ସରପଞ୍ଚଙ୍କ ବିରୋଧରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଅଭିଯୋଗ
ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ସରପଞ୍ଚ ବୈଜୟନ୍ତୀ ମଲ୍ଲିକଙ୍କ ଜାତିଗତ ପ୍ରମାଣପତ୍ର ମିଥ୍ୟା ବୋଲି ଅଭିଯୋଗ ହୋଇଥିଲ । ଏହି ଅଭିଯୋଗକୁ ଭିତ୍ତିକରି ମୋହନା ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଅଭିଯୋଗର ତଦନ୍ତ କରିଥିଲେ l ତଦନ୍ତ ପରେ ସେ ଅନୁସୂଚିତ ଜନଜାତି ବର୍ଗର ନୁହନ୍ତି ବୋଲି ଜଣା ପଡ଼ିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ l ତେବେ ଏହି ଘଟଣାକୁ ନେଇ ସରପଞ୍ଚଙ୍କୁ ବରଖାସ୍ତ କରିବାକୁ ଦାବି କରିଛି ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ l ମିଳିଥିବା ସୂଚନା ପ୍ରକାରେ ଗତ ପଞ୍ଚାୟତ ନିର୍ବାଚନରେ ବୈଜୟନ୍ତୀ ମଲ୍ଲିକ ଆଲିଗଣ୍ଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।
ସରପଞ୍ଚ ପଦବୀ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା l ତେବେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତୀ ମଲ୍ଲିକ ଅନୁସୂଚିତ ଜନଜାତି ବର୍ଗର ନୁହନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କର ଜାତିଗତ ପ୍ରମାଣପତ୍ର ଯାଞ୍ଚକରି ତାଙ୍କୁ ସରପଞ୍ଚ ପଦବୀରୁ ବରଖାସ୍ତ କରିବାକୁ ଗତ ଏପ୍ରିଲ ୨୧ ତାରିଖରେ ମୋହନା ବିଡିଓ ଓ ତହସିଲଦାରଙ୍କ ଠାରେ ଦାବି କରିଥିଲେ ଆଦିବାସୀ ଅଧିକାର ସୁରକ୍ଷାମଞ୍ଚ l ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ପାଇଁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋହନା ତହସିଲଦାର l ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ଜାତିଗତ ପ୍ରମାଣପତ୍ରର ତଦନ୍ତ କରିଥିଲେ l ତଦନ୍ତ ପରେ ସେ ଅନୁସୂଚିତ ଜନଜାତି ବର୍ଗର ନୁହନ୍ତି ବୋଲି ଜଣା ପଡ଼ିଥିଲା l ଏ ସଂପର୍କରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଲିଗଣ୍ଡl ସରପଞ୍ଚଙ୍କୁ ନିଜ ଅନୁସୂଚିତ ଜନଜାତି ପ୍ରମାଣ ପତ୍ର ସମ୍ପର୍କରେ ଆବଶ୍ୟକୀୟ ପ୍ରମାଣ ଓ ନଥିପତ୍ର ଦାଖଲ ପାଇଁ ଦୁଇଥର ଚିଠି ମାଧ୍ୟମରେ ନିର୍ଦେଶ ଦିଆଯାଇଥିଲା l
ତେବେ ସେ ଆବଶ୍ୟକୀୟ ପ୍ରମାଣ ଦେବାରେ ଅସମର୍ଥ ହୋଇଥିଲେ ବୋଲି କହିଛନ୍ତି ତହସିଲଦାର l ଏଣୁ ତଦନ୍ତ ପରେ ସେ ଅନୁସୂଚିତ ଜନଜାତିର ନୁହନ୍ତି ବୋଲି ଜଣାପଡିଥିଲା l ତେଣୁ ତାଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଖୁବଶୀଘ୍ର ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି l ଏଭଳି ମୋହନା ବ୍ଲକରେ ବହୁ ସରକାରୀ କର୍ମଚାରୀ ଜାଲି ପ୍ରମାଣପତ୍ର ଦେଇ ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ଏହାର ବିଧିବଦ୍ଧ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧିଜୀବୀଙ୍କ ମହଲରେ ଦାବି ହେଉଛି ।
Comments are closed.