ପୁଲିସକୁ ଭୁଆଁ ବୁଲାଉଛନ୍ତି ମେଜର ହାଣ୍ଡା

0

ନୂଆଦିଲ୍ଲୀ : ଜଣେ ସାଥୀ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ସେନା ମେଜର ନିଖିଲ ହାଣ୍ଡା ତଦନ୍ତରେ ପୁଲିସକୁ ସହଯୋଗ କରିବା ପରିବର୍ତ୍ତେ ଭୁଆଁ ବୁଲାଇବାରେ ଲାଗିଛନ୍ତି। ମେଜର ହାଣ୍ଡାଙ୍କ ସହଯୋଗ ନ ମିଳିବାରୁ ପୁଲିସ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିବାରେ ବିଫଳ ହୋଇଛି। ବୁଧବାର ଦିଲ୍ଲୀ ପୁଲିସ କହିଛି ଯେ ସେମାନେ ଦୁଇଟି ଛୁରି ଜବତ କରିଛନ୍ତି। ମାତ୍ର ଜବତ ହୋଇଥିବା ଛୁରି ବାସ୍ତବରେ ଶୈଳଜା ଦ୍ୱିବେଦୀଙ୍କ ହତ୍ୟାରେ ବ୍ୟବହୃତ ହୋଇ ନାହିଁ। ପଶ୍ଚିମ ଦିଲ୍ଲୀର ଡିସିପି ବିଜୟ କୁମାର କହିଛନ୍ତି ଯେ ମାମଲାର ୯୦% ତଦନ୍ତ ଶେଷ ହୋଇଛି। ତଦନ୍ତ ଶେଷ ହେବାକୁ ଥିବାବେଳେ ମେଜର ହାଣ୍ଡା ସହଯୋଗ କରୁନାହାନ୍ତି। ତେବେ ଖୁବଶୀଘ୍ର ମାମଲାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଡିସିପି କହିଛନ୍ତି। ହତ୍ୟାକାଣ୍ଡ ପରେ ମେଜର ହାଣ୍ଡା ତାଙ୍କ ଭାଇଙ୍କୁ ଭେଟିଥିଲେ। ପୁଲିସ ହାଣ୍ଡାଙ୍କ ଭାଇଙ୍କୁ ଜେରା କରିଛି। ଭାଇ କହିଛନ୍ତି ଯେ ହାଣ୍ଡା ଏକ ସଡକ ଦୁର୍ଘଟଣା ବାବଦରେ ତାଙ୍କୁ କହିଥିଲେ। ମାତ୍ର ଅପରାଧ ବାବଦରେ କିଛି କହି ନଥିଲେ। ଅନ୍ୟପଟେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିବାକୁ ପୁଲିସ ହାଣ୍ଡାଙ୍କୁ ଦିଲ୍ଲୀ ଓ ମିରଟର ବିଭିନ୍ନ ସ୍ଥାନକୁ ନେଇଥିଲା। ମାତ୍ର ଅସ୍ତ୍ରକୁ ଜବତ କରାଯାଇପାରି ନାହିଁ।
ଜୁନ୍‍ ୨୩ ପୂର୍ବାହ୍ନ ସେନା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀ (୩୫ବର୍ଷ)ଙ୍କୁ ମେଜର ନିଖିଲ ହାଣ୍ଡା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ରବିବାର ମେଜର ହାଣ୍ଡାଙ୍କୁ ଉତ୍ତର ପ୍ରଦେଶର ମିରଟରୁ ଗିରଫ କରିଥିଲା। ଅଦାଲତଙ୍କ ନିର୍ଦେଶକ୍ରମେ ଏବେ ସେ ଦିଲ୍ଲୀ ପୁଲିସ ହାଜତରେ ଅଛନ୍ତି। ପୁଲିସ କହିବା ଅନୁଯାୟୀ ମେଜର ହାଣ୍ଡା ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ୨୦୧୫ରେ ତାଙ୍କର ଶୈଳଜା ଓ ତାଙ୍କ ସ୍ୱାମୀ ମେଜର ଅମିତଙ୍କ ସହିତ ବନ୍ଧୁତା ହୋଇଥିଲା।

kalyan agarbati
Leave A Reply