www.samajalive.in
Monday, December 15, 2025
24.1 C
Bhubaneswar

ଶୁଣିଲାନି ପ୍ରଶାସନ: ନିଜ ଉଦ୍ୟମରେ ରାସ୍ତା, କାଠପୋଲ ଓ ଜଳ ଯୋଗାଣ ବ୍ୟବସ୍ଥା କ​‌ଲେ​‌ ଗ୍ରାମବାସୀ 

ମୋହନା: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଗାଁକୁ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ହେଲେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଅନେକ ଗାଁ ରହିଛି, ଯେଉଁଠି ବର୍ଷ ବର୍ଷ ଧରି ଅପହଞ୍ଚ ଓ ଅବହେଳିତ ଅବସ୍ଥାରେ ଜୀବନ ସହ ସଂଘର୍ଷ କରି ବଞ୍ଚିବାକୁ ପଡୁଛି ଅଧିବାସୀଙ୍କୁ। ସରକାରଙ୍କୁ ବାରମ୍ବାର ଗୁହାରି କରି ଥକିଯିବା ପରେ ଏବେ ନିଜ ଗାଁକୁ ଯିବାକୁ ରାସ୍ତା ସହ ପିଇବା ପାଣିର ବ୍ୟବସ୍ଥା ଗ୍ରାମବାସୀ ନିଜେ କରିଛନ୍ତି । ଯାହା ସରକାରୀ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଗରଡମା ପଞ୍ଚାୟତ। ଏହି ବ୍ଲକର ଦୁର୍ଗମ ଅଞ୍ଚଳ ତଥା ମାଓ ପରିଚିତ ଥିଲା ଗରଡମା ପଞ୍ଚାୟତର ମାତାକୁପା, ନିମ୍ବାଡ୍ ଓ ନାପକେଞ୍ଜୁ ଗାଁ । ଏହି ୩ ଖଣ୍ଡ ଗାଁରେ ବସବାସ କରନ୍ତି ୪୫ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର। ଗାଁକୁ ଯିବାକୁ ହେଲେ ପାହାଡ ଘାଟି ଅତିକ୍ରମ କରି ଯିବାକୁ ପଡ଼ିଥାଏ । ଆମ୍ବୁଲାନ୍ସ ଏମାନଙ୍କ ପାଇଁ ସାତ ସପନ। ଗାଁଠାରୁ ଗରଡମା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ୨୦ରୁ ୩୦ କିମି ଦୂରତ୍ଵ ହେଉଥିବାରୁ ୧୫ କିମି ଦୂର ମାଣ୍ଡିମେରା ପଞ୍ଚାୟତରୁ ରାସନ୍ ସାମଗ୍ରୀ ନେବାକୁ ସରକାରଙ୍କ ତରଫରୁ ଗ୍ରାମବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ରାସ୍ତାରେ ହରଭଙ୍ଗି ନଦୀ ପଡୁଥିବାରୁ ଖରା ୪ ମାସ ନଦୀରେ କାଠ ପୋଲ ତିଆରି କରି ଯାତାୟତ କରିଥାନ୍ତି ଗ୍ରାମବାସୀ ।

ସ୍କୁଲ, କଲେଜ, ପଞ୍ଚାୟତ, ବଜାର ହାଟ ମେଡିକାଲ୍ ସବୁ କ୍ଷେତ୍ରରେ ଏହି ନଦୀ ପାର ହେବାକୁ ପଡ଼ିଥାଏ। ଆଉ ବର୍ଷା ଋତୁ ଆସିଗଲେ ଅବସ୍ଥା ସଙ୍ଗୀନ । ନଦୀରେ ଜଳସ୍ତର ବଢ଼ିଯିବା ପରେ ଜଳବନ୍ଦୀ ଜୀବନ କାଟିଥାନ୍ତି ଏହି ୩ ଖଣ୍ଡ ଗ୍ରାମବାସୀ । ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯିବା ପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଗାଁ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀ ରାସ୍ତା ନିର୍ମାଣ କରିଥିବା ବେଳେ ନିଜ ଅର୍ଥରେ ପାଇପ କିଣି ଟାଙ୍କି ବସାଇ ପାଇପ ସଂଯୋଗ କରି ଗାଁକୁ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଆବାସ ଯୋଜନା କହିଲେ ଗାଁରେ ଗୋଟିଏ ହେଲେ ପକ୍କା ଘରନାହିଁ। କିଏ ପଲିଥିନ ଟାଣି ରହୁଛନ୍ତି ତ ଆଉ କିଏ ଟିଣ ଛପର ଘରେ ରହୁଛନ୍ତି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଗାଁକୁ ଖୁଣ୍ଟ ପୋତି ଘରକୁ ଘର ବିଦ୍ୟୁତ୍ ତାର ସଂଯୋଗ କରି ମିଟର ବସା ଯାଇଛି। ହେଲେ, ବିଦ୍ୟୁତ୍ କର୍ମଚାରୀ କାମ ଅଧାପନ୍ତରିଆ କରି ଛାଡ଼ିଦେଇ ସୋଲାରରେ ବଲ୍‌ବ ଜଳାଇ ଫଟୋ ଉଠାଇ ଚାଲିଯାଇଛନ୍ତି । ଗ୍ରାମବାସୀ ଏବେ ସୋଲାର ଲାଇଟ୍ ବ୍ୟବହାର କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ଆମେ ଭୋଟ ଦେଉଛୁ, ସବୁ କରିଦେବେ ବୋଲି ନିର୍ବାଚିତ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ନିର୍ବାଚନ ସରିଗଲେ ଆମକୁ କେହି ପଚାରୁ ନାହାନ୍ତି । ଆମ ଗାଁକୁ ବିଧାୟକ ମଧ୍ୟ ଆସିଛନ୍ତି, ହେଲେ କିଛି ସୁଫଳ ମିଳିନି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଦରଖାସ୍ତ ଦେଉଛୁ, ହେଲେ ସମସ୍ତଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି।

- Advertisement -

ଏନେଇ ଅଡବା ସାଉଥ୍ କୋ ଯନ୍ତ୍ରୀ କହିଛନ୍ତି, କେଉଁ ଠିକାଦାର କାମ କରି ଛାଡ଼ିଦେଇ ଚାଲିଯାଇଛି, ତାହା ସେ ଜାଣି ନାହାନ୍ତି। ଗାଁଗୁଡିକୁ ବୁଲି ଦେଖିବା ପରେ କିଭଳି ବିଦ୍ୟୁତ୍ ସଂଯୋଗ କରାଯିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର କହିଛନ୍ତି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି । ରାସ୍ତା ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories