ଲର୍ଡସ : ଠିକ୍ ୬ ବର୍ଷ ତଳେ ଜୁଲାଇ ୧୪ରେ ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡକୁ ପ୍ରଥମଥର ଦିନିକିଆ ବିଶ୍ବ ଚମ୍ପିଆନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବେନ୍ ଷ୍ଟୋକ୍ସ। ଭାରତ ବିପକ୍ଷରେ ଲର୍ଡସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ମଧ୍ୟ ଷ୍ଟୋକ୍ସ ଅନୁରୂପ ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ବିଶ୍ବକପ୍ ଫାଇନାଲରେ ଅଲ୍ରାଉଣ୍ଡ ସଫଳତା ଲାଗି ଷ୍ଟୋକ୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଭାରତ ବିପକ୍ଷ ଲର୍ଡସ ଟେଷ୍ଟେର ମଧ୍ୟ ଅଧିନାୟକ ଷ୍ଟୋକ୍ସ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଶୃଙ୍ଖଳା ୧-୧ ସ୍ଥିତିରେ ଥିବା ବେେଳ ଏହି ମ୍ୟାଚ୍ରେ କଡ଼ା ସଂଘର୍ଷ ହୋଇଥିଲା। ୨ୟ ଇନିଂସରେ ୧୯୩ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ୮୨ ରନ୍ରେ ଭାରତ ୭ଟି ୱିକେଟ୍ ହରାଇ ପରାଜୟ ଦ୍ବାରରେ ଥିଲା। ହେଲେ ରବୀନ୍ଦ୍ର ଜାଡ଼େଜା ହାର୍ ମାନିନଥିଲେ। ଇଂଲଣ୍ଡର ବିଜୟପଥରେ ଜାଡ଼େଜା ପ୍ରାଚୀର ପରି ଛିଡ଼ା ହୋଇ ଶେଷ ୩ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ୫୦.୧ ଓଭର ସଂଘର୍ଷ କରି ୮୮ ରନ୍ ଯୋଡ଼ି ମ୍ୟାଚ୍କୁ ନାଟକୀୟ କରି ଦେଇଥିଲେ। ତଥାପି ସେ ଦଳକୁ ଜିତାଇ ପାରିନାହାନ୍ତି।
ସୋମବାର ଶେଷ ଦିନର ଜାଡ଼େଜାଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ଶେଷ ଅଧିବେଶନରେ ୨ୟ ଇନିଂସରେ ୧୭୦ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ୨୨ ରନ୍ରେ ଜିତି ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି। ୨୩ରୁ ୪ର୍ଥ ଟେଷ୍ଟମ୍ୟାଚ୍ ଖେଳାଯିବ। ଭାରତ ଓ ଇଂଲଣ୍ଡର ପ୍ରଥମ ଇନିଂସରେ ସମାନ ସ୍କୋର୍ ହେବା ପରେ ୨ୟ ଇନିଂସକୁ ଟାଇବ୍ରେକର ପରି ଉଭୟ ଦଳ ଖେଳିଥିଲେ। ଭାରତ ପାଇଁ ୨ୟ ଇନିଂସରେ ୧୯୩ ରନ୍ ବିଜୟଲକ୍ଷ୍ୟ ସହଜ ହେବ ବୋଲି ମୂଳରୁ ଲାଗୁଥିଲା। ହେଲେ ଇଂଲଣ୍ଡ ଦଳର ହାର ନ ମାନିବାର ଜିଦ୍ ୪ର୍ଥ ଦିନ ଶେଷରେ ମ୍ୟାଚ୍କୁ ରୋଚକ କରି ଦେଇଥିଲା। ୪ର୍ଥ ଦିନରେ ଭାରତ ୪ ୱିକେଟ ହରାଇ ୫୮ ରନ୍ କରିଥିଲା। ୬ ୱିକେଟ୍ ଥାଇ ଜିତିବା ପାଇଁ ଭାରତ ୧୩୫ ରନ୍ ଆବଶ୍ୟକ କରୁଥିବା ବେଳେ ଇଂଲଣ୍ଡ ୬ଟି ୱିକେଟ ଆବଶ୍ୟକ କରୁଥିଲା। ତେବେ ସୋମବାର ୫ମ ତଥା ଅନ୍ତିମ ଦିନ ପ୍ରାରମ୍ଭରେ ଇଂଲଣ୍ଡ ମ୍ୟାଚ୍ର ମଙ୍ଗ ନିଜ ଆଡ଼କୁ ମୋଡ଼ି ଦେଇଥିଲା। ୪୧ ବଲ୍ରେ ଭାରତ ମାତ୍ର ୨୪ ରନ୍ ଯୋଡ଼ି ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହରାଇଥିଲା। ଦିନର ୩ୟ ଓଭରରେ ଜୋଫ୍ରା ଆର୍ଚରଙ୍କ ବଲ୍ରେ ଋଷଭ ପନ୍ତ ବୋଲ୍ଡ ହୋଇଥିଲେ। ପନ୍ତ ୨ଟି ଚୌକା ସହ ୯ ରନ୍ କରିଥିଲେ। ପରେ ସେଟ୍ ହୋଇ ଯାଇଥିବା କେ.ଏଲ୍. ରାହୁଲ ବିଦାୟ ନେଇଥିଲେ। ଏଲ୍ବିଡବ୍ଲ୍ୟୁ ହେବା ପୂର୍ବରୁ ରାହୁଲ ୫୮ ବଲ୍ରୁ ୬ଟି ଚୌକା ସହ ୩୯ ରନ୍ କରିଥିଲେ। ପରେ ୱାଶିଂଟନ ସୁନ୍ଦର ବିନା ସ୍କୋର୍ରେ ବୋଲର ଜୋଫ୍ରା ଆର୍ଚରଙ୍କୁ କ୍ୟାଚ୍ ଦେଇଥିଲେ। ୮୨ ରନ୍ରେ ଭାରତ ୭ଟି ୱିକେଟ୍ ହରାଇବା ପରେ ଏହାର ପରାଜୟ ଆସନ୍ନ ଲାଗୁଥିଲା। ଶେଷ ୩ ୱିକେଟ୍ ବାକିଥାଇ ଭାରତ ୧୧୧ ରନ୍ ଆବଶ୍ୟକ କରୁଥିଲା ହେଲେ ଦୁଇ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ ଲଢ଼ିଥିଲେ ଏବଂ ୱିକେଟ୍ରେ ସମୟ ବିତାଇବାର ପ୍ରୟାସ କରିଥିଲେ। ଦୁହେଁ ୧୫ ଓଭର ଖେଳି ୩୦ ରନ୍ ଯୋଡ଼ିଥିଲେ। ଭୋଜନ ବିରତିର ଠିକ୍ ପୂର୍ବରୁ ନୀତୀଶ ରେଡ୍ଡୀ ୫୩ ବଲ୍ରୁ ଗୋଟିଏ ଚୌକା ସହ ୧୩ ରନ୍କରି ଆଉଟ୍ ହୋଇଥିଲେ। ବିରତି ପରେ ଜାଡ଼େଜା ଓ ଯଶପ୍ରୀତ ବୁମ୍ରା ଅନୁରୂପ ବ୍ୟାଟିଂ କରିଥିଲେ। ୯ମ ୱିକେଟ୍ ପାଇଁ ବାମହାତି ଜାଡ଼େଜା ଓ ବୁମ୍ରା ୨୨ ଓଭର ବ୍ୟାଟିଂକରି ଇଂଲଣ୍ଡକୁ ନିରାଶ କରିଥିଲେ।
ଜାଡ଼େଜା ସୁେଯାଗ ପାଇ ରନ୍ କରିଥିବା ବେଳେ ବୁମ୍ରା ଡିଫେନ୍ସ କରି ଚାଲିଥିଲେ। ବୁମ୍ରା ପ୍ରଶଂସନୀୟ ୫୩ ବଲ୍ର ମୁକାବିଲା କରି ଗୋଟିଏ ଚୌକା ସହ ୫ ରନ୍ କରିଥିଲେ। ଭାରତର ଶେଷ ଯୋଡ଼ି କ୍ରିଜ୍ରେ ଥିବା ବେଳେ ଆହୁରି ୪୬ ରନ୍ ଆବଶ୍ୟକ ଥିଲା। ୧୧ନଂ ବ୍ୟାଟ୍ସମ୍ୟାନ ମହମ୍ମଦ ସିରାଜ୍ ମଧ୍ୟ ଡିଫେନ୍ସ କରି ଚାଲିଥିବା ବେଳେ ଜାଡ଼େଜା ବିଜୟଲକ୍ଷ୍ୟରେ ପାଖାପାଖି ହେବକୁ ପ୍ରୟାସ କରିଥିଲେ। ଶେଷରେ ଏହି ପ୍ରତିରୋଧ ଭାଙ୍ଗିଥିଲେ ଭଙ୍ଗା ଆଙ୍ଗୁଠିରେ ବୋଲିଂ କରିଥିବା ଅଫ୍ସ୍ପିନର ସୋଏବ୍ ବସିର୍। ତାଙ୍କ ବଲ୍ ମହମ୍ମଦ ସିରାଜ୍ଙ୍କ ବ୍ୟାଟ୍ରେ ବାଜି ଗଡ଼ି ଷ୍ଟମ୍ପ୍ରେ ଯାଇ ବାଜିଥିଲା। ସିରାଜ୍ ୩୦ ବଲ୍ ଖେଳି ୪ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୧୮୧ଟି ବଲ୍ର ମାରାଥନ୍ ଇନିଂସ ଖେଳି ଗୋଟିଏ ଛକା ଓ ୪ଟି ଚୌକା ସହ ୬୧ ରନ୍ରେ ଅପରାଜିତ ରହିଥିଲେ। ଅଧିନାୟକ ଭାବେ ସମ୍ମୁଖରୁ ଲଢ଼ି ବେନ୍ ଷ୍ଟୋକ୍ସ ସର୍ବାଧିକ ୨୪ ଓଭର ବୋଲିଂକରି ୩ଟି ୱିକେଟ୍ ନେଇଥିଲେ। ଜୋଫ୍ରା ଆର୍ଚର ୩ଟି ଓ ବ୍ରାଇଡନ୍ କାର୍ସ ୨ଟି ୱିକେଟ୍ ନେଇଥିଲେ। ମୋଟ ୭୭ ରନ୍ କରିବା ସହ ୫ଟି ୱିକେଟ୍ ନେଇଥିବା ଷ୍ଟୋକ୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।



