ମୋହନା – ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକ ର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରୁଛନ୍ତି । ମୋହନା ବ୍ଲକର ଏହି ସ୍ଥାନରେ ୨୦ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି, କୁନି କୁନି ଛାତ୍ର ଛାତ୍ରୀ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ନାଳପାର ହେଉଛନ୍ତି ।
ଗଜପତି ଜିଲ୍ଲା ମୋହନା ବ୍ଲକ ଝରଣପୁର ଗାଁ ନିକଟରେ ଥିବା ଗାଜେଲ ନାଳ । ଚୁଢଙ୍ଗପୁର ପଞ୍ଚାୟତ ଶିଆଳିଲଟି, ଝରଣପୁର ଠାରୁ ରାଇପଙ୍କାକୁ ସଂଲଗ୍ନ କରୁଥିବା ଏହି ନାଳ ରାସ୍ତା ଦେଇ ୨୦ରୁ ଊର୍ଦ୍ଧ୍ୱ ଗାଁର ହଜାର ହଜାର ଲୋକ ନିର୍ଭରଶୀଳ । ପୋଲ ନ ଥିବାରୁ ସ୍କୁଲ, ହାଟ, ବଜାର, ମେଡ଼ିକାଲ ସମେତ ସମସ୍ତ ସରକାରୀ କାମରେ ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି ।
ହେଲେ ଏହି ନାଳ ଓ ରାସ୍ତାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଉକ୍ତ ନାଳ ନିକଟରୁ ରାଇପଙ୍କା ଗ୍ରାମ ମାତ୍ର ୮କିମି ଏବଂ ରାୟଗଡ଼ା ଜିଲ୍ଲାର ପଦ୍ମପୁର ମୂଖ୍ୟ ବଜାର ୧୪କିମି । ରାସ୍ତା କାମ ସଂପୂର୍ଣ୍ଣ ନହେବାରୁ ଲୋକେ ବିଭିନ୍ନ କାମରେ ପ୍ରାୟ ୪୦ରୁ ୬୦ କିମି ଦେଇ ଅନ୍ୟ ରାସ୍ତାରେ ଯାଇଥାନ୍ତି। ଭଲ ରାସ୍ତା ଖଣ୍ଡେ ନାହିଁ କିନ୍ତୁ ମାଟି ରାସ୍ତା ହେଇଥିଲେ ମଧ୍ୟ ତିନୋଟି ନାଳ ଦେଇ ଯାତାୟାତ କରନ୍ତି ଅନେକ ଗ୍ରାମର ଲୋକେ । ଅନ୍ୟ ଜିଲ୍ଲାର ବ୍ୟବସାୟୀମାନେ ବର୍ଷା ଦିନେ ଏ ରାସ୍ତା ଓ ପୋଲ ନଥିବାରୁ ଭରା ନାଳ ଦେଇ ଜୀବନକୁ ବାଜି ଲଗାଇ ବହୁ କଷ୍ଟରେ ନାଳ ପାର ହେଉଥିବା ଦେଖା ଦେଇଛି। ଖାଲି ସେତିକି ନୁହେଁ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ଚୁଡଙ୍ଗପୂର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କିମ୍ବା ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ହେଲେ ଗ୍ରାମବାସୀ ଦୋଳା କରି ବୋହି ଆଣନ୍ତି । ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ, ଗର୍ଭବତୀ ମହିଳା,ବରିଷ୍ଠ ନାଗରିକ ଓ ଛାତ୍ର ଛାତ୍ରୀ। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ କାମ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।
ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ପଚାରିବାରୁ , ତୁରନ୍ତ ବ୍ଲକ୍ ପ୍ରଶାସନକୁ କହି ପୋଲର ଉଭୟ ପଟ ରାସ୍ତା କାମ କରାଯିବ ଏବଂ ବିଶେଷ କରି ମୋହନା ବ୍ଲକର ବିଭିନ୍ନ ପଂଚାୟତର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ନାଳର ଦୁରାବସ୍ଥା ସମ୍ପର୍କରେ ‘ସମାଜ’ରେ କିଛି ମାସ ତଳେ ଖବର ପ୍ରକାଶନ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ଲାଗି ୧୨ଲକ୍ଷ ଟଙ୍କା ପଞ୍ଚାୟତ ସମିତିକୁ ଦିଆଯାଇଥିଲା । ତାହା ଯଥେଷ୍ଟ ନହେବାରୁ କେବଳ ୯ ଲକ୍ଷ ଟଙ୍କା ବିନିମୟରେ ପୋଲର ଛାତ ପଡିଥିଲା । ବାକି ରହିଥିବା ୩ ଲକ୍ଷ ଟଙ୍କାରେ ରାସ୍ତାର ଉଭୟ ପାର୍ଶ୍ଵ ପୋଲ ସହ ସଂଯୋଗୀକରଣ ଓ ଗାର୍ଡୱ।ଲ ନିର୍ମାଣ ହେବା ସମ୍ଭବ ନଥିବାରୁ ରାସ୍ତା ଓ ପୋଲ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।



