୪ବର୍ଷରେ ମୋଦୀ ଗସ୍ତ କରିଛନ୍ତି ୫୨ ଦେଶ, ଖର୍ଚ୍ଚ ୩୫୫.୩୦ କୋଟି ଟଙ୍କା

0

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୪ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୨ଟି ଦେଶ ଗସ୍ତ କରିଛନ୍ତି। ଏହିସବୁ ଗସ୍ତରେ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଛି ୩୫୫କୋଟି ୩୦ଲକ୍ଷ ୪୮ହଜାର ୪୬୫ ଟଙ୍କା। ଏହି ଗସ୍ତ ସମୟରେ ମୋଦୀ ପ୍ରାୟ ୧୬୫ ଦିନ ବିଦେଶରେ ବିତାଇଛନ୍ତି। ସୂଚନା ଅଧିକାର କର୍ମୀ ଭୀମାପ୍ପା ଗଡାଡ ସୂଚନା ଅଧିକାର ଆଇନ (ଆରଟିଆଇ) ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ତଥ୍ୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ୪୧ଥର ବିଦେଶ ଯାତ୍ରାରେ ୫୨ଟି ଦେଶ ଗସ୍ତ କରିଛନ୍ତି। ୨୦୧୫ ଏପ୍ରିଲ ୯ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ମୋଦୀ ଫ୍ରାନ୍ସ, ଜର୍ମାନୀ ଓ କାନାଡା ତ୍ରିରାଷ୍ଟ୍ର ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସର୍ବାଧିକ ଅର୍ଥ ୩୧କୋଟି ୨୫ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୧୪ ଜୁନ୍‍ ୧୫ ଓ ୧୬ ଦୁଇଦିନିଆ ଭୁଟାନ ଗସ୍ତରେ ସବୁଠାରୁ କମ୍‍ ୨କୋଟି ୪୫ଲକ୍ଷ ୨୭ହଜାର ୪୬୫ଟଙ୍କା ଖର୍ଚ୍ଚ ହୋଇଥିଲା।
ବେଙ୍ଗାଲୁରୁର ସୂଚନା ଅଧିକାର କର୍ମୀ ଭୀମାପ୍ପା ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ବାବଦରେ ସୂଚନା ପାଇଁ ଆବେଦନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଜାଣି ସେ ଚକିତ ହୋଇପଡିଥିବା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଘରୋଇ ଗସ୍ତ ବାବଦରେ ତାଙ୍କ କାର୍ଯ୍ୟାଳୟ କୌଣସି ସୂଚନା ଦେଇ ନାହିଁ। ଘରୋଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ତଥ୍ୟ ଦେବାକୁ ପିଏମ୍‍ଓ ମନା କରିଛି। କାରଣ ଏସପିଜି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇଥାଏ। ଏସପିଜି ଆରଟିଆଇ ପରିସରଭୁକ୍ତ ନୁହେଁ। ତେଣୁ ଏ ବାବଦରେ ତଥ୍ୟ ଦିଆଯାଇପାରିବ ନାହିଁ।

kalyan agarbati
Leave A Reply