www.samajalive.in
Friday, December 5, 2025
17.1 C
Bhubaneswar

ବାଲେଶ୍ୱରରେ ସୁଧୁରିଛି ସ୍ଥିତି : ଆଜିଠୁ ସହରରେ ସ୍ୱାଭାବିକ ହେବ ମୋବାଇଲ ଇଣ୍ଟରନେଟ ସେବା

ବାଲେଶ୍ୱର : ଗୋଷ୍ଠୀ କନ୍ଦଳରୁ ବାଲେଶ୍ବର ସହରରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର କ୍ରମାଗତ ସୁଧାରକୁ ଦୃଷ୍ଟିରେ ରଖି ପ୍ରଶାସନ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରି ଚାଲିଛି। ସପ୍ତମ ଦିନରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ସହର ଅବସ୍ଥା ସ୍ବାଭାବିକ ଅଭିମୁଖେ ଯାଉଥିବା ଦେଖି ପ୍ରଶାସନ ରବିବାର କର୍ଫ୍ୟୁ କୋହଳର ନୂତନ ମାର୍ଗଦର୍ଶିକା ଜାରି କରିଛି। ପୂର୍ବ ଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ସ୍ଥିତିର ଲଗାତର ସୁଧାରକୁ ଗୁରୁତ୍ବ ଦେଇ ଆଜିଠାରୁ କର୍ଫ୍ୟୁ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ କଲେଜ ଖୋଲିବ। ତେ​‌ବେ ଟାଉନ ଥାନା ଅଞ୍ଚଳରେ ସକାଳରୁ ସ୍କୁଲ ଆରମ୍ଭ ହୋଇ ଅପରାହ୍ଣ ୨ଟା ପୂର୍ବରୁ ଛୁଟି ହେବ ବୋଲି ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସେହିଭଳି ସହର​‌ରେ ଫେରୁଥିବା ସ୍ବାଭାବିକ ଅବସ୍ଥାକୁ ପ୍ରତିଦିନ ପରଖିବା ପରେ ବନ୍ଦ ରହିଥିବା ମୋବାଇଲ ଫୋନ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୃହ ବିଭାଗ ସହ ଆଲୋଚନା ହୋଇଛି। ଆଜିଠାରୁ ମୋବାଇଲ ଫୋନ ଇଣ୍ଟରନେଟ୍‌ ସେବା ଚାଲୁ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସହରର ପ୍ରତ୍ୟେକ ଅଞ୍ଚଳରେ ଥିବା ସ୍ଥାନୀୟ କମିଟି ସହ ପ୍ରଶାସନର ପ୍ରତିନିଧି ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ଜାରି ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ସହରର ସ୍ଥିତିର ଉନ୍ନତି ଘଟି ଚାଲିଥିବାବେଳେ ଖୁବ ଅଳ୍ପଦିନ ମଧ୍ୟରେ ଅବସ୍ଥା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପୁଲିସ ଓ ସୁରକ୍ଷା ବଳ ୨୪ ଘଣ୍ଟିଆ ସଜାଗ ରହିଥିବାବେଳେ ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫଦାରି ବି ଜାରି ରହିଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି ଯେ ଅଦ୍ୟାବଧି ୨୧ଟି ମାମଲା ରୁଜୁ ହେବା ସହ ୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ କହିଥି;ଲେ ଯେ କିଛି ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି। ମୋବାଇଲ ଫୋନ ଇଣ୍ଟରନେଟ୍‌ ସେବା ଚାଲୁ ହେବାକୁ ଯାଉଥିବାବେଳେ ସୋସିଆଲ ମିଡିଆରେ ଗୁଜବ ପ୍ରଚାରର ଆଶଙ୍କା ରହିଛି। ଏହାକୁ ବିଶ୍ବାସ ନ କରି ପ୍ରଥମେ ପୁଲିସକୁ ସୂଚନା ଦେବା ପାଇଁ ଏସପି ଶ୍ରୀମତୀ ନାଥ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହା ଦ୍ବାରା ସହଜରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି। ସମସ୍ତଙ୍କ ସହଯୋଗରେ ଭାଇଚାରା ସହର ବାଲେଶ୍ବରର ପୂର୍ବ ଅବସ୍ଥା ଫେରି ଆସିବ ବୋଲି ଏସପି ଆଶା ପ୍ରକାଶ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories