ସମୁଦାୟ ବିଶ୍ୱ ଓ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ଆଶା କଲେ ମୋଦି

ଶାରୀରିକ ଉପସ୍ଥିତିରେ ଅନୁଷ୍ଠିତ ହେଲା କ୍ୱାଡ ବୈଠକ

ୱାଶିଂଟନ ଡିସି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏଠାରେ ପ୍ରଥମ ଥର ପାଇଁ ଶାରୀରିକ ଭାବରେ କ୍ୱାଡ ବୈଠକରେ ସାମିଲ ହୋଇଥିଲେ। ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଉଦଘାଟନି ଅଭିଭାଷଣରେ କହିଥିଲେ ଯେ କ୍ୱାଡ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ଓ ସମୁଦାୟ ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବ। ତାଙ୍କର ସଂକ୍ଷିପ୍ତ ଉଦଘାଟନି ଅଭିଭାଷଣରେ ମୋଦି କହିଥିଲେ, କ୍ୱାଡ ବିଶ୍ୱସ୍ତରରେ ଭଲ କରିବାକୁ ଏକ ଶକ୍ତି ଭାବରେ କାର୍ଯ୍ୟ କରିବା ନେଇ ତାଙ୍କର ବିଶ୍ୱାସ ରହିଛି। ୨୦୦୪ ସୁନାମି ପରେ ଏହି ବୈଠକ ପ୍ରଥମ ଥର ପାଇଁ ଶାରୀରିକ ଉପସ୍ଥିତିରେ ଅନୁଷ୍ଠିତ ହେଉଛି। ସାରା ବିଶ୍ୱ କୋଭିଡ-୧୯ ବିରୁଦ୍ଧରେ ଲଢେଇ କରୁଥିବାବେଳେ କ୍ୱାଡ ସଦସ୍ୟ ରାଷ୍ଟ୍ରଗୁଡିକ ପୁନର୍ବାର ମାନବୀୟ କାରଣ ପାଇଁ ପୁଣି ଏକତ୍ରିତ ହୋଇଛନ୍ତି। କ୍ୱାଡର ଟିକାକରଣ ପ୍ରୟାସ ଭାରତ-ପ୍ରଶାନ୍ତ ମହାସାଗର ରାଷ୍ଟ୍ରଗୁଡିକୁ ବିଶେଷ ଭାବରେ ସହାୟକ କରିବ।
କ୍ୱାଡ ବୈଠକ ଆୟୋଜନ କରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ, ଜାପାନ, ଭାରତ, ଆମେରିକା ଏବଂ ଅଷ୍ଟ୍ରେଲିଆ ଭଳି ଚାରିଟି ଗଣତାନ୍ତ୍ରିକ ରାଷ୍ଟ୍ରର ଭବିଷ୍ୟତ ପାଇଁ ସମାନ ଦୂରଦୃଷ୍ଟି ରହିଛି ଏବଂ ସେମାନେ କୋଭିଡ-୧୯ ଠାରୁ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ସମାନ ସମସ୍ୟାଗୁଡିକର ମୁକାବିଲା କରିବେ। ଏହି ଅବସରରେ ସେ ପ୍ରତ୍ୟେକ କ୍ୱାଡ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କ ପାଇଁ ଆମେରିକାରେ ଅଗ୍ରଣୀ ଷ୍ଟେମ ପାଠ୍ୟକ୍ରମରେ ଆଡଭାନ୍ସଡ ଡିଗ୍ରୀ ନିମନ୍ତେ ବୃତ୍ତି ପ୍ରଦାନ ବିଷୟ ଘୋଷଣା କରିଥିଲେ। ଏକ ଅବାଧ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ଦର୍ଶାଇ ଜାପାନ ପ୍ରଧାନମନ୍ତ୍ରୀ ସୁଗା କହିଥିଲେ, ସେମାନଙ୍କର ପାରସ୍ପରିକ ସହଯୋଗ ଏ କ୍ଷେତ୍ରରେ ସହାୟକ ହୋଇପାରିବ। ଅନ୍ୟପକ୍ଷରେ ଏହି ଚାରିଟି ରାଷ୍ଟ୍ରର ମେଣ୍ଟ ଅନ୍ୟ ରାଷ୍ଟ୍ରକୁ ନିଜର ଲକ୍ଷ୍ୟ ନବନାନ୍ତୁ ବୋଲି ଚୀନ କହିଛି। କ୍ୱାଡ ବୈଠକ ଆରମ୍ଭର ଯଥେଷ୍ଟ ପୂର୍ବରୁ ଚୀନ ପକ୍ଷରୁ କୁହାଯାଇଛି ଯେ ଯଦି ଏଭଳି କରାଯାଏ ତେବେ ସେଥିପ୍ରତି କାହାର ସମର୍ଥନ ମିଳିବ ନାହିଁ ଏବଂ ତାହା ବିଫଳ ହେବ।

Comments are closed.