ମୋହନା: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ବଧିର ଛାତ୍ର ଜୟଦେବ ରଇତ (୮) ରବିବାର ଦିନ ସକାଳ ପ୍ରାୟ ୬ଟାରୁ ବିଦ୍ୟାଳୟ ଛାତ୍ରାବାସରୁ ବାହାରି କେଉଁ ଆଡ଼େ ଚାଲି ଯାଇଥିଲା। କିଛି ସମୟ ପରେ କର୍ମଚାରୀମାନେ ଏହି ନିଖୋଜ ଖବର ଜାଣିବା ପରେ ଖୋଜାଖୋଜି କରିଥିଲେ ମଧ୍ୟ ଛାତ୍ରର ସନ୍ଧାନ ପାଇନଥିଲେ। ଛାତ୍ର ଜଣକ ବିଦ୍ୟାଳୟରୁ ବାହାରି ପାଦରେ ଚାଲି ଚାଲି ଗଞ୍ଜାମ ଜିଲ୍ଲା ତପ୍ତପାଣି କାଜୁ ଜଙ୍ଗଲରେ କିଛି ସମୟ ଲୁଚି ରହିବା ପରେ ମୃଗ ବିହାରକୁ ଯାଇଥିଲେ। ସେଠାରେ ଅପରାହ୍ନ ୫ଟାରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ମୃଗ ବିହାର ଦାୟିତ୍ଵରେ ରହିଥିବା କର୍ମଚାରୀ ବଧିର ଛାତ୍ର ଜଣକୁ ବିଭିନ୍ନ ପ୍ରଶ୍ନ କରିଥିଲେ ମଧ୍ୟ ସେ ଉତ୍ତର ନଦେବାରୁ ପୋଡାମାରୀ ଫାଣ୍ଡିକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୋଡାମାରୀ ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ଅନୁସନ୍ଧାନ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇ ୱ।ଡ଼େନ ଅପରାହ୍ନ ୭ଟା ୩୦ରେ ଛାତ୍ରକୁ ସେଠାରୁ ବିଦ୍ୟାଳୟକୁ ଆଣିଥିଲେ। ବିଦ୍ୟାଳୟରେ ବାରମ୍ଵାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପ୍ରଧାନ ଶିକ୍ଷକ, ୱ।ର୍ଡେନ ଓ ସମ୍ପାଦକଙ୍କ ଖାମଖିଆଲି ମନୋଭାବ ଯୋଗୁଁ କେତେବେଳେ ପିଲାମାନଙ୍କର ଅଘଟଣ ନଘଟିବ କହିହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଜୟଦେବର ଗୋଡକୁ ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କ ଘର ରା.ଉଦୟଗିରି ଥାନା ଅନ୍ତର୍ଗତ ପୁଷ୍ପାଙ୍ଗା ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ ଏହି ସ୍ୱତନ୍ତ୍ର ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମନମାନୀ, ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାମରେ ଲଗାଇବା, ଭଲ ଖାଦ୍ୟ ନ ଦେବା, କଠୋର ମନୋଭାବ ପୋଷଣ କରିବା ଯୋଗୁଁ ବିଭିନ୍ନ ସମୟରେ ବହୁ ଛାତ୍ରଛାତ୍ରୀ ରାତି ଓ ଦିନରେ ଲୁଚିଛପି ନିଜ ଗ୍ରାମକୁ ଓ ସମ୍ପର୍କୀୟ ଘରକୁ ଚାଲିଯିବା ଓ ଅଧା ବାଟରୁ ଉଦ୍ଧାର କରି ବିଦ୍ୟାଳୟକୁ ଆଣିବା ନଜିର ମଧ୍ୟ ରହିଛି।



