ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ନିଜସ୍ୱ କାର୍ଯ୍ୟକ୍ରମ ଲାଗୁ କରାଯାଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରଶାସନକୁ ଲୋକାଭିମୁଖୀ କରାଯିବାକୁ ପ୍ରଯତ୍ନ କରାଯାଉଛି। ସେସବୁର ସଫଳତା ପରେ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ଜନପ୍ରତିନିଧିମାନଙ୍କ ଯୋଗଦାନ ସୁନିଶ୍ଚିତ କରି ବ୍ଲକର ସମୁଚିତ ବିକାଶ ପାଇଁ ଆଜି ଆରମ୍ଭ କରାଯାଇଛି ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମ। ଏଥିପାଇଁ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ସମ୍ମିଳନୀ କକ୍ଷରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏକ ନିରାଡମ୍ବର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରୱାନ, ମନରେଗା ଅମ୍ବୁଡସମେନ୍‍ ପରଂବ୍ରହ୍ମ ଯୋଷୀ, ଜିଲ୍ଲା ମନରେଗା ସଂଯୋଜକ ପାର୍ବତୀ ପଟ୍ଟନାୟକ, ମନରେଗା ଜିଲ୍ଲା ସାମାଜିକ ସମୀକ୍ଷକ ଶଶାଙ୍କ ଶେଖର ଭୋଇ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଅତିରିକ୍ତ ମନରେଗା କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଏହି କାର୍ଯ୍ୟକ୍ରମରେ ନବ ୨୬ଗୋଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଜିକୁ ଦୁଇବର୍ଷ ହେଲା କରୋନା ଯୋଗୁଁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା ବର୍ତ୍ତମାନ ଏହାକୁ ପୁଣି ଥରେ ଆରମ୍ଭ କରାଯାଇଛି। ଏଥର ବ୍ଲକ ଓ ପ୍ରତ୍ୟେକ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ସରପ ଓ ସମିତି ସଦସ୍ୟମାନଙ୍କୁ ଆଜି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷିରେ ବ୍ଲକ ପ୍ରଶାସନର ନିଜସ୍ୱ ଅଭିଯାନ ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ଏହାର ଶୁଭ ଉଦଘାଟନ ମଧ୍ୟ ଅତିଥିଙ୍କ ଉପସ୍ଥିତିରେ ହୋଇଯାଇଛି। ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତରେ ଥିବା ଗାଁ ମାନଙ୍କର ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟ କରିବ। ଏଥିପାଇଁ ବ୍ଲକ ପ୍ରଶାସନର ଏକ ଟିମ୍‍ ରହିବ ଓ ଏହି ଟିମ୍‍ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ବିଭିନ୍ନ ପ୍ରକାର ଅସୁବିଧାକୁ ଅବଲୋକନ କରିବ।

prayash

ଆସନ୍ତା ଛଅ ମାସ ମଧ୍ୟରେ ପ୍ରତି ପଂଚାୟତରେ ଗୋଟିଏ ଆଦର୍ଶ ଗ୍ରାମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ଯେଉଁଠି ଲୋକଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହୋଇପାରିବ। ଏହାସହିତ କିଛି ଆଖିଦୃଶିଆ, ସ୍ଥାୟୀ ଓ ନୂଆ ସଂଶାଧନ ସୃଷ୍ଟି କରାଯିବ। ପଂଚାୟତ କାର୍ଯ୍ୟାଳୟରେ ପ୍ରତି ମଙ୍ଗଳବାର ଦିନ ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣି ସୁନିଶ୍ଚିତ କରାଯିବା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ।ଭୌଗଳିକ ଦୃଷ୍ଟିକୋଣରୁ ଅପହଂଚ ଓ ଦୁର୍ଗମ ଗାଁଗୁଡିକରେ ଗାଁକୁ ଚାଲ ଅଭିଯାନ ଜରିଆରେ ଜନ ଅଭିଯୋଗ ଶୁଣାଣି କରାଯାଇ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ।ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯିବ ‘ଜଳ ସଂପର୍କ ଅଭିଯାନ’। ଏହାରି ଜରିଆରେ ଜଳ ସମସ୍ୟା ଥିବା ଗାଁ ଓ ଅଂଚଳ ଚିହ୍ନଟ କରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ ସହିତ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ପାନୀୟ ଜଳ ସଙ୍କଟ ଥିବା ଅଂଚଳ ପାଇଁ ବୁଲିବ ‘ଜଳ ସଂପର୍କ ରଥ।’ ଯାହା ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସଶକ୍ତ କରାଯିବା ସହିତ ସରକାରଙ୍କ ଦ୍ୱାରା ଜାରି ରହିଥିବା ଜୀବନଜୀବିକା କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କୁ ଏକ ଯୋଗସୂତ୍ର ଭାବେ ପରିଣତ କରାଯିବ। ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ ଓ ଶିକ୍ଷିତ କରିବାରେ ସେମାନେ ଗୁରୁଦାୟିତ୍ୱ ବହନ କରିବେ। ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମରେ ଲୋକଙ୍କୁ ଉପକୃତ କରିବାକୁ ବିଭିନ୍ନ ସରକାରୀ ବିଭାଗ ସହିତ ଖୋଲାଖୋଲି ଆଲୋଚନା, ମତ ବିନିମୟ ଓ ମିଳିତ ବୈଠକ ଉପରେ ଗୁରୁତ୍ୱ ଦିଆଯିବ। ଦାଦନ ସମସ୍ୟା ରୋକିବାକୁ ତଥା ଲୋକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇଦେବାକୁ ବ୍ଲକ ପ୍ରଶାସନର ନିଜସ୍ୱ କାର୍ଯ୍ୟକ୍ରମ ‘ମିଶନ ସୂର୍ଯ୍ୟୋଦୟ’କୁ ବ୍ୟାପକ କରାଯିବ।ପ୍ରତି ମାସରେ ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ପଦକ୍ଷେପ ନିଆଯିବ। ପଂଚାୟତର ନିଜସ୍ୱ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା ସହିତ ସ୍ଥାୟୀ ସଂଶାଧନ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ। ପଂଚାୟତର ସମସ୍ତ ଉନ୍ନତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ସରପଂଚ ଓ ସମିତିସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ମାସକୁ ଦୁଇଥର ପରସ୍ପର ମତବିନିମୟ କରାଯିବ। ପଂଚାୟତରେ ଥିବା ସମସ୍ତ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ସରପଞ୍ଚ ଦୃଷ୍ଟିପାତ କରିବେ। ଯୁବବର୍ଗଙ୍କୁ ମାର୍ଗଦର୍ଶନ ସହିତ ସ୍ୱେଚ୍ଛାକୃତ ଭାବେ ସେମାନଙ୍କୁ ସାମୁହିକ କାର୍ଯ୍ୟରେ ଯୋଗଦାନ ପାଇଁ ଉତ୍ସାହିତ କରାଯିବ। ଆବଶ୍ୟକସ୍ଥଳେ ଛଅମାସରେ ଥରେ ସେମାନଙ୍କ କ୍ୟାରିୟର କାଉନସେଲିଂ ପାଇଁ ପଦକ୍ଷେପ ନିଆଯିବ। ବିଭିନ୍ନ ବର୍ଗ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଦଶଜଣିଆ ମୋ ପଂଚାୟତ ପରାମର୍ଶଦାତା କମିଟି ଗଠନ କରାଯିବ। ପଂଚାୟତର ସାମୂହିକ ଉନ୍ନତି ପାଇଁ ସେମାନଙ୍କ ପରାମର୍ଶ ନିଆଯିବା ସହିତ କମିଟି ସଦସ୍ୟ ନିୟମିତ ଅନ୍ତରରେ ମୋ ପଂଚାୟତ କାର୍ଯ୍ୟକ୍ରମର ସମୀକ୍ଷା, ଅନୁଧ୍ୟାନ ଓ ପରାମର୍ଶ ଦେବେ।

kalyan agarbati

Comments are closed.