ମଣିପୁର ହିଂସା : ୧୪ ହଜାର ବିଦ୍ୟାର୍ଥୀ ବିସ୍ଥାପିତ
ନୂଆଦିଲ୍ଲୀ : ମଣିପୁର ହିଂସାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧାକାରରେ ଗତି କରୁଛି। ଛାତ୍ରଛାତ୍ରୀଙ୍କ ବିସ୍ଥାପନ ନେଇ ବୁଧବାର ରାଜ୍ୟସଭାରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ଜାତିଗତ ହିଂସା ଯୋଗୁ ରାଜ୍ୟରେ ପ୍ରାୟ ୧୪ ହଜାର ସ୍କୁଲ୍ ଛାତ୍ରଛାତ୍ରୀ ବିସ୍ଥାପିତ ହୋଇଛନ୍ତି ବୋଲି ସେ ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି। ସେଥିମଧ୍ୟରୁ ୯୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନାମଲେଖା ନିକଟସ୍ଥ ବିଦ୍ୟାଳୟରେ କରାଯାଇଛି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ମଣିପୁର ପରିସ୍ଥିତି ପାଇଁ ମୋଟ ୧୪ ହଜାର ସ୍କୁଲ୍ ପିଲା ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତ ଛାତ୍ରଛାତ୍ରୀଙ୍କ ଅଡ୍ମିସନ କରାଇବା ପାଇଁ ପ୍ରତି ରିଲିଫ୍ ଶିବିର ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରାଯାଇଛି। ତେବେ ବିସ୍ଥାପିତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩.୫ ପ୍ରତିଶତ ପିଲାଙ୍କର ନିକଟସ୍ଥ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଆଡ୍ମିସନ କରାଯାଇଛି। ମେ ୩ ତାରିଖରେ ମଣିପୁର ହିଂସା ଘଟିବା ଦିନ ଠାରୁ ୧୬୦ ଜଣଙ୍କର ମୃତ୍ୟୁ ହୋଇଛି। ଶତାଧିକ ଲୋକ ଆହତ ହୋଇଛନ୍ତି। ମଣିପୁରରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଲାଗି ରହିଛି। ଘଟଣାକୁ ୩ ମାସ ବିତିବାକୁ ଯାଉଥିବା ବେଳେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ହିଂସା ରୋକିବାରେ ସଫଳ ହୋଇ ନାହାନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଥିଲେ।
ରାଜ୍ୟରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ସାମ୍ବିଧାନିକ ତନ୍ତ୍ର ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା କହିଥିଲେ। ପୁଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରୁ ନିୟନ୍ତ୍ରଣ ହରାଇ ସାରିଛି। ମଣିପୁର ସରକାର ଏବଂ ପୁଲିସ ନାଚାର ହୋଇ ପଡ଼ିଛି। ରାଜ୍ୟର ପୁଲିସ ମହାନିର୍ଦେଶକ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ ମେ ୪ରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ଚଲାଇବା ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। ସରକାରଙ୍କୁ ମାମଲାରେ କେତେ ଏତଲା ରୁଜୁ କରାଯାଇଛି ତାର ସବିଶେଷ ତଥ୍ୟ ମଗାଇଛନ୍ତି। ଏ ପର୍ଯ୍ୟନ୍ତ ରୁଜୁ ହୋଇଥିବା ପାଖାପାଖି ୬୦୦୦ ଏତଲାରୁ କେତେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି; ସେମାନଙ୍କ ଗିରଫଦାରୀପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସବୁ ତଥ୍ୟ ମଗା ଯାଇଛି। ଭିଡିଓ ମାମଲାରେ ବହୁ ବିଳମ୍ବରେ ଏଫଆଇଆର ରୁଜୁ କରାଯାଇଥିବା ପ୍ରଧାନ ବିଚାରପତି କହିଛନ୍ତି। ମଣିପୁର ସରକାର କହିଛନ୍ତି, ମେ ମାସରେ ଜାତିଆଣ ହିଂସା ଆରମ୍ଭ ହେବା ପରେ ୬୫୨୩ ଏତଲା ରୁଜୁ କରାଯାଇଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ଏହି ହିଂସା ମାମଲାରେ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏକ କମିଟି ଗଠନ ହେବ।
ଏହି ମାମଲାର ଯାଞ୍ଚ କେବଳ ସିବିଆଇ ଓ ଏସଆଇଟି ଉପରେ ନିର୍ଭର କରିବା ଯଥେଷ୍ଟ ହେବ ନାହିଁ। ତିନି ମାସ ବିତିଗଲାଣି, ଆଉ ଏପର୍ଯ୍ୟନ୍ତ ଲୋକେ ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ଏହି ହିଂସା ଏବଂ ଯୌନ ଉତ୍ପୀଡ଼ନ ମାମଲା ନିର୍ଭୟା ମାମଲା ଠାରୁ ଅଧିକ ଭୟଙ୍କର। ସେ କହିଛନ୍ତି, ନିର୍ଭୟା ମାମଲାରେ ଗୋଟିଏ ବଳାତ୍କାର ଘଟଣା ଭୟଙ୍କର ଥିଲା, କିନ୍ତୁ ଏହା ସଂପୂର୍ଣ୍ଣ ଭିନ୍ନ ମାମଲା। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ବା ପୁନଃଉଦ୍ଧାର ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ? ସେମାନଙ୍କ ଘର ସଜାଡ଼ିବାକୁ ସରକାର କେତେ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ, ଆମେ ସରକାରଙ୍କ ପ୍ରୟାସ କିଭଳି ରହିଛି ତାହା ତଦାରଖ କରିବୁ। ଏହି କମିଟିରେ ସେହିମାନେ ସାମିଲ୍ ହେବେ ଯେଉଁମାନଙ୍କ କୌଣସି ରାଜନୀତିକ ସଂପର୍କ ନଥିବ। ଏହି କମିଟିରେ କିଛି ବିଚାରପତିଙ୍କୁ ସାମିଲ୍ କରାଯିବ। ଯଦି ଆମେ ସରକାରଙ୍କ ପ୍ରୟାସ ସହ ସହମତ ହେବୁ ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ କରିବାର ଆବଶ୍ୟକତା ପଡ଼ିବନି। ପ୍ରଧାନ ବିଚାରପତି କହିଥିଲେ, ମେ ୪ ଘଟଣାରେ ମେ ୧୮ରେ ମାମଲା ରୁଜୁ କରାଯାଇଥିଲା। ଏତେଦିନ ପର୍ଯ୍ୟନ୍ତ ପୁଲିସ୍ କ’ଣ କରୁଥିଲା ? ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଲାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା।
Comments are closed.