ହାମିଲଟନ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ପ୍ରଥମ ମହିଳା କ୍ରିକେଟରଭାବେ ୨୦୦ ଦିନିକିଆ ମ୍ୟାଚ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଶୁକ୍ରବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜର ୩ୟ ମ୍ୟାଚ ଖେଳିବା ଅବସରରେ ମିତାଲି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲିଙ୍କ ପଛକୁ ଇଂଲଣ୍ଡର ଚାର୍ଲୋଟ୍ ଏଡ୍ୱାର୍ଡସ ୨ୟ (୧୯୦) ଓ ଭାରତର ଝୁଲଣ ଗୋସ୍ବାମୀ (୧୬୬) ୩ୟ ସ୍ଥାନରେ ରହିଛନ୍ତି। ୩୬ ବର୍ଷୀୟା ମିତାଲି ୧୯୯୯ରେ ଆୟରଲାଣ୍ଡ ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ୨୦୦ ଦିନିକିଆ ଖେଳି ୫୧.୩୩ ହାରରେ ୬୬୨୨ ରନ ସ୍କୋର କରିଛନ୍ତି। ଏଥିମଧ୍ୟରେ ୭ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆ ଫର୍ମାଟରେ ମହିଳା କ୍ରିକେଟରଭାବେ ମିତାଲି ସର୍ବାଧିକ ରନ ସ୍କୋର କରିଥିବାବେଳେ ସର୍ବାଧିକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ମୋଟ ୨୬୩ଟି ଦିନିକିଆ ଖେଳିଥିବାବେଳେ ମିତାଲି ସର୍ବାଧିକ ୨୦୦ଟି ମ୍ୟାଚରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ପୁନଶ୍ଚ ଦିନିକିଆରେ ଅଧିନାୟିକାଭାବେ ମିତାଲି ସର୍ବାଧିକ ୧୨୩ଟି ମ୍ୟାଚରେ ଦଳର ନେତୃତ୍ବ ନେଇଥିବାବେଳେ ତାଙ୍କ ପଛକୁ ଇଂଲଣ୍ଡ ଅଧିନାୟିକା ଚାର୍ଲୋଟ୍ ଏଡ୍ୱାର୍ଡସ (୧୧୭) ୨ୟ ସ୍ଥାନରେ ରହିଛନ୍ତି। ମିତାଲି ଭାରତ ପକ୍ଷରୁ ୧୦ଟି ଟେଷ୍ଟ ଓ ୮୫ଟି ଟ୍ବେଣ୍ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ମିତାଲିଙ୍କ ଆନ୍ତର୍ଜାତିକ କ୍ୟାରିୟର ସବୁଠାରୁ ଅଧିକ ସମୟ ହୋଇଥିବାବେଳେ ମୋଟ ଉପରେ ସେ ସଚିନ ତେନ୍ଦୁଲକର, ସନଥ୍ ଜୟସୁରିଆ ଓ ଜାଭେଦ ମିଆଁଦାଦଙ୍କ ପରେ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।
Popular Categories



