www.samajalive.in
Saturday, December 6, 2025
14.1 C
Bhubaneswar

ମାଓ ଉନ୍ମୂଳନ ପଥେ

ଭୁବନେଶ୍ଵର:  ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବାପାଇଁ ମୋଦୀ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେ କାମ ଠିକ୍‌ଠାକ୍‌ ଚାଲିଥିବା ମନେ ହେଉଛି। ବିଗତ ଏକ ଦଶନ୍ଧି ମଧ୍ୟରେ ବର୍ତ୍ତମାନର ଏନ୍‌ଡିଏ ସରକାର ଏ ​‌କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ନକ୍ସଲ/ମାଓବାଦୀ ଉନ୍ମୂଳନ କାର୍ଯ୍ୟ ନିରନ୍ତର ଭାବେ ଚାଲିଥିବାରୁ ସରକାରଙ୍କୁ ଏହି ସଫଳତା ମିଳିଛି। ଏକଦା ଓଡ଼ିଶା ସମେତ ୧୦ଟି ରାଜ୍ୟ ମାଓବାଦୀ ଓ ନକ୍ସଲ ପନ୍ଥୀଙ୍କ ଦ୍ବାରା ଉପଦ୍ରୁତ ହୋଇଥିଲା। ନିରନ୍ତର କାର୍ଯ୍ୟାନୁଷ୍ଠାନ ଓ ସୁଚିନ୍ତିତ ରଣନୀତି ଯୋଗୁଁ ଭାରତ ସରକାରଙ୍କୁ ଏ କ୍ଷେତ୍ରରେ ଏବେ ଉଲ୍ଲେଖନୀୟ ସଫଳତା ମିଳିଛି। କେନ୍ଦ୍ର ସହିତ ସଂପୃକ୍ତ ଉପଦ୍ରୁତ ରାଜ୍ୟମାନେ ନିବିଡ଼ ସହଯୋଗ ରକ୍ଷାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏହା ସମ୍ଭବ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ତଥ୍ୟ ଅନୁସାରେ ଏବେ ଭାରତରେ ଅତି ଅଧିକ ମାଓ ପ୍ରଭାବିତ ଜିଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି। ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ୩୮ ଜିଲାରେ ମାଓବାଦୀ ସକ୍ରିୟ ଥିବାବେଳେ ଓଡ଼ିଶାର ପ୍ରାୟ ୧୨ଟି ଜିଲାରେ ସେମାନେ ଉତ୍ପାତ କରୁଥିଲେ। ଏବେ କିନ୍ତୁ ଓଡ଼ିଶାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି ଭଳି ଅଳ୍ପ କେତେକ ଜିଲାରେ ସୀମିତ ରହିଛି। ଛତିଶଗଡ଼ର ଲାଲ କରିଡର ସଂପ୍ରତି ସବୁଠୁ ଅଧିକ ସକ୍ରିୟ ମାଓବାଦୀ ଗଡ଼। ଫଳରେ ମାଓବାଦୀ କାର୍ଯ୍ୟକଳାପ ପଡ଼ୋଶୀ ଓଡ଼ିଶା, ତେଲଙ୍ଗାନା ଓ ମହାରାଷ୍ଟ୍ରର କେତେକ ସୀମାନ୍ତ ଜିଲାରେ ଦେଖିବାକୁ ମିଳୁଛି।
ବଡ଼ କଥା ହେଲା ବିଗତ ତିନି ମାସ ମଧ୍ୟରେ ନିରାପତ୍ତା କର୍ମଚାରୀଙ୍କ ମିଳିତ କାର୍ଯ୍ୟାନୁଷ୍ଠାନ ଫଳରେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ବହୁ ମାଓବାଦୀ ନିହତ ହେଲେଣି। ଏଥିରେ ଅନେକ କୁଖ୍ୟାତ ମାଓନେତା ଏବଂ ଦୁର୍ଦ୍ଧର୍ଷ ଉଗ୍ରବାଦୀ ସଂଗଠକଙ୍କ ମୁଣ୍ଡ ଗଡ଼ିଛି। ଏହି ସଘନ କାର୍ଯ୍ୟାନୁଷ୍ଠାନ ଫଳରେ ମାଓ ସଂଗଠନ ଦୁର୍ବଳ ଓ ଛିନ୍ନଛତ୍ର ହେବାରୁ ସେମାନେ ଶାନ୍ତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ସେମାନଙ୍କ ସ୍ଥିତି କେତେ ବିପନ୍ନ ତାହା ଅନୁମାନ କରିହୁଏ। ତଥାପି ଏହି ଉଗ୍ରବାଦୀଙ୍କ ଶାନ୍ତି ପ୍ରସ୍ତାବକୁ ସହଜରେ ବିଶ୍ବାସ କରାଯାଇ ନ ପାରେ ଏବଂ ସରକାର ନିଶ୍ଚୟ ବୁଝି ବିଚାରି ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା।
କେବଳ ଉଗ୍ରବାଦୀଙ୍କୁ ନିପାତ ନୁହେଁ, ସଂପୃକ୍ତ ମାଓପ୍ରବଣ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। ଖାଦ୍ୟଯୋଗାଣ, ସଡ଼କ, ବିଜୁଳି, ପାଣି, ସ୍ବାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ସଂପୃକ୍ତ ଜିଲାର ସର୍ବାଙ୍ଗୀଣ ବିକାଶ ପାଇଁ କେନ୍ଦ୍ର ସରକାର ଅତି ପ୍ରଭାବିତ ଛ’ଟି ଜିଲାକୁ ୩୦କୋଟି ଟଙ୍କାର ସହାୟତା ସହିତ ସଂପୃକ୍ତ ରାଜ୍ୟ ସରକାରଗୁଡ଼ିକ ୧୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇଛନ୍ତି। ଏହା ଫଳରେ ସେ ସବୁ ଜିଲାରେ ସ୍ଥାୟୀ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି। ସଂପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରାଯିବା ଫଳରେ ମାଓବାଦୀଙ୍କ ପ୍ରତି ଥିବା ସେମାନଙ୍କ ସମର୍ଥନ କ୍ରମଶଃ କମୁଛି।
ମାଓବାଦ ବା ନକ୍ସଲବାଦ ପଛରେ କୌଣସି ନିର୍ଦିଷ୍ଟ ଉତ୍ତମ ତତ୍ତ୍ବ ବା ଦର୍ଶନ ନାହିଁ। ଦଳେ ଲୋକ ସରଳ ଓ ଗରିବ ଆଦିବାସୀଙ୍କୁ ଆୟୁଧ କରି ସେମାନଙ୍କ ନାମରେ ନିଶା କାରବାର, ବନ୍ଧୁକ ବେପାର ଆଦି ମାଧ୍ୟମରେ ଅର୍ଥ ରୋଜଗାର କରିବା ସହ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ସେମାନଙ୍କ ବର୍ବରୋଚିତ ଆକ୍ରମଣରେ ଅନେକ ନିରୀହ ସାଧାରଣ ଜନତା, ସରକାରୀ ଅଧିକାରୀ ଓ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଅତଏବ୍‌ ଏମାନେ ଦେଶର ଶତ୍ରୁ। ଏମାନଙ୍କୁ ନିପାତ କରିବା ଦ୍ବାରା ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ପ୍ରତିଷ୍ଠା ହୋଇପାରିବ। କେନ୍ଦ୍ର ସରକାର ଯେଉଁ ରଣନୀତିରେ ଏହି ମାଓ ନିର୍ମୂଳ ଅଭିଯାନ ଚଳାଇଛନ୍ତି ସେଥିରେ ଯେ ଅବଶ୍ୟ ସଫଳ ହେବେ ତାହା କହିଲେ ଭୁଲ ହେବନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories