BJD Bijuli 480×75 Mob

କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା: ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ, ପ୍ରଶାସନର ଦ୍ବାରସ୍ତ ହେଲେ ସରପଞ୍ଚ

BJD Bijuli 480×75 Mob

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ କିନାଲୋଇ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ପବିତ୍ରମୋହନ ଲେଙ୍କାଙ୍କ ଅବହେଲା ଓ ମନମୁଖୀ କାରବାର ଯୋଗୁଁ ପଞ୍ଚାୟତର ଅନେକ ଉନ୍ନୟନ କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଉନ୍ନୟନ କାର୍ଯ୍ୟ ତଦାରଖ ଓ ତ୍ବରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀ ଆସୁନାହାନ୍ତି। ଫୋନ୍ କଲେ ଫୋନ୍ ରିସିଭ୍ କରୁନାହାନ୍ତି ବୋଲି କିନାଲୋଇ ସରପଞ୍ଚ ସରୋଜିନୀ କାଲୋ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କ ଠାରେ ଫେରାଦ୍ ହୋଇଛନ୍ତି। କନିଷ୍ଠଙ୍କ ଏଭଳି ଖାମଖିଆଲି ମନମୁଖୀ କାରବାର ତଥା ଅବହେଳା ଯୋଗୁଁ ସରକାରଙ୍କ ଉନ୍ନୟନ କାମ ଠପ୍ ହୋଇ ପଡିଛି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ ଜୁନାଡିହି ଫୁଟବଲ ପଡିଆର ଚେଞ୍ଜିଂ ରୁମ୍ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାବେଳେ  ୫ଟି ଉପକ୍ରମରେ ହୋଇଥିବା କିନାଲୋଇ ହାଇସ୍କୁଲ ଗେଟ୍ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି । ଜୁନାଡିହି ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ନିର୍ମିତ ଏକ କୋଠରୀ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ସୁଚନା ଫଳକରେ  ମଧ୍ୟ ଏହାର ତଥ୍ୟ ଅସମ୍ପୂର୍ଣ୍ଣ  ରହିଛି।  ଲାଙ୍ଗବାହାଲ ଗ୍ରାମରେ ଏମଏଲ ଏ ଲାଡରୁ ତିଆରି ହୋଇଥିବା ଗୋଷ୍ଠୀ ବିନୋଦନ କେନ୍ଦ୍ର ବର୍ଷାଧିକ କାଳ ହେଲା ଅଧା ପନ୍ତରିଆରେ ପଡି ରହିଛି।

ଏହି ପଞ୍ଚାୟତର ୬ଟି ରାଜସ୍ବ ଗ୍ରାମରେ ଥିବା ୬ଟି ଅଙ୍ଗନବାଡି କେନ୍ଦ୍ର ଗୁଡିକର ଭିତ୍ତିଭୂମି ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। କେତେକ କେନ୍ଦ୍ରରେ ଶୌଚାଳୟ ନାହିଁ। ଯେଉଁଠି ଅଛି ବ୍ୟବହାର ଉପଯୋଗୀ ନୁହେଁ। ଅନେକ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ। କନିଷ୍ଠଯନ୍ତ୍ରୀଙ୍କ ଅବହେଳା ଓ ଅସହଯୋଗ ଯୋଗୁଁ ଗତ ଦୁଇ ବର୍ଷ ହେଲା ମୁଁ ସରପଞ୍ଚ ହେବା ପରେ କିଛି ଉନ୍ନୟନ କାମ ଆଗେଇ ପାରୁନାହିଁ ବୋଲି ସରପଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି । ଏ ଦିଗରେ ହସ୍ତକ୍ଷେପ କରି ଅସମ୍ପୂର୍ଣ୍ଣ ଥିବା ଉନ୍ନୟନ ପ୍ରକଳ୍ପ ଗୁଡିକର ଶୀଘ୍ର ସମ୍ପୂର୍ଣ୍ଣ କରାଯିବାର ବ୍ୟବସ୍ଥା କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସରପଞ୍ଚ ଦାବି କରିଛନ୍ତି ।

Comments are closed.