
ନିଜକୁ ବଞ୍ଚାଇବାକୁ ବୋମାମାଡ କଲେ ଯୁବକ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୂର ପେଣ୍ଠ ଗ୍ରାମରେ ନିଜକୁ ବଞ୍ଚାଇବା ପାଇଁ ଯୁବକ ଜଣଙ୍କ ବୋମାମାଡ ମାଡ କରିଥିବା ସହ ଏଥିରେ କେହି ଆହାତ ହୋଇନଥିବା ବେଳେ ପୁଲିସ ଘଟଣା ସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ କରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଶନିବାର ରାତି ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ବାହାଦୁର ପେଣ୍ଠ ରହୁଥିବା ଜି ଲୋକେଶ ରେଡ୍ଡୀ ଙ୍କ ଘର ସମ୍ମୁଖରେ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଦିବାକର ଚୈଧୁରୀଙ୍କ ସମେତ କିଛି ଯୁବକ ମୋଟରସାଇକେଲରେ ପହଞ୍ଚି ଗାଳିଗୁଲଜ କରିବା ସହ ଘର ଉପରକୁ ପଥର ମାଡ କରିଥିଲେ। ଯାହାଫଳରେ ଘରେ ଥିବା ଲୋକେଶ ନିଜକୁ ବଞ୍ଚାଇବାକୁ ଘର ଉପରକୁ ଯାଇ ଯୁବକ ମାନଙ୍କୁ ଲକ୍ଷ୍ୟ କରି ୪ ଟି ବୋମା ଗୋଟିଏ ପରେ ଗୋଟିଏ ଫୋପାଡି ଥିଲେ। ବୋମାମାଡ ଘଟଣାରେ ଦିବାକରଙ୍କ ବାମ ଗୋଡରେ ସାମାନ୍ୟ ଆଘାତ ଲାଗିଥିଲା। ଘଟଣା ପରେ ଲୋକେଶଙ୍କ ଘର ସମ୍ମୁଖରେ ଜମା ହୋଇଥିବା ଯୁବକ ମାନେ ଘଟଣା ସ୍ଥଳରୁ ଛତ୍ର ଭଙ୍ଗ ଦେଇଥିଲେ।। କିନ୍ତୁ ବୋମାମାଡ ଶଦ୍ଦରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନିଜ ନିଜର ଘରେ ଶୋଇଥିବା ଲୋକମାନେ କ’ଣ ଘଟିଲା ଜାଣିବା ପାଇଁ ଘର ମଧ୍ୟରୁ ବାହାରି ଏପରି ସ୍ଥିତି ଦେଖି ଭୟଭୀତ ହୋଇଯାଇଥିଲେ। ଘଟଣା ନେଇ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଦେଇଥିଲା। ବୋମାମାଡ କରିଥିବା ଲୋକେଶକୁ ପଚରାଉଚରା ସହ ଘର ତଲାସି ସମୟରେ ଘର ପରିସରରୁ ଏକ ଅଫୁଟା ବୋମା ଜବତ କରାଯିବା ସହ ବୋମା ସ୍କ୍ୱାର୍ଡ ସହାୟତାରେ ତାହାକୁ ନିଷ୍କ୍ରିୟ କରାଯାଇଥିଲା ।
ଘଟଣା ନେଇ ପଚରାଉଚରା ସମୟରେ ଗତ ୧୫ ତାରିଖରେ ଲୋକେଶ ଓ ତାଙ୍କର କିଛି ବନ୍ଧୁ ଡୁରାଠାରେ କୈାଣସି କଥାକୁ ନେଇ ଗୋଟିଏ ଗୋଷ୍ଠୀର କିଛି ଯୁବକଙ୍କ ସହ ଯୁକ୍ତିତର୍କ ହେବା ସହ ସେଠାରେ ଥିବା କିଛି ଯୁବକଙ୍କ ସହ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣା ପରେ ଉକ୍ତ ଯୁବକ ମାନେ ଲୋକେଶକୁ ଆକ୍ରମଣ କରିବା ଆଶଙ୍କାରେ ଲୋକେଶ ନିଜର ସୁରକ୍ଷା ପାଇଁ ଆମ୍ବପୁଆ ଅଞ୍ଚଳରୁ ୬ ଟି ବୋମା ଆଣିବା ତାହା କାମ କରୁଛି କି ନାହିଁ ଜାଣିବା ନିମନ୍ତେ ଗାଁ ନିକଟରେ ଥିବା ଏକ ବୁଦା ମୂଳେ ଫୁଟାଇବା ସହ ବଳକା ୫ ଟି ବୋମା ଘରେ ରଖିଥିବା ପୁଲିସ ନିକଟରେ ବୟାନ ରଖିଥିବା ଜଣାପଡିଛି। ଶନିବାର ରାତି ରେ ଯୁବକ ମାନେ ଘର ନିକଟକୁ ଆସି ଟେକା ପଥର ମାଡ କରିବାରୁ ନିଜକୁ ସୁରକ୍ଷା ଦେବାକୁ ଯାଇ ବୋମାମାଡ କରିଥିବା ପୁଲିସ ନିକଟରେ ଲୋକେଶ ମତ ରଖିଥିବା ଜଣାପଡ଼ିଛି। ଘଟଣା ନେଇ ଥାନାରେ ଦୁଇଟି ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ପକ୍ଷରୁ ଘଟଣା ନେଇ ତ୍ୱରିତ ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସମ୍ପୃକ୍ତ ରହିଥିବା କିଛି ଯୁବକକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିବା ଜଣାପଡିଛି। ଅନ୍ୟପଟେ ଗତ କିଛି ମାସ ହେବ ବାହାଦୂର ପେଣ୍ଠ ଅଞ୍ଚଳରେ ଏକ ବଡ ଧରଣର ଜୁଆ ଖେଳ ଚାଲୁ ରହିଥିବା ବେଳେ ଅନେକ ସମୟରେ କିଛି ଅସାମାଜିକ ଯୁବକଙ୍କ ସେଠାରେ ଆଡ୍ଡା ଜମୁଥିବା ମଧ୍ୟ ଅଭିଯୋଗ ହେଉଛି। ଗତ କିଛିଦିନ ତଳେ ପୁଲିସ ସେଠାରେ ଚଢ଼ାଉ କରି କିଛି ଲୋକଙ୍କୁ ବାନ୍ଧିଥିଲେ ମଧ୍ୟ ପୁଣି ସେହି ଅଞ୍ଚଳରେ ରିତିମତ ଭାବେ ଜୁଆ ଖେଳ ଚାଲୁ ରହିଛି। ଏହି ବୋମା ମାଡ ,ଘର ସମ୍ମୁଖରେ ପଥର ମାଡ ଘଟଣା ମଧ୍ୟ ଜୁଆ ଖେଳରେ ହୋଇଥିବା ତିକ୍ତତାକୁ ନେଇ ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଏଣୁ ପୁଲିସ ପକ୍ଷରୁ ଘଟଣା ନେଇ ତଦନ୍ତ ଚାଲୁ ରହିଥିବା ବେଳେ ପୁଲିସ ଏ ନେଇ କଣ ସଫେଇ ଦେଉଛି,ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।
Comments are closed.