ଗଜପତି: ନଦୀରେ ଭାସିଗଲେ ବାପା, କୂଳରେ ବାପାଙ୍କ ଜୋତାଧରୀ ଅପେକ୍ଷା କରିଛି ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତ ଭାଲିଆ ସାହି ଠାରେ ବହି ଯାଇଥିବା ନଦୀ କୂଳରେ । ଜିଲାରେ ବାତ୍ୟା ପ୍ରଭାବରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ନଈ ବଢିରେ ଭାସି ଯାଇ ନିଖୋଜ ଅଛନ୍ତି ଭାଲିଆ ସାହି ଗାଁର ଭୀମ ମଣ୍ଡଳ । ବର୍ଷା କମିବା ପରେ ସରକାରୀ ନିର୍ଦେଶ ଅନୁସାରେ ଗୁରୁବାର ସନ୍ଧ୍ୟାରେ ଭୀମଙ୍କ ପରିବାର ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ଅତ୍ୟାବଶ୍ୟକୀୟ ଜିନିଷ ନଥିବାରୁ ସେ ସଉଦା ଆଣିବା ପାଇଁ ନଦୀ ପାର ହୋଇ ନୂଆସାହି ଗ୍ରାମକୁ ଯିବାବେଳେ ନିଖୋଜ ହୋଇଥିଲେ । ସ୍ଥାନୀୟ ଲୋକାମାନେ ବହୁ ଖୋଜା ଖୋଜି ପରେ ମଧ୍ୟ ଭୀମଙ୍କ ପତ୍ତା ମିଳିନଥିଲା । ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।
ସେପଟେ ଭୀମଙ୍କ ପରିବାର ଲୋକେ ନଦୀ କୂଳରେ ଅପେକ୍ଷାରତ ଅଛନ୍ତି । ଭୀମଙ୍କ ଜୋତା ନଦୀ କୂଳରେ ମିଳିବା ପରେ ସେହି ଜୋତାକୁ ଧରି ଝିଅ ବାପାଙ୍କ ବାଟକୁ ଚାହିଁ ବସିଛି । ଏଯାବତ ଭୀମ ଜୀବିତ କି ମୃତ ତାହାର କୌଣସି ସୂଚନା ମିଳିନାହିଁ । ତେବେ ଏହି ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇନଥିବାରୁ ବର୍ଷ ବର୍ଷ ଧରି ବିପଦ ସଙ୍କଳ ଅବସ୍ଥାରେ ଯାତାୟାତ କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।



