ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପରସ୍ପରର ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ଦମ୍ପତିଙ୍କ ପରିବାର ଓ ସମ୍ପର୍କୀୟମାନେ ସେମାନଙ୍କୁ କୌଣସି ପ୍ରକାର ନିର୍ଯାତନା କିମ୍ବା ଧମକଚମକ ଦେଇପାରିବେ ନାହିଁ। ଏପରି କ୍ଷେତ୍ରରେ ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇଦେବେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଭିନ୍ନ ଜାତି ଓ ଧର୍ମରେ ବିବାହ କରିଥିବା ଦମ୍ପତିଙ୍କୁ ଯଦି କୌଣସି ପ୍ରକାର ଧମକଚମକ ଦିଆଯାଏ ତେବେ ସେମାନେ ଏଥିପାଇଁ ସୁରକ୍ଷା ଲୋଡିପାରିବେ। ଏଥିପାଇଁ ସେମାନେ ନିକଟସ୍ଥ ବିବାହ ଅଧିକାରୀ (ମ୍ୟାରେଜ ଅଫିସର)ଙ୍କୁ ଅବଗତ କରିବା ପୂର୍ବକ ସୁରକ୍ଷା ଲୋଡିପାରିବେ।
ଆନ୍ତଃ ଜାତି ଓ ଧର୍ମରେ ବିବାହ କରୁଥିବା ଦମ୍ପତି ଅନର କିଲିଂର ଶିକାର ହେଉଥିବାବେଳେ ସେମାନଙ୍କ ସୁରକ୍ଷା ଦାବି କରି ଶକ୍ତି ବାହିନୀ ନାମକ ଏନଜିଓ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ୨୦୧୦ରେ ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆନ୍ତଃ ଜାତି ଓ ଧର୍ମରେ ବିବାହ କରୁଥିବା ଦମ୍ପତିଙ୍କ ବିରୋଧରେ ଖାପ୍‌ ପଞ୍ଚାୟତଗୁଡିକ ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇଛନ୍ତି। ଖାପ୍‌ ପଞ୍ଚାୟତର ଏପରି ବେଆଇନ କାର୍ଯ୍ୟ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply