ମାଙ୍ଗାଲୋର ନାଇଟକ୍ଲବରେ ଆକ୍ରମଣ ଘଟଣା ; ସମସ୍ତ ୩୦ ଅଭିଯୁକ୍ତ ନିର୍ଦୋଷରେ ଖଲାସ

0

ବେଙ୍ଗାଲୁରୁ : ୨୦୦୯ ଜାନୁଆରୀରେ କର୍ଣ୍ଣାଟକର ମାଙ୍ଗାଲୋର ସହରରେ ଥିବା ଏକ ନାଇଟକ୍ଲବ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ସ୍ଥାନୀୟ ଅଦାଲତ ସମସ୍ତ ୩୦ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ ୨୦୦୯ ଜାନୁଆରୀ ୨୪ରେ ଶ୍ରୀରାମ ସେନା କର୍ମୀମାନେ ସହରରେ ଥିବା ‘ଆମ୍‌ନେସିଆ’ ନାଇଟକ୍ଲବ ଭିତରେ ପ୍ରବେଶ କରି ନାଚଗୀତରେ ମସଗୁଲ ଥିବା ଯୁବକ, ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କ୍ଷୁଣ୍ଣ କରି ଯୁବତୀମାନେ ମଦ୍ୟପାନ କରୁଥିବାରୁ ଏଭଳି ଆକ୍ରମଣ କରାଯାଇଥିଲା ବୋଲି ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ୍‌ ସେତେବେଳେ ଯୁକ୍ତି ଦର୍ଶାଇଥିଲେ।

ପୁଲିସରେ ଅଭିଯୋଗ ହେବାପରେ ମୁଥାଲିକ୍‌ଙ୍କ ସମେତ ଶ୍ରୀରାମ ସେନାର ୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତେବେ ପ୍ରମାଣ ଅଭାବରୁ ଅଦାଲତ ସବୁ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଦାଲତଙ୍କ ଏହି ରାୟକୁ ମାଙ୍ଗାଲୋର ବାସିନ୍ଦା ନାପସନ୍ଦ କରିଛନ୍ତି। ଏହାଦ୍ୱାରା ସହରବାସୀ ନିଜକୁ ନିରାପଦ ମଣିବେ ନାହିଁ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି।

Leave A Reply