ମମିତା ହତ୍ୟାକାଣ୍ଡ ମାମଲା: ଘଣ୍ଟ ବଜାଇ, ଗଙ୍ଗାଜଳ ଓ ଗୋବର ପାଣି ଛିଞ୍ଚି ବିରୋଧ କଲେ ବିଜେପି କର୍ମୀ

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରୁଥିବା ବେଳେ ଗୃହ ବାହାରେ ବିଜେପି କର୍ମୀମାନେ ପ୍ରତିବାଦ ଜାରୀ ରଖିଛନ୍ତି।

ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ଅଭିନବ ପ୍ରତିବାଦ କରାଯାଇଛି। ବିଜେପି କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଘଣ୍ଟ ବଜାଇ ଏହି ପ୍ରତିବାଦ କରିଛନ୍ତି। ସେମାନେ କହିଛନ୍ତି ଯେ ବିଜେଡି ଶାସନରେ ମହିଳା ଅସୁରକ୍ଷିତ। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି ଯେ ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ।

ଅନ୍ୟପକ୍ଷରେ ଆଜି ବିଜେପି ବିଧାୟକମାନେ ବିଧାନସଭାର ପବିତ୍ର ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବାହାରେ ଗଙ୍ଗାଜଳ ଓ ଗୋବର ପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି।

Comments are closed.