ପଲ୍ଲୀସଭାରେ ଆଗତ ପ୍ରକଳ୍ପ ମଞ୍ଜୁର ବିଳମ୍ବକୁ ନେଇ ବିବାଦ

0

ବଡ଼ସାହି : ପ୍ରତାପପୁର ପଞ୍ଚାୟତର ହରିପୁର ଗ୍ରାମରେ ଅନୁଷ୍ଠିତ ପଲ୍ଲୀସଭାରେ ଆଗତ ପ୍ରକଳ୍ପ ମଞ୍ଜୁର ହେବା ବିଳମ୍ବକୁ ନେଇ ଗ୍ରାମରେ ବିବାଦ ଦେଖାଦେଇଛି। ଯାହାକୁ କେନ୍ଦ୍ରକରି ଶୁକ୍ରବାର ହରିପୁର ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଫେରାଦ ଜଣାଇଥିଲେ। ତେବେ ଆଗତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମର ଦୀପକ ନାଏକ ଠିକଣା ସମୟରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଫଳରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା। ଅଶାନ୍ତ ପରିବେଷ ସମ୍ପର୍କରେ ଖବରପାଇ ବିଡିଓ ହସ୍ତକ୍ଷେପ କରିବାରୁ ପରେ ପରିସ୍ଥିତ ସ୍ୱାଭାବିକ ହୋଇଛି। ପ୍ରକାଶ ଯେ, ହରିପୁର ଗ୍ରାମର ୫ଟି ୱାର୍ଡରେ ୨ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। କେନ୍ଦ୍ରୀୟ ଯୋଜନାରେ ଉକ୍ତ ୱାର୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୪୦ଲକ୍ଷ ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନ ରାଶି ଖର୍ଚ୍ଚ ନିୟମାନୁସାରେ ଅଗଷ୍ଟ ୨୩ତାରିଖରେ ପଲ୍ଲୀ ସଭା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, କନିଷ୍ଠଯନ୍ତ୍ରୀ ଓ ୫ଟି ୱାର୍ଡର ସଭ୍ୟ ସଭ୍ୟାଙ୍କ ସମେତ ଶତାଧିକ ଗ୍ରାମବାସୀ ଗ୍ରାମରେ ଦୀର୍ଘଦିନ ଧରି ଗମନାଗମନ ପାଇଁ ରାସ୍ତାଟିଏ ନଥିବାରୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରିଥିଲେ। ମାତ୍ର ପୂର୍ବତନ ସରପଞ୍ଚଙ୍କ ପୁଅ ଦୀପକଙ୍କ ସହିତ କିଛି ଲୋକ ରାସ୍ତା ପରିବର୍ତ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଏକ ଓଭର ହେଡ ଟାଙ୍କି ନିର୍ମାଣ କରିବା ପାଇଁ ଜିଦି କରିଥିଲେ। ତେବେ ଓଭର ହେଡ୍ ଟାଙ୍କି ନିର୍ମାଣ ପାଇଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପ୍ରସ୍ତାବ ଅନୁମୋଦନ ପାଇଁ ଯାଇଥିବାର ସରପଞ୍ଚ କହିଥିଲେ। ଏହା ଜାଣିବା ପରେ ମଧ୍ୟ ଦୀପକ ନିଜ ଜିଦ୍‍ରେ ଅଟଳ ରହି ପଲ୍ଲୀସଭା କରାନଯାଇ ପ୍ରକଳ୍ପ ମଞ୍ଜୁର ପାଇଁ ପଠାଯାଇଛି ବୋଲି ବଡ଼ସାହି ବିଡିଓଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିଲେ। ଯାହାକୁ ନେଇ ଗ୍ରାମରେ ତିକ୍ତତା ଲାଗି ରହିଥିଲା। ୫ଟି ୱାର୍ଡବାସୀଙ୍କ ଗମନାଗମନ ପାଇଁ ପଲ୍ଲୀସଭାରେ ଆଗତ ପକ୍କା ରାସ୍ତା ର୍ନିମାଣ ପ୍ରକଳ୍ପକୁ ମଞ୍ଜୁର କରାନଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ପାଇଁ ବାଧ୍ୟ ହେବେ ବୋଲି  ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply