ସରିଲା ଅସ୍ତ୍ରବିରତି; ଏଥର ଆତଙ୍କବାଦୀ ନିପାତ ଅଭିଯାନ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଅସ୍ତ୍ରବିରତି ଅବଧି ସମାପ୍ତ ହୋଇଛି। ଏହାପରେ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
ପବିତ୍ର ରମ୍ଜାନ୍ ପାଇଁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଓ ସୀମାନ୍ତରେ ଅସ୍ତ୍ରବିରତି ପାଇଁ ସେନା ଓ ସୁରକ୍ଷା ବାହିନୀଙ୍କୁ ନିର୍ଦେଶ ଦେଇଥିଲେ। ଏହାର ସୁଯୋଗ ନେଇ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭାରତରେ ହିଂସାକାଣ୍ଡ ଭିଆଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରୁ ଇତିମଧ୍ୟରେ ପାକ୍ ଆତଙ୍କବାଦୀ ଗୁଳିରେ ୨୫ ଯବାନ ଓ ୫୦ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ସୀମାନ୍ତରୁ ହଜାର ହଜାର ଲୋକ ଗାଁ ଛାଡ଼ି ଦୂର ସ୍ଥାନକୁ ଚାଲିଯାଇଛନ୍ତି। ଏଣୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ରେ ଅସ୍ତ୍ରବିରତି ଅବଧି ସମାପ୍ତ ବିଷୟରେ ଉଲ୍ଳେଖ କରିବା ସହିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି କହିଛନ୍ତି।
ରମ୍ଜାନ୍ ପାଇଁ ଭାରତ ବିପକ୍ଷରେ ଅସ୍ତ୍ରବିରତି ଓ ସୀମାରେ ଶାନ୍ତି ପାଇଁ ପାକିସ୍ତାନ ସହମତ ହୋଇଥିଲା। ଏହି ମର୍ମରେ ଭାରତ ଓ ପାକ୍ ଉଚ୍ଚ ସେନା ଅଧିକାରୀଙ୍କ ମଧ୍ୟରେ ଦୁଇ ଦୁଇ ଥର ଆଲୋଚନା ହୋଇଥିଲା। କିନ୍ତୁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରି ସୀମାରେ ଭାରତୀୟ ସେନା ଓ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଗୋଳା ବର୍ଷଣ ଜାରି ରଖିଥିଲା। ଭାରତୀୟ ସେନା ଓ ସୁରକ୍ଷାକର୍ମୀଙ୍କ ଅସ୍ତ୍ରବିରତି ଘୋଷଣାର ସୁଯୋଗ ନେଇ ପାକ୍ ପ୍ରାୟୋଜିତ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲେ। ଚଳିତ ସପ୍ତାହରେ ଜମ୍ମୁରେ ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରି ଓ ଜଣେ ବିଏସ୍ଏଫ୍ ଯବାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଥିଲା।
ଦ୍ୱିପାକ୍ଷିକ ଶାନ୍ତି ସହାବସ୍ଥାନ ପାଇଁ ଅସ୍ତ୍ରବିରତି ଚୁକ୍ତି ସହାୟକ ହୋଇପାରିବ ବୋଲି ଭାରତ ସରକାର ଆଶା କରିଥିଲେ। କିନ୍ତୁ ପାକିସ୍ତାନ ଏହାକୁ ବିପରୀତ ଢଙ୍ଗରେ ବ୍ୟବହାର କରିଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ଅସ୍ତ୍ରବିରତି ସମୟରେ ସେନା ଓ ସୁରକ୍ଷା କର୍ମୀଙ୍କ ଧୈର୍ଯ୍ୟକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରଶଂସା କରିଛନ୍ତି।