ଆସନ୍ତାକାଲିଠାରୁ ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭ୍

0

ଭୁବନେଶ୍ୱର : ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ  ଆସନ୍ତାକାଲି (ରବିବାର) ଠାରୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କନକ୍ଲେଭରେ ଯୋଗଦେବା ପାଇଁ ୬ଟି ବିଦେଶୀ ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଇଥିବାବେଳେ ଦେଶ ବିଦେଶରୁ ପ୍ରାୟ ୮୦୦ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୧୫ଟି ସରକାରୀ ବିଭାଗ ୪ ଦିନ ଧରି ବିଭିନ୍ନ କ୍ଷେତ୍ର ଉପରେ ଅଧିବେଶନ ଆୟୋଜନ କରୁଛନ୍ତି। ‘ମେକ ଇନ ଓଡ଼ିଶା’ କନକ୍ଲେଭ କାର୍ଯ୍ୟକ୍ରମକୁ ଜାପାନ, ଫ୍ରାନ୍ସ, ରଷିଆ, ଜର୍ମାନୀ, ସାଉଦି ଆରବ ଓ ୟୁନାଇଟେଡ଼ ଆରବ ଏମିରେଟ୍ସ ଏଭଳି ୬ଟି ରାଷ୍ଟ୍ର ଭାରତ ଓ ବିଦେଶର ୧୫୦ ପ୍ରମୁଖ ଶିଳ୍ପପତିଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ମେକ ଇନ ଓଡ଼ିଶା ପାଇଁ ଜାପାନ ହେଉଛି ଏଥର ସହଯୋଗୀ ରାଷ୍ଟ୍ର। ଶିଳ୍ପ ସହିତ ୧୫ଟି ବିଭାଗର କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ।

୨୦୧୬ର କନକ୍ଲେଭ ଅଢ଼େଇ ଦିନ ପାଇଁ ହୋଇଥିବାବେଳେ ଚଳିତଥର ଏହାକୁ ସାଢ଼େ ୪ଦିନ କରାଯାଉଛି। ଏଥର କନକ୍ଲେଭ କେବଳ ଶିଳ୍ପ ପାଇଁ ପୁଞ୍ଜିନିବେଶର ସମ୍ଭାବନା ଭିତରେ ସୀମିତ ରହିବ ନାହିଁ ବରଂ ସାରା ରାଜ୍ୟର ସାମଗ୍ରିକ କ୍ଷେତ୍ରକୁ ପ୍ରଦର୍ଶିତ କରାଯିବ। ଓଡ଼ିଶା ଶିଳ୍ପ କ୍ଷେତ୍ରରେ କେତେ ସଫଳତା ପାଇଛି ତାହା ବିଶ୍ୱବାସୀଙ୍କ ନଜରକୁ ଅଣାଯିବ। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ, ବହୁ ସଂଖ୍ୟକ ନିବେଶକ, ସରକାରୀ ଅଧିକାରୀ ଓ ସାଧାରଣ ଜନତାଙ୍କ ସମାଗମ ଏହାକୁ ରାଜ୍ୟର ସର୍ବବୃହତ ବ୍ୟବସାୟିକ କାର୍ଯ୍ୟକ୍ରମରେ ପରିଣତ କରିବ। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ମୁଖ୍ୟ ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଟାଟା ସନ୍ସ ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ୍‍, ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଏସ୍‍ବିଆଇ ଏବଂ ବନ୍ଧନ ବ୍ୟାଙ୍କ ମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି କନ୍‍କ୍ଲେଭ୍‍ରୁ କେତେ ପୁଞ୍ଜି ଓଡ଼ିଶାକୁ ଆସିବ ସେଥିନେଇ କିଛି ଲକ୍ଷ୍ୟ ଧାର୍ଯ୍ୟ କରାଯାଇନାହିଁ। ଅନ୍ୟପକ୍ଷରେ ୨୦୧୬ର ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିିନିବେଶ ପାଇଁ ୧୨୪ଟି ପ୍ରସ୍ତାବ ମିଳିଥିଲା। ସେଥିରୁ ୬୫ପ୍ରତିଶତ ପୁଞ୍ଜିନିବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୩ଟି ଶିଳ୍ପ ସଂସ୍ଥାର ଉତ୍ପାଦନ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।


ନଭେମ୍ବର ୧୨ରେ ଆୟୋଜିତ ହେବାକୁ ଥିବା ବିଜ୍‍ନେସ୍‍ ଲିଡରସିପ୍‍ ସମ୍ମିଳନୀରେ ମୁକେଶ ଅମ୍ବାନି ଷ୍ଟାର୍‍ ବକ୍ତା ଭାବେ ଯୋଗଦେବେ। ଏଥିରେ ପରବର୍ତ୍ତୀ ପିଢ଼ିର ନେତୃତ୍ୱଙ୍କୁ ପ୍ରେରଣା ଦେବା ପାଇଁ ଶିଳ୍ପ କ୍ଷେତ୍ରର ମୁଖିଆମାନେ ନେତୃତ୍ୱ ଦିଗ ଉପରେ ଆଲୋଚନା କରିବେ। ସ୍ଥାନୀୟ ଶିଳ୍ପପତି ଓ ଉଦ୍ୟୋଗପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ଓ ସ୍ଥାନୀୟ ଶିଳ୍ପ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।
ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି(ରବିବାର) କୋଷ୍ଟାଲ ଫନ୍‍ ରନ୍‍, ହେରିଟେଜ୍‍ ୱାକ୍‍, ଗଲ୍‍ ଟୁର୍ଣ୍ଣାମେଣ୍ଟ, ଆଦିବାସୀ ସଂଗ୍ରହାଳୟ ଏବଂ କଳାଭୂମି (ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ) ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ନଭେମ୍ବର ୧୨ରେ ଅଧିବେଶନ ଉଦ୍‍ଘାଟନବେଳେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ତାଙ୍କ ଟିମ୍‍ ଦ୍ୱାରା ରାଜ୍ୟର ଇତିହାସ ଓ ସଂସ୍କୃତି ଉପରେ କଳାତ୍ମକ ଅନୁବାଦ ପ୍ରଦର୍ଶନ ହେବ। ରାଉରକେଲାରେ ଜନ୍ମିତ ଏବଂ ଆମେରିକାରେ ପ୍ରତିଷ୍ଠା ଲାଭ କରିଥିବା ପ୍ରଖ୍ୟାତ ଫ୍ୟାସନ ଡିଜାଇନର୍‍ ବିଭୁ ମହାପାତ୍ର କ୍ରିଏଟିଭ୍‍ ଅର୍ଥନୀତି ଉପରେ ଏକ ଟେଡ୍‍-ଷ୍ଟାଇଲ୍‍ ଅଭିଭାଷଣ ପ୍ରଦାନ କରିବେ। ସେ ରାଉରକେଲାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ତାଙ୍କର ବ୍ୟକ୍ତିଗତ ଯାତ୍ରାକୁ ବର୍ଣ୍ଣନା କରିବେ ଏବଂ ଆମେରିକାରେ ନିଜର ଏକ ପ୍ରମୁଖ ଫ୍ୟାସନ ବ୍ରାଣ୍ଡ ତିଆରି ସମ୍ପର୍କରେ ସୂଚନା ଦେବେ। ଏହା ପରେ ଏକ ଫ୍ୟାସନ ଶୋ’ ହେବ, ଯେଉଁଥିରେ ଓଡ଼ିଶା ଭିତ୍ତିକ ହସ୍ତତନ୍ତ କଳା ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେବ ‘ଦେଓମାଳି’ ନାମକ ଓଡ଼ିଶା ଥିମ୍‍ ପାଭିଲିୟନ୍‍।
ଏହି କାର୍ଯ୍ୟକ୍ରମରେ ଶିମିଳିପାଳ, ଭିତରକନିକା ଏବଂ ଚିଲିକା ନାମରେ ୩ଟି ହ୍ୟାଙ୍ଗର ପ୍ରସ୍ତୁତ ରହିବ। କନ୍‍କ୍ଲେଭ୍‍ ଅଞ୍ଚଳକୁ ପ୍ରବେଶ ନିମନ୍ତେ ଭିଭିଆଇପିଙ୍କ ଲାଗି ଏକାମ୍ର ଗେଟ୍‍, ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ବାରବାଟି ଗେଟ୍‍ ଏବଂ ଅନ୍ୟମାନଙ୍କ ଲାଗି କଳିଙ୍ଗ ଗେଟ୍‍ ରହିଛି। ଆୟୋଜନ ସ୍ଥଳରେ ୨୦୦୦ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି।

Leave A Reply