ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ଏଫଏମଟି ଡାକ୍ତର

0

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବୁଧବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ଆନନ୍ଦ ଚନ୍ଦ୍ର ମହାରଣାଙ୍କ ଇଜଲାସରେ ଏସସିବି ମେଡ଼ିକାଲ କଲେଜ ଏଫଏମଟି ବିଭାଗ ଡାକ୍ତର ଆର. ସ୍ୱାଇଁ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ମୁଦାଲାକୁ ଡାକ୍ତରୀ ମାଇନା କରିବା ସମୟରେ ତାଙ୍କ ପିନ୍ଧା ଲୁଙ୍ଗିରୁ କିଛି ଦାଗ ଚିହ୍ନ ମିଳିଥିଲା ବୋଲି ସେ କହିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି। ଗତକାଲି ସାଲେପୁର ମେଡ଼ିକାଲର ଡାକ୍ତର ଏସ୍‍ ଜାଡୋରିଆ, ପୀଡିତାଙ୍କ ଶବବ୍ୟବଚ୍ଛେଦ କରିଥିବା ଡାକ୍ତର ଅମରେନ୍ଦ୍ର ନାୟକଙ୍କ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାଲେପୁର ପୁଲିସ ପକ୍ଷରୁ ଗତ ୧୧ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍‍ଙ୍କ ବିରୋଧରେ ପାଖାପାଖି ୫୦୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ ହୋଇଥିଲା। ଏହି ଚାର୍ଜସିଟରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୦୨, ୩୬୩, ୩୭୬-ଏବି, ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକସୁଆଲ ଅଫେନସେସ୍‍ ଆକ୍ଟ-୨୦୧୨ର ସେକସନ ୬ ଏବଂ କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଅଡିନାନ୍‍ସ ୨୦୧୮ ଅନୁଯାୟୀ ଏହି ଧାରାରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ତେବେ ଏହି ମାମଲାରେ ସମୁଦାୟ ୪୬ଜଣ ସାକ୍ଷୀ ରହିଛନ୍ତି। ଏପ୍ରିଲ ୨୧ ତାରିଖରେ ନାବାଳିକା ସହ ଦୁଷ୍କର୍ମ କରାଯାଇଥିବାବେଳେ ଏପ୍ରିଲ ୨୯ତାରିଖରେ ପୀଡିତା ଆଖି ବୁଜିଦେଇଥିଲା। ଏପ୍ରିଲ ମାସ୨୨ତାରିଖରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave A Reply