ମାଲକାନଗିରିରେ ଡିପଥେରିଆ : ଜଣେ ମୃତ, ଆଜି ସ୍ଥିତି ପରଖିବ ସ୍ଵାସ୍ଥ୍ୟ ବିଭାଗ ଟିମ୍

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲାରେ ଜଣେ ଛାତ୍ରଙ୍କ ଡିପଥେରିଆରେ ମୃତ୍ୟୁ ହୋଇଛି ବୋଲି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରୀ ଅଧିକାରୀ ଡାକ୍ତର ଦୀନବନ୍ଧୁ ମହାନନ୍ଦ ସ୍ପଷ୍ଟ କରିଛନ୍ତି। ଅନ୍ୟ ଜଣେ ଛାତ୍ର ଡିପଥେରିଆରେ ଆକ୍ରାନ୍ତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତ ଛାତ୍ର ଜଣଙ୍କ ମାଲକାନଗିରି ଜିଲା କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡ଼କାମୀ। ତାଙ୍କୁ ପ୍ରଥ​‌ମେ ଜ୍ବର ହେବାରୁ ୧୪ ତାରିଖରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ସେ ଡିପଥେରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ୨୦ ତାରିଖରେ ଉକ୍ତ ଆବାସିକ ବିଦ୍ୟାଳୟର ୩ ଜଣଙ୍କୁ ଜ୍ବର ହେବାରୁ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ୩ ଜଣଙ୍କ ମଧ୍ୟରୁ ଛାତ୍ର ପିଙ୍କୁ ମାଢ଼ୀ ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପିଙ୍କୁଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏଥିସହ ଉକ୍ତ ବିଦ୍ୟାଳୟର ଅନ୍ୟ ୭ ଛାତ୍ର ଜ୍ବରରେ ଆକ୍ରାନ୍ତ ହୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେମାନେ ହେଲେ ପଞ୍ଚମ ଶ୍ରେଣୀର ଛାତ୍ର ଅର୍ଜୁନ କର୍ତ୍ତାମୀ, ଚତୁର୍ଥ ଶ୍ରେଣୀର ସୁରେଶ ବାଞ୍ଜାମି, ଦେବା ମାଡକାମି, ତୃତୀୟ ଶ୍ରେଣୀର ରାଜେଶ ବେଟୀ, ପଞ୍ଚମ ଶ୍ରେଣୀର ଚନ୍ଦ୍ର ପୁନେମ, ରଞ୍ଜନ ମାଡ଼କାମୀ, ନନ୍ଦୁ କର୍ତ୍ତାମୀ। ଅସୁସ୍ଥ ସମସ୍ତ ଛାତ୍ରଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି। ପରୀକ୍ଷା ରିପୋର୍ଟ ଆସି ନାହିଁ। ଡାକ୍ତରୀ ଦଳ ଚିତ୍ରାଙ୍ଗପଲ୍ଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହି ବିଦ୍ୟାଳୟର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ବିଶେଷଜ୍ଞ ଦଳ ଆଜି ମାଲକାନଗିରି ପହଞ୍ଚି ସ୍ଥିତି ପରଖିବ ବୋଲି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦିନବନ୍ଧୁ ମହାନନ୍ଦ ପ୍ରକାଶ କରିଛନ୍ତି।

Comments are closed.