ନୂଆପଡ଼ା ଉପ-ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତୀୟ ଜନତା ପାର୍ଟି ୮୩, ୭୪୮ ଭୋଟର ବିଶାଳ ବ୍ୟବଧାନରେ ବିଜୟୀ ହୋଇ କେବଳ ଗୋଟିଏ ଆସନ ଜିତିନାହିଁ, ବରଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଉପରେ ଜନମତର ମୋହର ଲଗାଇଛି। ଏହା ଏକ ସାଧାରଣ ଉପ-ନିର୍ବାଚନ ନୁହେଁ, ବରଂ ନବଗଠିତ ସରକାରର ପ୍ରଥମ ପ୍ରକୃତ ଅଗ୍ନିପରୀକ୍ଷା ଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବିଜୟର ମୂଳରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସକ୍ରିୟତା ଓ ଦୃଢ଼ ନେତୃତ୍ୱ। ସେ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇ ଏହାକୁ ଏକ ପ୍ରତିପତ୍ତିର ଲଢ଼େଇରେ ପରିଣତ କଲେ। ତାଙ୍କର ଜନସଭା ଓ ରୋଡ୍-ଶୋ’ରେ ଅଭୂତପୂର୍ବ ଜନସମାଗମ ସ୍ପଷ୍ଟ ଦର୍ଶାଉଥିଲା ଯେ ତୃଣମୂଳ ସ୍ତରରେ ଜନତା ଶାସକ ଦଳ ଆଡ଼କୁ ଢଳୁଛନ୍ତି।
ବିଜେପିର ରଣନୈତିକ ଦୂରଦର୍ଶିତା ମଧ୍ୟ ପ୍ରଶଂସନୀୟ। ବିଜୁ ଜନତା ଦଳରୁ ଆସିଥିବା ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ଏକ ବଡ଼ ରାଜନୈତିକ ରିସ୍କ ଥିଲା; କିନ୍ତୁ ଦଳର ଶୃଙ୍ଖଳା ଓ ଏକଜୁଟତା ଏହି ନିଷ୍ପତ୍ତିକୁ ସଫଳ କରିଦେଲା। ଦଳର ସମସ୍ତ ନେତା ଓ କର୍ମୀ ଏକସାଙ୍ଗେ ପ୍ରାର୍ଥୀଙ୍କ ପଛରେ ଠିଆ ହୋଇଥିଲେ, ଯାହା ଏହି ରଣନୀତିର ସଫଳତାର ମୂଳ କାରଣ। ଉପ-ନିର୍ବାଚନରେ ସାଧାରଣତଃ ଶାସକ ଦଳ ପାଇଁ ସୁବିଧା ରହିଥାଏ, କାରଣ ଭୋଟରମାନେ ବିଶ୍ୱାସ କରନ୍ତି ଯେ କ୍ଷମତାରେ ଥିବା ଦଳର ବିଧାୟକ ଜିତିଲେ ସେମାନଙ୍କ ଅଞ୍ଚଳର ସମସ୍ୟା ଶୀଘ୍ର ସମାଧାନ ହେବ। ନୂଆପଡ଼ାରେ ଏହି ଧାରଣା ବିଜେପିକୁ ସୁହାଇଥିଲା ଏବଂ ସ୍ଥାନୀୟ ବିକାଶର ଆଶା ଭୋଟରମାନଙ୍କୁ ଶାସକ ଦଳ ପ୍ରତି ଆକର୍ଷିତ କରିଥିଲା।
ଅନ୍ୟପକ୍ଷରେ ବିଜୁ ଜନତା ଦଳର ରଣନୈତିକ ଭୁଲ ଏହି ପରାଜୟ ବ୍ୟବଧାନକୁ ଆହୁରି ବଡ଼ କରିଦେଲା। ସ୍ଥାନୀୟ ନେତାଙ୍କୁ ଉପେକ୍ଷା କରି ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ଦଳର ପ୍ରଥମ ତ୍ରୁଟି ଥିଲା। ଏହା ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ନକାରାତ୍ମକ ପ୍ରଭାବ ପକାଇଥିଲା। ଦ୍ୱିତୀୟ ଭୁଲ୍ ଥିଲା ପ୍ରଚାର ରଣନୀତିରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥର ନୂଆପଡ଼ା ଗସ୍ତ କଲେ ମଧ୍ୟ ଦଳକୁ କୌଣସି ବିଶେଷ ଲାଭ ମିଳିଲା ନାହିଁ। କାରଣ ତାଙ୍କର ଭାଷଣ ସ୍ଥାନୀୟ ପ୍ରସଙ୍ଗ ଓ ଭୋଟରଙ୍କ ଭାବନା ସହ ଯୋଡ଼ି ହୋଇପାରିଲା ନାହିଁ। ନିର୍ବାଚନରେ ତୃତୀୟ ସ୍ଥାନ ପାଇ ବିଜେଡି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସର ପ୍ରଥମ ଓ ସବୁଠାରୁ ବଡ଼ ସମସ୍ୟା ହେଲା ତୃଣମୂଳସ୍ତରରେ ସଂଗଠନର ଅନୁପସ୍ଥିତି। ଯେଉଁଠି ବିଜେପି ଦଳୀୟ ଶୃଙ୍ଖଳା ଓ ଐକ୍ୟତାର ସହ ପ୍ରଚାରରେ ଓହ୍ଲାଇଥିଲା, ସେଠାରେ କଂଗ୍ରେସର କର୍ମୀମାନେ ଦୁର୍ବଳ ଓ ବିଚ୍ଛିନ୍ନ ଦେଖାଗଲେ। ଘାସିରାମ ମାଝୀ ଜଣେ ଅଭିଜ୍ଞ ନେତା ହୋଇଥିଲେ ମଧ୍ୟ କଂଗ୍ରେସ କେବଳ ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ନିର୍ଭର କରି ରହିଗଲା। ସବୁଠାରୁ ବଡ଼କଥା ହେଲା କଂଗ୍ରେସ ପାଖରେ ଭୋଟରଙ୍କୁ ଦେବା ପାଇଁ କୌଣସି ସ୍ପଷ୍ଟ ଓ ଆକର୍ଷଣୀୟ ପ୍ରତିଶ୍ରୁତି ନଥିଲା। ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଯଦି କିଛି ନୂଆ ସମୀକରଣ ସୃଷ୍ଟିକରେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ !



