ସଠିକ୍‌ ସମୟରେ ଆବର୍ଜନା ନ ଉଠିବା, କବାଡ଼ିଆ ଦୋକାନରେ ଯାଞ୍ଚ ନହେବା, ଗଳିକନ୍ଦିରେ ଟିଫା ମେସିନ ନିୟମିତ ନବୁଲିବା ପ୍ରଭୃତି ବିଭିନ୍ନ କାରଣରୁ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏସବୁ କାର୍ଯ୍ୟ ତଦାରଖ କରୁଛନ୍ତି ଖୋଦ୍‌ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ। ମାତ୍ର ଏନେଇ ବାର୍ଷିକ କେତେ ଟଙ୍କା ବ୍ୟୟ ହେଉଛି ସେ ସମ୍ପର୍କରେ ଅଧିକାରୀଙ୍କ ନିକଟରେ କୌଣସି ତଥ୍ୟ ନାହିଁ । ବିଏମ୍‌ସି ପକ୍ଷରୁ ଫଗିଂ ନେଇ ୪ଟି ମେସିନ ରହିଛି। ଦୁଇଟି ବଡ଼ ମେସିନ ଥିବାବେଳେ ବାକି ୪ଟି ଛୋଟ ମେସିନ ରହିଛି। ସନ୍ଧ୍ୟା ସମୟରେ ଏସବୁ ପ୍ରୟୋଗ କରାଯାଉଥିବା କୁହାଯାଉଛି। ଏହାବ୍ୟତୀତ ଚୋକ୍‌ ହୋଇଥିବା ଡ୍ରେନ୍‌ ବା ପାଣି ଜମି ରହିଥିବା ସ୍ଥାନରେ ମଶା ତେଲ ପକାଇବା ପାଇଁ ୨୧୦ଜଣ କର୍ମଚାରୀ ଥିବାବେଳେ ବିଭିନ୍ନ ୱାର୍ଡରେ ଏହି କର୍ମଚାରୀ ପଦକ୍ଷେପ ନେଉଛନ୍ତି। ଘରକୁ ଘର ବୁଲି ସଚେତନ କରାଯାଉଛି ଏବଂ ସେପ୍‌ଟିକ ଟାଙ୍କିରେ ଥିବା ବେଣ୍ଡ ପାଇପ୍‌କୁ କପଡ଼ାରେ ବାନ୍ଧିବାକୁ କୁହାଯାଉଛି। ଏହାବ୍ୟତୀତ ରୁଟିନ ୱାର୍କ କରାଯାଉଛି ବୋଲି ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ସଫେଇ ଦେଇଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଦର୍ଶାଉଛି। ବିଭିନ୍ନ ୱାର୍ଡରେ ମଶାଙ୍କ ଉପଦ୍ରବରେ ବାସିନ୍ଦା ଅତିଷ୍ଠ ହେବା ସହ ବିଏମ୍‌ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ କଡ଼ା ସମାଲୋଚନା କରୁଛନ୍ତି।

ଜନସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଆଧାରରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ଡେଙ୍ଗୁ ଓ ମେଲେରିଆ ଉପରକୁ ଉଠିଛି। ସଚେତନତା କମିବା ସହିତ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣରେ ବିଳମ୍ବ ଏବେ ମଶା ବୃଦ୍ଧିର କାରଣ ହୋଇଛି।

Comments are closed.