ଆଜି ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ

ଭୁବନେଶ୍ଵର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ। ଆଜି ମଧ୍ୟ ଗୃହ ବେଶ୍ ସରଗରମ ରହିପାରେ। କୃଷି ଏବଂ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,  ଶକ୍ତି, ସମବାୟ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ , ବୟନ ଶିଳ୍ପ , ଏମଏସଏମଇ, ବିଜ୍ଞାନ ଏବଂ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଆଇନ ଶୃଙ୍ଖଳା , ଆମ୍ବଟାକୁଆ ଜାଉ ମୃତ୍ୟୁ ଭଳି ପ୍ରସଙ୍ଗ ବିରୋଧୀମାନେ ଉଠାଇପାରନ୍ତି। ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବିଧାନସଭାର ସମ୍ବିଧାନ ପୁସ୍ତକ ନିକଟରେ ରହିଥିବା ଫଳକରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ଉଲ୍ଲେଖ ନ ରହିବା ଏବଂ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗ ସହ ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଥମ ଦିନ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀଙ୍କୁ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡ଼ିଥିଲା। ଗୃହ କାର୍ଯ୍ୟ ସ୍ବାଭାବିକ ହୋଇନପାରିବାରୁ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ଣ ୧୧ଟାରେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦିବଂଗତ ସଦସ୍ୟ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳକେଶରୀ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଦିବଂଗତ ସଦସ୍ୟମାନଙ୍କ ସ୍ମୃତିଚାରଣ କରିଥିଲେ। ଗୃହରେ ସର୍ବସମ୍ମତିକ୍ରମେ ଶୋକପ୍ରସ୍ତାବ ଗୃହୀତ ହେବା ପରେ ପୂର୍ବାହ୍ଣ ୧୧ଟା ୨୬ରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସମ୍ପର୍କରେ ପ୍ରଶ୍ନକର୍ତ୍ତା ବିଧାୟକ ପଦ୍ମଚରଣ ହାଇବୁରୁଙ୍କୁ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ। ବାଚସ୍ପତିଙ୍କ ନିର୍ଦେଶକ୍ରମେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ ବିଧାୟକ ଶ୍ରୀ ହାଇବୁରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଠିଆ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ବରେ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସିଥିଲେ। ସେମାନେ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଖାଦ୍ୟ ନ ପାଇ ଆମ୍ବଟାକୁଆ ଜାଉ ଖାଇ ୩ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରିଥିଲେ। ଏହି ଅନାହାର ମୃତ୍ୟୁ ପାଇଁ ଦାୟୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହିତ ବିଜେଡି ସଦସ୍ୟମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଥମେ ଗୃହକୁ ୧୨ଟା ୨୫ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

Comments are closed.