ବଡ଼ମ୍ବା : ଦୀର୍ଘ ବର୍ଷ ବଡ଼ମ୍ବା ଚିନିକଳ ବନ୍ଦ ରହିବା ଏବଂ ଏକ ଘରୋଇ କମ୍ପାନୀ ଏହି ଶିଳ୍ପକୁ ବନ୍ଧକ ପକାଇ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ହଡପ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜନତା ପାର୍ଟି ବଡ଼ମ୍ବା ମଣ୍ଡଳ ତରଫରୁ ନିକଟରେ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ ଦାବି କରାଯାଇଥିଲା। ତେବେ ଏହି ଘଟଣାରେ ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଥିବାରୁ ଦଳ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ପୂର୍ବ ନିଷ୍ପତି ମୁତାବକ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଚିନିକଳର ପୁନଃରୁଦ୍ଧାର ତଥା ଏହି ଶିଳ୍ପକୁ ଢାଲ କରି ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୋମବାର ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ପ୍ରଦାନ କରିଥିବା ଜଣା ଯାଇଛି।
Related Posts
ଏହି ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବଡ଼ମ୍ବା ତଥା ନରସିଂହପୁର ଜନସାଧାରଣଙ୍କର ବିଶେଷ କରି କୃଷକ ମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। ଅନ୍ୟଥା ବଡ଼ମ୍ବା ଭାରତୀୟ ଜନତା ପାର୍ଟି ତରଫରୁ ଆଗାମୀ ମାସ ୨ ତାରିଖରେ ସମୂହ ଗଣଧାରଣା ସହିତ ଏହି ଘଟଣାକୁ ନେଇ ଜନସମ୍ପର୍କ ଓ ଜନଆନ୍ଦୋଳନ କରାଯିବ ବୋଲି ଦଳୀୟ ନେତୃବର୍ଗ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ସନ୍ତୋଷ କୁମାର ବେହେରା, ସରୋଜ କୁମାର ବେଉରା, ଅନିଲ କୁମାର ମହାନ୍ତି, ଜ୍ୟୋତି ବଳବନ୍ତରାୟଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Comments are closed.