ବିଦ୍ୟାଳୟ ଆସିପାରୁନଥିବା ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ରାସନ
ଉପକୃତ ହେବେ ୩୬୯୪ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଁଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩୬୯୪ ଛାତ୍ରଛାତ୍ରୀ ଉପକୃତ ହେବେ।
ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପିଲାଙ୍କ ପାଖରେ ଶୁଖିଲା ରାସନ୍ ଓ ପାଠ୍ୟପୁସ୍ତକ ପହଞ୍ଚାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନ୍ଏମ୍ ବା ଆର୍ବିଏସ୍କେଙ୍କ ସହାୟତା ନେଇପାରିବେ। ଏହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନ୍ସେଲିଂ ପାଇଁ ନିଆଯିବ। ଏହାସହ ସ୍କୁଲ ଆସିପାରୁନଥିବା ଏହି ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟ ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ (ବିଆର୍ପି), ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ । ସେମାନେ କିଭଳି ପଢୁଛନ୍ତି, ପଢ଼ାରେ କେତେ ଉନ୍ନତି କରୁଛନ୍ତି ଆଦି ସମ୍ପର୍କରେ ପଚାରି ବୁଝିବେ। ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନ୍ସେଲିଂ ମଧ୍ୟ କରାଯିବ।
Comments are closed.