www.samajalive.in
Saturday, December 6, 2025
23.1 C
Bhubaneswar

ମଣିପୁର ହିଂସାର ତଦନ୍ତ କରିବ ଏନଆଇଏ: ୧୯ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ/ଇମ୍ଫାଲ : ମଣିପୁରରେ ଘଟିଥିବା ହିଂସାର ସାନି ତଦନ୍ତ ଦାୟିତ୍ବ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉପରେ ନ୍ୟସ୍ତ କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ମଣିପୁର ସ୍ଥିତି ସମୀକ୍ଷା କରାଯିବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ମଣିପୁରରେ ଘଟିଥିବା ତିନିଟି ଘଟଣାକୁ ନେଇ ଏନଆଇଏ ତଦନ୍ତ କରିବ। ନଭେମ୍ବର ୭ରେ ଜିରିବାମ୍‌ ଜିଲାର ଜାଇରୋଲପୋକ୍‌ପି ଗ୍ରାମରେ ଉଗ୍ରପନ୍ଥୀମାନେ ଜଣେ ଆଦିବାସୀ ମହିଳାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିଲେ। ଏହାକୁ କେନ୍ଦ୍ରକରି ଜିରିବାମ ଜିଲାରେ ହିଂସାର ସୂତ୍ରପାତ ହୋଇଥିଲା। ନଭେମ୍ବର ୧୧ରେ ଜିରିବାମ୍‌ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୧ ଜଣ କୁକି ଉଗ୍ରପନ୍ଥୀ ପ୍ରାଣ ହରାଇଥିଲେ। ଗୁଳି ବିନିମୟ ଚାଲିଥିବାବେଳେ ଅନ୍ୟ କେତେକ କୁକି ଉଗ୍ରପନ୍ଥୀ ମୈତେଇ ସଂପ୍ରଦାୟର ୩ ଜଣ ମହିଳା ଓ ତିନିଜଣ ଶିଶୁଙ୍କୁ ଅପହରଣ କରିନେଇଥିଲେ। ଗତ ଶୁକ୍ରବାର ଏମାନଙ୍କର ମୃତଦେହ ଆସାମ-ମଣିପୁର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରାଯିବା ପରେ ସାନି ହିଂସା ଦେଖିବାକୁ ମିଳିଥିଲା। ନଭେମ୍ବର ୧୧ରେ ଜାକୁରାଧୋରସ୍ଥିତ ସିଆରପିଏଫ ଶିବିର ଉପରେ ହୋଇଥିବା ଆକ୍ରମଣର ତଦନ୍ତ ମଧ୍ୟ ଏନଆଇଏ କରିବ ବୋଲି ଜଣାପଡିଛି। ଉକ୍ତଦିନ ଉଗ୍ରପନ୍ଥୀମାନେ ବୋରୋବେକ୍ରାସ୍ଥିତ ଏକ ଥାନା ଉପରେ ଆକ୍ରମଣ କରିଥିବାବେଳେ କେତେକ ବାସଗୃହରେ ନିଆଁ ଲଗାଇ ଦେଇଥିଲେ।
ଅପରପକ୍ଷରେ ମଣିପୁରରେ ହିଂସା ରୋକିବାକୁ କେନ୍ଦ୍ର ପକ୍ଷରୁ ସିଆରପିଏଫ୍‌, ବିଏସଏଫ୍‌ର ୫୦ ଅତିରିକ୍ତ କମ୍ପାନୀ ( ପ୍ରାୟ ୫୦୦୦ ଯବାନ) ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରେ ସିଆରପିଏଫ୍‌ର ୩୫ ଓ ବିଏସଏଫ୍‌ର ୧୫ କମ୍ପାନୀ ଅନ୍ତର୍ଭୁକ୍ତ। ନିକଟରେ ମୈତେଇ ସଂପ୍ରଦାୟର ଅପହୃତ ୬ ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ଜିରିବାମ ଜିଲାରେ ସାନି ହିଂସାର ସୂତ୍ରପାତ ହୋଇଛି। ବିକ୍ଷୋଭକାରୀମାନେ କେତେକ ମନ୍ତ୍ରୀ ଓ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଫଳରେ ସେଠାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ମଣିପୁରର ୭ ଜିଲାରେ ଅନିର୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ଇଣ୍ଟରନେଟ୍‌ ଓ ମୋବାଇଲ ସେବାକୁ ସାମୟିକ ଭାବେ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୨ରେ ମଣିପୁରକୁ ପ୍ରଥମ ଦଫାରେ ୨୦ କମ୍ପାନୀ ଅତିରିକ୍ତ ଯବାନ ପଠାଯାଇଛି। ଅପରପକ୍ଷରେ ରବିବାର ରାତିରେ ଜିରିବାମ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ସଂଘର୍ଷ ଚାଲିଥିବାବେଳେ ଗୁଳିମାଡ଼ରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ଜଣାପଡିଛି। ଆହତ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ରାତିରେ ବିକ୍ଷୋଭକାରୀମାନେ ବିଭିନ୍ନ ମନ୍ତ୍ରୀ ଓ ନେତାଙ୍କ ଘର ଉପରେ ଆକ୍ରମଣ କରିବାରୁ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ଘଟିଥିଲା। ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡାଇବାକୁ ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିବାବେଳେ ଏହି ୨୧ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଥିବା ବିକ୍ଷୋଭକାରୀ ଦାବି କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ଇମ୍ଫାଲ (ଇଷ୍ଟ ଓ ୱେଷ୍ଟ) ଜିଲାରେ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ (ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ) ଗୁଡ଼ିକୁ ଆସନ୍ତା ୧୯ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଗୃହ ବିଭାଗ ସହ ଆଲୋଚନା କରିବା ପରେ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ବିଭିନ୍ନ ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories