ହଟିଯାଉ ଯୁଦ୍ଧ ବାଦଲ ; ଭାରତ ଶାନ୍ତିଦୂତ ଭୂମିକା ନିର୍ବାହ କରୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୮ ମେ’ ୮ ତାରିଖରେ ଇରାନ୍‌ ସହ ହୋଇଥିବା ଆଣବିକ ଚୁକ୍ତିରୁ ଓହରିଯିବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ୨୦୨୦ ଜାନୁଆରୀ ୩ ତାରିଖରେ ଚରମସୀମାରେ ପହଞ୍ଚିଲା। ‘ଜେନେରାଲ ଅଟୋମେଟିକ୍ସ’ ଦ୍ବାରା ନିର୍ମିତ ‘ରିପର୍‌ ଡ୍ରୋନ୍‌’ରୁ ଲେଜର ପରିଚାଳିତ ମିଜାଇଲ ପ୍ରୟୋଗ କରି ଇରାନ୍‌ର କ୍ଷମତାଶାଳୀ ଜନପ୍ରିୟ ସେନା କମାଣ୍ଡର ଜେନେରାଲ କାସିମ ସୁଲେମାନିଙ୍କୁ ବାଗଦାଦ ବିମାନ ବନ୍ଦର ନିକଟରେ ଆମେରିକା ନିର୍ମମ ହତ୍ୟା କରିବା ପରେ ଇରାନ୍‌ର ସର୍ବମାନ୍ୟ ନେତା ଆୟାତୋଲ୍ଲା ଖୋମିନି ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ହୁଙ୍କାର ଦେଇଛନ୍ତି। ସୁଲେମାନିଙ୍କୁ କବର ଦିଆଯିବାର ମାତ୍ର କିଛିଘଣ୍ଟା ପରେ ଜାନୁଆରୀ ୮ ତାରିଖ ରାତି ୧.୩୦ ମିନିଟରେ ଇରାନ ସେନା ଇରାକରେ ଥିବା ଆମେରିକା ସେନାଘାଟି ଉପରେ ୨୨ଟି ମିଜାଇଲ ଆକ୍ରମଣ କରିଛି। ପୁଣି ୨୦୨୦ ଜାନୁଆରୀ ୧୨ ତାରିଖରେ ଇରାକର ଉତ୍ତର ବାଗଦାଦଠାରୁ ୮୦ କିମି ଦୂର ଆମେରିକାର ସାମରିକ ଘାଟି ଉପରେ ୮ଟି ମୋର୍ଟାର ଆକ୍ରମଣ ହୋଇଛି। ଏହିସବୁ ଘଟଣା ପରେ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର କଳାବାଦଲ ଢାଙ୍କି ହୋଇରହିଛି। ଏହା ବିଶ୍ବ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି। ଷ୍ଟକ୍‌-ବଜାରଗୁଡ଼ିକରେ ହ୍ରାସ ଧାରା ଜାରି ରହିବା ସହ ସୁନା ଓ ତୈଳଦର ବୃଦ୍ଧି କାରଣରୁ ସମଗ୍ର ବିଶ୍ବ ଆଜି ପ୍ରଭାବିତ।

ଆମେରିକା ଉପସାଗରୀୟ କ୍ଷେତ୍ରରେ ନିଜର ସାମରିକ କ୍ଷମତାକୁ ଜାହିର କରିବାକୁ ସବୁବେଳେ ଚେଷ୍ଟିତ। ଏହାର ପ୍ରଚ୍ଛଦପଟ କାରଣ ହେଉଛି- ‘ଆମେରିକୀୟ ଡଲାର’ ବନାମ ‘ପେଟ୍ରୋ-ଡଲାର’। ଉପସାଗରୀୟ କ୍ଷେତ୍ରରେ ଥିବା ଦେଶଗୁଡ଼ିକ ତୈଳ ସମ୍ପଦରେ ବଳୀୟାନ, ଆମେରିକା ସାମରିକ ଶକ୍ତି ଓ ପ୍ରଯୁକ୍ତିରେ ସମୃଦ୍ଧ।

ଯୁଦ୍ଧର ସଂଜ୍ଞା ସମୟକ୍ରମେ ବଦଳିବାରେ ଲାଗିଛି। ବିଂଶ ଶତାବ୍ଦୀରେ ରାଜନୈତିକ କାରଣ, ଗୋଷ୍ଠୀ ବିବାଦ ଯୁଦ୍ଧକୁ ଖୋରାକ୍‌ ଯୋଗାଉଥିଲାବେଳେ ଏକବିଂଶ ଶତାବ୍ଦୀରେ ଏହାର ପରିଭାଷା ବଦଳିଯାଇଛି। ଏବେ ଦୁଇରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗିଲେ ସମଗ୍ର ବିଶ୍ବ ହେଉଛି ଆକ୍ରାନ୍ତ। ପୁଣି ବେଳେବେଳେ ବିଶ୍ବ କୂଟନୀତି ଓ ଜାତୀୟ ରାଜନୈତିକ ସ୍ବାର୍ଥ ସାଧନର ଲକ୍ଷ୍ୟ ନେଇ ଯୁଦ୍ଧର ଖେଳ ଖେଳାଯାଇଥାଏ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବିରୋଧରେ ଲାଗିଥିବା ମହାଅଭିଯୋଗ ପ୍ରସ୍ତାବ ଉପରୁ ଦେଶବାସୀଙ୍କ ନଜର ହଟାଇବା ଏବଂ ଚଳିତବର୍ଷ ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାଲାଗି ଏପରି ଯୁଦ୍ଧର ବାତାବରଣ ସୃଷ୍ଟି କରିଛନ୍ତି ବୋଲି ମତ ପ୍ରକାଶ ପାଇଛି। ଏଭଳି ଆଶଙ୍କା ସମ୍ପୂର୍ଣ୍ଣ ଅମୂଳକ ହୋଇନପାରେ। ଆମେରିକା ଉପରାଷ୍ଟ୍ରପତି, ପରରାଷ୍ଟ୍ର ସଚିବ, ପ୍ରତିରକ୍ଷା ସଚିବ ସଂଯମ ଆଚରଣ କରିବାକୁ ଟ୍ରମ୍ପଙ୍କୁ ପରାମର୍ଶ ଦେଇଛନ୍ତି। ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଯୁଦ୍ଧସ୍ଥିତି ନ ବଢ଼ାଇବାକୁ ଚାପ ଜାରି ରଖିଛନ୍ତି। ଇରାନ ତା’ର ଦୁର୍ବଳ ଅର୍ଥନୀତି କାରଣରୁ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧକୁ ଏଡ଼ାଇବା ପାଇଁ ଆଗ୍ରହ ଦେଖାଇଛି। ତଥାପି ଯୁଦ୍ଧ ବାଦଲ ଏବେ ମଧ୍ୟ ଘୋଟି ରହିଛି। ଇରାନର ସମସ୍ତ ଆଣବିକ ପରୀକ୍ଷାଗାର ଉପରେ ଆମେରିକାର ନଜର ରହିଥିଲାବେଳେ ଜାନୁଆରୀ ୮ ତାରିଖରେ ଆମେରିକାକୁ ଜବାବ ଦେବା ଉଦ୍ଦେଶ୍ୟରେ ଇରାନ ଆଣବିକ ପରୀକ୍ଷଣ କରିଥିବା କେତେକ ଆଣବିକ ବିଜ୍ଞାନୀ ମତ ଦିଅନ୍ତି, ମାତ୍ର ଏହାର ସତ୍ୟତା ପ୍ରତିପାଦିତ ହୋଇପାରିନାହିଁ। ଅପରପକ୍ଷେ ଜାତିସଂଘ ମହାସଚିବ ଦୁଇ ଦେଶ ମଧ୍ୟରେ ସୃଷ୍ଟ ଏଭଳି ଉତ୍ତେଜନାକୁ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।

prayash

ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ଭିତରେ ବିଧ୍ବଂସକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ପ୍ରତିଯୋଗିତା ଲାଗି ରହିଛି। ନିଜର ପ୍ରଭାବ ଓ ଶକ୍ତି ପ୍ରଦର୍ଶନ କରିବା କ୍ଷେତ୍ରରେ ପ୍ରାୟ ସମସ୍ତ ଦେଶ ଯେମିତି ଧ୍ବଂସ ସ୍ତୂପ ଉପରେ ଦଣ୍ଡାୟମାନ ହେବାକୁ ପ୍ରସ୍ତୁତ। ଗୋଟିଏ ପଟେ ଶାନ୍ତିର କଥା କହୁଥିଲାବେଳେ ନୀତି ଓ ନୈତିକତାକୁ ହରାଇ ନିଜର ପ୍ରଭାବ ଓ ଶକ୍ତି ପ୍ରଦର୍ଶନ କରିବାକୁ ପରମାଣୁ ବୋମା, ଉଦ୍‌ଜାନ ବୋମା, ଜୈବିକ ଅସ୍ତ୍ରରେ ସଜ୍ଜିତ ଦେଶଗୁଡ଼ିକ ନିଜର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇବା ସହ ଯୁଦ୍ଧର ମୁକାବିଲା କରିବାକୁ ଅଧିକ ଆଗଭର ହୋଇ ଉଠିଛନ୍ତି। ଯୁଦ୍ଧଖୋର ଓ ନିଜକୁ ଅନ୍ୟଠାରୁ ଅଧିକ ଶକ୍ତିଶାଳୀ ପ୍ରଦର୍ଶନ କରିବାକୁ ପ୍ରତିଯୋଗୀ ମନୋଭାବ ଆଜି ବିଶ୍ବକୁ ହିଂସାର ତାଣ୍ଡବ ଓ ରକ୍ତର ହୋରି ଖେଳ ଖେଳିବାକୁ ଯୋଗାଉଛି ପ୍ରୋତ୍ସାହନ। ମନେହେଉଛି, ଆଖି ଖୋଲିବା ବେଳକୁ ହୁଏତ ଧ୍ବଂସର ତାଣ୍ଡବ ଦେଖିବାକୁ ଆମେ ଧରାପୃଷ୍ଠରେ ନଥାଇପାରୁ। ଏଣୁ ଏଭଳି ସ୍ଥିତିରେ ଯଦି ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆଉ ଏକ ବିଶ୍ବଯୁଦ୍ଧ ନ ହେବ, ସେଇ କଥା କିଏ କହିବ ?

ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ରୂପାନ୍ତରିତ ହେଲେ ଉଭୟ ଦେଶର ଆଣବିକ ତଥା ଯୁଦ୍ଧ ସାମର୍ଥ୍ୟ ଏହାକୁ ଅତ୍ୟନ୍ତ ବିପଜ୍ଜନକ, ମାରାତ୍ମକ ଯୁଦ୍ଧରେ ପରିଣତ କରିବ। ତୈଳଦର ବୃଦ୍ଧି ଘଟିବ ଯାହାକି ଜୀବନଧାରଣର ପ୍ରତିଟି ସୂତ୍ର ସହ ଦୃଶ୍ୟ ଓ ଅଦୃଶ୍ୟ ଭାବେ ସଂଯୁକ୍ତ; ବିଶ୍ବ ଅର୍ଥନୀତିକୁ ଆହୁରି ସଙ୍କଟକୁ ଠେଲିଦେବ। ଅତଏବ ଉତ୍ତେଜନା ହ୍ରାସ ପାଇବ। ଏଥିପାଇଁ ବିଭିନ୍ନ ଦେଶ ଆନ୍ତରିକ ଉଦ୍ୟମ କରିବା ନିହାତି ଜରୁରୀ। ଭାରତ ହେଉଛି ଇରାନର ପୁରାତନ ବନ୍ଧୁ ଏବଂ ଆମେରିକାର ବନ୍ଧୁରାଷ୍ଟ୍ର। ଉଭୟ ଦେଶ ସହ ଭାରତର ସାମରିକ, ଆର୍ଥିକ ଓ କୂଟନୈତିକ ସମ୍ପର୍କ ଦୃଢ଼ ରହିଛି। ଏପରି ସ୍ଥିତିରେ ଭାରତ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଆରମ୍ଭ କରୁ ବୋଲି ଆମେରିକା ଓ ଇରାନର ନେତୃବୃନ୍ଦ ଚାହାନ୍ତି। ଉଭୟ ଦେଶ ଭାରତ ଉପରେ ଆସ୍ଥା ଓ ବିଶ୍ବାସ ରଖିଥିବାବେଳେ ଯଦି ମଧ୍ୟ-ପ୍ରାଚ୍ୟ ସମସ୍ୟାକୁ ଭାରତ ସମାଧାନ କରିଦିଏ; ଭବିଷ୍ୟତରେ ବିଶ୍ବରେ ଯେତେ ସମସ୍ୟା ଥିଲେ ମଧ୍ୟ ଭାରତ ସେଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାରେ ସମର୍ଥ ହୋଇପାରିବ ଆଶା କରାଯାଏ।

 

ଶରତ ମହାପାତ୍ର    

 (ଭାରତୀୟ ସେନାର ଅବସରପ୍ରାପ୍ତ କ​‌େ​‌ର୍ଣ୍ଣଲ),ଭୁବନେଶ୍ବର-୧୫

kalyan agarbati

Comments are closed.