www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେପି ବିରୋଧରେ ଏକାଠି କରିବା ପ୍ରୟାସ : ସୋନିଆ, ପୱାର, ନବୀନ, ଜଗନ୍‌ମୋହନଙ୍କୁ ମମତାଙ୍କ ଚିଠି

କଲକାତା : ନନ୍ଦିଗ୍ରାମ ଲଢ଼େଇର ସାମାନ୍ୟ ଆଶ୍ବସ୍ତ ହେବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି।
ମମତା କଂଗ୍ରେସ ସମେତ ବିଭିନ୍ନ ଅାଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ବୁଧବାର ଏହି ମର୍ମରେ ତିନି ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ, ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ, ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ୍‌ମୋହନ ରେଡ୍ଡୀ ଓ ଡିଏମ୍‌କେ ମୁଖ୍ୟ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି ପ୍ରମୁଖ ୧୫ଟି ଦଳର ମୁଖ୍ୟଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଏକାଠି ହେବାକୁ ନିବେଦନ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ବୋଲି ମମତା ଉଲ୍ଲେଖ କରିଛନ୍ତି। ବିଜେପି ଗଣତାନ୍ତ୍ରିକ ପ୍ରକ୍ରିୟା, ସଂଘୀୟ ବ୍ୟବସ୍ଥା ଓ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଧୂଳିସାତ୍‌ କରିବାରେ ଲାଗିଛି। ଅଣ-ବିଜେପି ଦଳ ଦ୍ୱାରା ଶାସିତ ରାଜ୍ୟଗୁଡିକରେ କେନ୍ଦ୍ର ସରକାର ରାଜ୍ୟପାଳମାନଙ୍କ ମାଧ୍ୟମରେ ଅଯଥା ସମସ୍ୟା ସୃଷ୍ଟି କରୁଛନ୍ତି।
ରାଜଭବନଗୁଡ଼ିକର ଅପବ୍ୟବହାର କରାଯାଉଛି। ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ସଂକୁଚିତ କରିବା ସହ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତାପନ୍ନ କରିବା ସଂକ୍ରାନ୍ତ ବିଧେୟକ (ଏନ୍‌ସିଟି ବିଧେୟକ) ସଂସଦରେ ଗୃହୀତ କରାଇବାକୁ ମମତା ଦୃଢ଼ ବିରୋଧ କରିଛନ୍ତି। ବିଜେପି ଦେଶରେ ଏକଦଳୀୟ ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିଥିବା ସେ ଅଭିଯୋଗ କରିଛନ୍ତି। ଏ ସବୁ ବିରୋଧରେ ସ୍ୱର ଉତ୍ତୋଳନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ମମତା ଦର୍ଶାଇଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ, ଆରଜେଡି ନେତା ତେଜସ୍ବୀ ଯାଦବ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌ଙ୍କୁ ମଧ୍ୟ ମମତା ଏହି ଚିଠି ପଠାଇଛନ୍ତି। ଆସନ୍ତା ମେ’ ୨ରେ ଚଳିତ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତେ ଏକତ୍ର ହୋଇ ବିଜେପି ବିରୋଧୀ ମେଣ୍ଟ ଗଠନ ସମ୍ପର୍କରେ ଆଲୋଚନା କରିବାକୁ ମମତା ପ୍ରସ୍ତାବ ରଖିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories