ପଶ୍ଚିମବଙ୍ଗରେ ‘ଦିଦି କେ ବୋଲୋ’ ଅଭିଯାନ ଆରମ୍ଭ
କଲକାତା : ଲୋକସଭା ନିର୍ବାଚନ ପରିଣାମ ଓ ପଶ୍ଚିମବଙ୍ଗରେ ବିଜେପିର ଲୋକପ୍ରିୟତା ବୃଦ୍ଧିକୁ ଦେଖି ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଏବେଠାରୁ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋମବାର ମମତା ବାନାର୍ଜୀ ‘ଦିଦି କେ ବୋଲୋ’ ଅର୍ଥାତ ଅପାଙ୍କ କଥା ନାମକ ଏକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଟିଏମସି ପ୍ରଚାର ଅଭିଯାନ କ୍ରମେ ଏଥିରେ ଲୋକଙ୍କୁ ଏକ ଫୋନ ନମ୍ବର ଦିଆଯାଇଛି। ଏହି ଫୋନ ନମ୍ବର ଜରିଆରେ ଲୋକେ ନିଜ ଅଭିଯୋଗ ରୁଜୁ କରିପାରିବେ। ଏହାସହ ଟିଏମସି ପକ୍ଷରୁ ଏକ ୱେବସାଇଟ ଆରମ୍ଭ କରାଯାଇଛି। ଏହି ୱେବସାଇଟରେ ଲୋକେ ନିଜ ଅଭିଯୋଗ ରଖି ପାରିବେ ଓ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ‘ଦିଦି କେ ବୋଲୋ’ ଅଭିଯାନ ମାଧ୍ୟମରେ ପଶ୍ଚିମବଙ୍ଗର ୧.୬ କୋଟି ପରିବାରର ଅନ୍ୟୁନ ୮୦% ଲୋକଙ୍କ ନିକଟରେ ପହଞ୍ଚିବାକୁ ଟିଏମସି ଲକ୍ଷ୍ୟ ରଖିଛି।
ପ୍ରକାଶ ଯେ ଲୋକସଭା ନିର୍ବାଚନରେ ଟିଏମସି ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଟିଏମସି ବିଧାନସଭା ନିର୍ବାଚନରେ ବିଜେପିକୁ କୌଣସି ସୁଯୋଗ ଦେବାକୁ ଚାହୁଁନାହିଁ। ଏହି ଅଭିଯାନ କ୍ରମରେ ଟିଏମସି କାର୍ଯ୍ୟକର୍ତ୍ତା ରାଜ୍ୟରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଅଭିଯୋଗ ଶୁଣିବେ।
Comments are closed.