ନୂଆଦିଲ୍ଲୀ,୧୪ା୭: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଜୀବନ ରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଥିବା ବିଚାରପତି ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠଙ୍କୁ ସୋମବାର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ କହିଛନ୍ତି ଯେ ନିମିଷାଙ୍କ ଫାଶୀକୁ ରୋକିବା ଲାଗି ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି; ମାତ୍ର ଏଥିଲାଗି ସରକାରଙ୍କ ପାଖରେ ସୀମିତ ସୁଯୋଗ ରହିଛି। କାରଣ ୟେମେନ ସହିତ ଭାରତର କୂଟନୈତିକ ସମ୍ପର୍କରେ ସମ୍ବେଦନଶୀଳତା ରହିଛି। ବିଶେଷ କରି ହୁତି ଆତଙ୍କବାଦୀଙ୍କ ଅଧ୍ୟୁଷିତ ସାନ୍ନା ସହିତ ଭାରତର କୂଟନୈତିକ ସମ୍ପର୍କ ନାହିଁ। କାରଣ ୟେମେନର ସାନ୍ନାରେ ନିମିଷାଙ୍କୁ ଏବେ ବନ୍ଦୀ କରି ରଖାଯାଇଛି। ତାଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗକୁ ହୁତିମାନେ ପରିଚାଳନା କରିଥିଲେ। ତେଣୁ ନିଷିମାଙ୍କ ଜୀବନ ରକ୍ଷା କରିବା ଲାଗି କୂଟନୈତିକ ସ୍ତରରେ ହସ୍ତକ୍ଷେପ କରିବା ଏକପ୍ରକାର ଅସମ୍ଭବ। ଏହାସତ୍ତ୍ବେ ସରକାର ବିକଳ୍ପ ମାଧ୍ୟମରେ ହସ୍ତକ୍ଷେପ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ‘ବ୍ଲଡ ମନି’ ମାଧ୍ୟମରେ ନିମିଷାଙ୍କ ଜୀବନ ରକ୍ଷା ପାଇଁ ତାଙ୍କ ପରିବାର ପକ୍ଷରୁ ଘରୋଇ ଭାବେ ଯୋଗାଯୋଗ କରାଯାଇଛି। ଯଦି ବ୍ଲଡମନି ବଦଳରେ ହତ୍ୟାର ଶିକାର ବ୍ୟକ୍ତିଙ୍କ ପରିବାର କ୍ଷମା ପ୍ରଦାନ କରନ୍ତି ତେବେ ନିମିଷାଙ୍କ ଜୀବନ ରକ୍ଷା ହୋଇପାରିବ। ୟେମେନର ନାଗରିକ ତଲାଲ୍ ଆବଡୋ ମେହଦିଙ୍କୁ ହତ୍ୟା ମାମଲାରେ ନିଷିମା ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିଲେ। ୨୦୨୪ରେ ଏହି ଦଣ୍ଡାଦେଶକୁ ୟେମେନର ସର୍ବୋଚ୍ଚ ଅଦାଲତ କାଏମ ରଖିଥିଲେ। ଆସନ୍ତା ୧୬ ତାରିଖରେ ନିମିଷାଙ୍କୁ ଫାଶୀ ଦିଆଯିବ। ତେଣୁ ଫାଶୀ ରୋକିବାକୁ ସମୟ ମଧ୍ୟ ବହୁତ କମ୍ ରହିଛି। ନିମିଷାଙ୍କର ପାସପୋର୍ଟକୁ ତଲାଲ ରଖିଥିବାବେଳେ ଏହାକୁ ଫେରାଉ ନଥିଲେ। ତେଣୁ ନିଜର ପାସପୋର୍ଟକୁ ହାସଲ କରିବା ଲାଗି ନିମିଷା ତାଙ୍କୁ ନିଶା ଇଞ୍ଜେକସନ୍ ଦେଇଥିଲେ। ନିଶା ଇଞ୍ଜେକସନ୍ର ମାତ୍ରା (ଡୋଜ୍) ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା।



