ନୂଆଦିଲ୍ଲୀ : ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ବେଆଇନ ଘୋଷିତ ଭାରତୀୟ ଇସଲାମୀୟ ଛାତ୍ର ଆନ୍ଦୋଳନ-ସିମିର ଆଉ ଜଣେ ସଦସ୍ୟଙ୍କୁ ଦିଲ୍ଲୀରୁ ଗିରଫ କରିଛି । ୨୦୦୬ର ମୁମ୍ବାଇ ଟ୍ରେନ ବୋମା ବିସ୍ଫୋରଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି।
ଇଜାଜ ଆକ୍ରାମ୍ ସେଖ୍ ଓ ଇଲିଆସ୍ ଆକ୍ରାମ ସେଖ୍ ଭାତୃଦ୍ୱୟଙ୍କୁ ଏହି ମାମଲାରେ ଖୋଜା ଚାଲିଥିଲା । ୧୩ବର୍ଷ ପୂର୍ବେ ଥାଣେର ମିରା ରୋଡ ଅଞ୍ଚଳରେ ଚଢାଉ ସମୟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଥିଲା । ୨୦୦୬ ମୁମ୍ବାଇ ଟ୍ରେନ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ଇଥେଶାମ୍ ସିଦ୍ଦିକିଙ୍କ ସହ ସେମାନଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା।
ଗତ ଗୁରୁବାର ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରୁ ଇଜାଜକୁ ଗିରଫ କରାଯାଇଥିଲା। ଇଜାଜର ସୂଚନା ଅନୁଯାୟୀ ଦିଲ୍ଲୀରୁ ଇଲିଆସ୍ କୁ ଗିରଫ କରାଯାଇଛି। ଅଧିକ ପଚାରା ଉଚୁରା ପାଇଁ ସେମାନଙ୍କୁ ମୁମ୍ବଇ ନିଆଯାଇଛି।
ସୂଚନାଯୋଗ୍ୟ, ୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବଇରେ ସିରିଏଲ ଟ୍ରେନ ବୋମା ବିସ୍ଫୋରଣରେ ୧୮୮ଜଣଙ୍କର ମୃତ୍ୟୁ ଘଟିଥିଲା।



