ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ବୁଢାଡିହ ଗାଁରେ ପ୍ରଥମ ପତ୍ନୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି। ଏନେଇ ସ୍ବାମୀ ମିଟୁ ମଣ୍ଡଳକୁ ବୁଧବାର କୋର୍ଟଚାଲାଣ କରାଯାଇଛି। ବୁଧବାର ଦିନ ତମାମ ମିଟୁର ଦ୍ୱିତୀୟ ପତ୍ନୀ ଜନନୀ ମଣ୍ଡଳକୁ ଥାନାରେ ଅଟକ ରଖି ମାରାଥାନ ଜେରା କରାଯାଉଛି। ଏହି ଘଟଣାରେ ଦ୍ୱିତୀୟ ପତ୍ନୀ ଜନନୀ ବର୍ତ୍ତମାନ ସନ୍ଦେହ ଘେରରେ ରହିଥିବା ବେଳେ ଅତି ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ଅଡବା ଥାନା ଅଧିକାରୀ ମୁକେଶ ଲାକ୍ରା କହିଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମିଟୁ ସୁନ୍ଦରଗଡ ଗାଁର ସଶ୍ମିତା ଶବରଙ୍କୁ ଦୀର୍ଘ ୨ ବର୍ଷ ହେଲା ପ୍ରେମ କରୁଥିଲା। ଇତି ମଧ୍ୟରେ ସେମାନଙ୍କର ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା। ତେବେ ଗତ ଜୁନ୍ ମାସରେ ସଶ୍ମିତା ଗର୍ଭବତୀ ଥିବା ଜାଣିପାରି ପରିବାର ଲୋକେ ମିଟୁର ପରିବାରକୁ ଜଣାଇଥିଲେ। ଏ ସମ୍ପର୍କରେ ବୁଢାଡିହ ଗାଁରେ ବୈଠକ ହେବାପରେ ମିଟୁ ସଶ୍ମିତାକୁ ବିବାହ କରି ଘରେ ରଖିଥିଲା। ଅନ୍ୟପଟେ ମିଟୁ ଗଂଜାମ ଜିଲ୍ଲା ଜକରାପଲ୍ଲୀ ଗାଁର ଜନନୀ ମଣ୍ଡଳକୁ ମଧ୍ୟ ପ୍ରେମ କରୁଥିଲା। ଫଳରେ ଜନନୀ ମଧ୍ୟ ଦ୍ୱିତୀୟ ପତ୍ନୀ ଭାବେ ମିଟୁ ପାଖରେ ରହୁଥିଲା। ଗର୍ଭବତୀ ଥିବା ସଶ୍ମିତା ପ୍ରସବ ପାଇଁ ଜୁଲାଇ ମାସରେ ନିଜ ବାପ ଘରକୁ ଯାଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା। କିଛିଦିନ ପରେ ସଶ୍ମିତା ଓ ତାର ଶିଶୁ ପୁତ୍ରକୁ ବାପ ଘରେ ଲୋକ ଆଣି ମିଟୁ ଘରେ ଛାଡିଥିଲେ। ତେବେ ମିଟୁ ସଶ୍ମିତାକୁ ଆଉ ଭଲରେ ଦେଖୁ ନଥିଲା। ଏଥିପାଇଁ ସଶ୍ମିତା ପୁଣି ତାର ପୁତ୍ରକୁ ନେଇ ବାପ ଘରକୁ ଚାଲିଯାଇଥିଲା। ଏହାର କିଛି ଦିନ ପରେ ମିଟୁ ସୁନ୍ଦରଗଡ ଗାଁକୁ ଯାଇ ସଶ୍ମିତା ଓ ତାର ପୁଅକୁ ଦେଖାଶୁଣା କରିଥିଲା। ଫଳରେ ସଶ୍ମିତାର ବାପା ପ୍ରଫୁଲ ସୋମବାର ଦିନ ସନ୍ଧ୍ୟାରେ ସଶ୍ମିତା ଓ ଶିଶୁ ପୁତ୍ରକୁ ପୁଣି ମିଟୁ ଘରକୁ ଆଣିଥିଲେ। ସେହି ଦିନ ବିଳମ୍ବିତ ରାତିରେ ସମସ୍ତେ ଗୋଟିଏ ଘରର ବିଭିନ୍ନ କୋଠରୀରେ ଶୋଇଥିବା ବେଳେ ମିଟୁ ଏକ କୁରାଡିରେ ସଶ୍ମିତାର ବେକକୁ ହାଣି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସଶ୍ମିତାର ମୃତ୍ୟ ଘଟିଥିଲା। ତେବେ ଇଚ୍ଛା ନଥିବା ସତ୍ବେ ସଶ୍ମିତା ତାଙ୍କ ଘରକୁ ଜୋର ଜବରଦସ୍ତ ଆସିଥିବାରୁ ମିଟୁ ତାକୁ ହତ୍ୟା କରିଥିବା ପୁଲିସ ଆଗରେ ବୟାନ ଦେଇଛି। ଅନ୍ୟପଟେ ମିଟୁର ଦ୍ୱିତୀୟ ପତ୍ନୀ ଘଟଣା ସମ୍ପର୍କରେ କିଛି ଜାଣିନଥିବା କହୁଥିବା ବେଳେ ହତ୍ୟାକାଣ୍ଡରେ ତାର ସହଯୋଗ ଥିବା ପୁଲିସ ସନ୍ଦେହ କରୁଛି। ଏଣୁ ତଦନ୍ତ ପରେ ତାକୁ ଗିରଫ କରାଯିବ ବୋଲି ଥାନାଅଧିକାରୀ ଲାକ୍ରା କହିଛନ୍ତି।
Popular Categories



