www.samajalive.in
Sunday, December 14, 2025
18.1 C
Bhubaneswar

ମୟୁରଭଞ୍ଜ ଜିଲ୍ଲାରେ କୁଆପଥର ବିଧ୍ବଂସ: ଆଜି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଯିବେ ରାଜସ୍ଵ ମନ୍ତ୍ରୀ

ବିଶୋଇ : ଆଖି ଆଗରେ ଉଜୁଡି ଗଲା ଘର , ଉଡିଗଲା ଛାତ, ଭାଙ୍ଗିଗଲା ସବୁ ସ୍ଵପ୍ନ। ମାତ୍ର କିଛି ସମୟ ଭିତରେ ମାଟିରେ ମିଶିଗଲା ସବୁ କିଛି। କୁଆପଥର ମାଡ଼ରେ ଛାରଖାର ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିସ୍ତୃତ ଅଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ। ମାଟିରେ ମିଶିଛି ପରିବା ଚାଷ। ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ। ବିପନ୍ନ ଲୋକେ ଛୁଆ ପିଲାଙ୍କୁ ଧରି ସ୍କୁଲ ବା କାହା ପକ୍କା ଘରେ ମୁଣ୍ଡ ଗୁଞ୍ଜିଛନ୍ତି, ଆଉ ଗୃହପାଳିତ ପଶୁଙ୍କ କଥା କହିଲେ ନସରେ। ପ୍ରକୃତିର କୋପରେ ଯେମିତି ଶ୍ରୀହୀନ ହୋଇପଡ଼ିଛି ଭଞ୍ଜଭୂମି। ମାତ୍ର ଦୁଇ ତିନି ଘଣ୍ଟାରେ ମୟୂରଭଞ୍ଜ ଜିଲା, ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ପାଲଟିଗଲା ଧ୍ୱଂସର ସ୍ତୂପ। ବସନ୍ତ ଋତୁରେ ମାଟି ମା’ ଦେହରେ ନୂଆରଙ୍ଗ ବୋଳି ହେଉଥିବାବେଳେ ସବୁକିଛି ହୋଇଗଲା ରଙ୍ଗହୀନ।
ଗୁରୁବାର ରାତି ପ୍ରାୟ ୭ଟା। ଦୋଳ ପର୍ବକୁ ନେଇ ଆନନ୍ଦ ଓ ଉତ୍ସାହର ବାତାବରଣ ଲାଗି ରହିଥିବାବେଳେ ହଠାତ ବର୍ଷା, ପବନ ଓ କୁଆ ପଥର ମାଡ଼ରେ ସବୁ କିଛି ଓଲଟ ପାଲଟ ହୋଇଗଲା। ବିଶେଷ ଭାବେ ତିନି ଘଣ୍ଟାରୁ ଊର୍ଦ୍ଧ୍ବ କାଳ ବଡ଼ ବଡ଼ କୁଆ ପଥରର ମାଡ଼ ଲାଗି ରହିବାରୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା। ୩/୪ରୁ କେଜି ଓଜନର କୁଆ ପଥର ତୁହାକୁ ତୁହା ପଡ଼ିବାରୁ ସବୁ ଆସବେଷ୍ଟସ, ଟାଇଲ ଓ ଚାଳ ଛପର ଘର ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା। ଟାଇଲ ଓ ଆଜବେଷ୍ଟସ ଭାଙ୍ଗିଯିବାରୁ ଘରେ ପାଣିର ଲହଡ଼ି ଭାଙ୍ଗିଲା। ପ୍ରବଳ ବର୍ଷା ପାଇଁ ଲୋକେ ବାହାରି ନପାରି ପାଣି ଘେରରେ ଭୋକ ଉପାସରେ ରାତି କାଟିଲେ। ଏହା ସାଙ୍ଗକୁ ବିଦ୍ୟୁତ କାଟ ପରିସ୍ଥିତିକୁ ସଙ୍ଗୀନ କରିଦେଲା। ପଥର ମାଡ଼ରେ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତମାନେ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ପ୍ରାୟ ଶହେ ବର୍ଷ ଭିତରେ ଏତେ ବଡ଼ କୁଆ ପଥର ପଡ଼ିଥିବା କେହି କେବେ ଦେଖି ନଥିବା ବୟସ୍କ ଲୋକମାନେ କହିଛନ୍ତି। ପଥର ମାଡ଼ରେ ପ୍ରାୟ ସବୁ ଗଛ ପତ୍ର ଶୂନ୍ୟ ହୋଇଯିବା ସହ ଡାଳ, ଗଣ୍ଡି ଆଦି ଫାଟି ଯାଇଛି। ସେହିପରି ବିଶୋଇ ବ୍ଲକ ଖଡ଼ମବେଡ଼ା ପଞ୍ଚାୟତର ଖଡ଼ମବେଡ଼ା ଗାଁ ସହିତ ସାରସପଦା, ମୂଷାମାରି, ରାଜାବସା, ପୁଣ୍ଡିଦା, କେଶରଗଡ଼଼଼ିଆ, ଦେଓପଟା ଆଦି ଗାଁରେ ପରିସ୍ଥିତ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସେହିପରି ଯୁଡ଼ିଆ, ବିଶୋଇ, ନଙ୍ଗଳବେଣ୍ଟାପୋଖରୀଆ ଆଦି ପଞ୍ଚାୟତରେ ଅନେକ ଗାଁରେ ମଧ୍ୟ ଆଂଶିକ କ୍ଷତି ଘଟିଛି। ଅପରପକ୍ଷରେ ବାଙ୍ଗିରିପୋଷି ବ୍ଲକ ଗୋଲାମୁଣ୍ଢାକଟା ପଞ୍ଚାୟତର ନୂଆବସାଣ, ଅସନା, ହୁଡ଼ିସାହି, ଶାଳବଣି, ନାଇକସାହି, ଅସନାଜୁନା ଗାଁରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ବାଙ୍ଗିରିପୋଷି ପଞ୍ଚାୟତରେ ହାଣଦା, ମହୁଲବରେଇ, ପଣ୍ଡାଶୋଳ, ସାରସପୋଷି ଆଦି ଅଞ୍ଚଳରେ ଅନେକ ଘର ନଷ୍ଟ ହୋଇଛି। ସେହିଭଳି ଶ୍ୟାମସୁନ୍ଦରପୁର, ନାଫ୍ରି, ନିଶ୍ଚିନ୍ତା, ବଣକାଟି ଆଦି ପଞ୍ଚାୟତର ଅନେକ ଗାଁରେ ବହୁ ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ବାଙ୍ଗିରିପୋଷି ବ୍ଲକରେ ୫ ଶହ ଘର ଭାଙ୍ଗିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଥିବାବେଳେ ବେସରକାରୀ ଭାବେ ୮ ଶହରୁ ଊର୍ଦ୍ଧ୍ବ ଘର ଭାଙ୍ଗିଥିବା ଆକଳନ କରାଯାଉଛି। ସେହିପରି ବିଶୋଇ ବ୍ଲକରେ ରିପୋର୍ଟ ଲେଖା ହେବା ବେଳକୁ ସରକାରୀ ଭାବେ ୮ ଶହରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଥିବା ସୂଚନା ମିଳିଛି। ତେବେ ବେସରକାରୀ ଭାବେ ଏହାର ସଂଖ୍ୟା ୧୫ ଶହରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସମୁଦାୟ ଦୁଇଟି ବ୍ଲକରେ ୨ ହଜାରରୁ ଊର୍ଦ୍ଧ୍ବ ଘର ଛପର ଶୂନ୍ୟ ହୋଇଥିବାବେଳେ ୫ ଶହ ଏକରରୁ ଅଧିକ ଜମିର ବିଭିନ୍ନ ପ୍ରକାର ପନିପରିବା ଉଜୁଡ଼ି ଯାଇଛି। କୋବି, ବିଲାତି, ବାଇଗଣ, ବୋଇତାଳୁ, ଭେଣ୍ଡି, ଜହ୍ନି, କଲରା, କାକୁଡ଼ି, କଦଳୀ, ଲଙ୍କା, ପିଆଜ, ପୋଟଳ, ମୁଗ, ବିରି, ବାଦାମ ଆଦି ଚାଷ ସମ୍ପର୍ଣ୍ଣ ଉଜୁଡ଼ି ଯାଇଛି। ବିଶୋଇ ବ୍ଲକର ଖଡ଼ମବେଡ଼ା ପଞ୍ଚାୟତର ହଜାର ହଜାର ଲୋକ ସ୍କୁଲ ଏବଂ ଗୋଷ୍ଠୀ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ଶୁକ୍ରବାର ରାତି ସୁଦ୍ଧା ସମଗ୍ର ଅଞ୍ଚଳ ଅନ୍ଧାରରେ ରହିଛି। ପ୍ରଶାସନ ପକ୍ଷରୁ ସମୂହ ଭୋଜନର ବ୍ୟବସ୍ଥା କରାଯିବା ସହ କିଛି ପରିବାରଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ଆଜି କ୍ଷୟକ୍ଷତିର ଆକଳନ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଶୋଇ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

 

- Advertisement -

 

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories