ମହାନଦୀ ଉପରେ ଗବେଷଣା କରାଗଲେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସହଯୋଗ କରାଯିବ: କୁଳପତି
ସମ୍ବଲପୁର: ଜଳକୁ ନେଇ ୩ୟ ବିଶ୍ୱଯୁଦ୍ଧ ହେବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ଜଳ ସଙ୍କଟ ଦେଖାଯାଉଛି। ମହାନଦୀ ଉପରେ ଗବେଷଣା କରାଗଲେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସହଯୋଗ କରାଯିବ। ରବିବାର କାବେରୀ ହୋଟେଲ ଦିଲୀପ ପାଢୀ ମଂଚରେ ଆୟୋଜିତ ୨ୟ ଓଡିଶା ନଦୀ ସମ୍ମିଳନୀରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମହାନଦୀରେ ଯେତେ ଜଳ ପ୍ରବାହିତ ହେଉଛି ତାହା ପାନୀୟ ଓ ଜଳସେଚନ ପାଇଁ ଯଥେଷ୍ଟ। ମାତ୍ର କଳ କାରାଖାନାକୁ ଜଳ ଯୋଗାଣ ହେଉଥିବାରୁ ଏହି ଅସୁବିଧା ଦେଖାଯାଇଛି। ଛତିଶଗଡ ଆଡୁ ମହାନଦୀ ଆସୁଛି। ତେଣୁ ସେମାନେ ସୁବିଧାରେ ଅଛନ୍ତି। ନଦୀ ନାହିଁ ତ ଜନବସତି ନାହିଁ। ବିନା ତଥ୍ୟରେ ମହାନଦୀ ବିବାଦର ସମାଧାନ ନାହିଁ। ପ୍ରଫେସର ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ୨ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଓଡିଶା ଜଳ ଜୀବନ ଆବାହକ ରଂଜନ ପଣ୍ଡା ଯୋଗ ଦେଇ କହିଥିଲେ ଯେ, ନଦୀକୁ ନେଇ ରାଜନୀତି ହେଉଛି। ରାଜନୀତି ମହାନଦୀକୁ ଛଡାଇ ନ ଦେଉ। ମହାନଦୀର ପରିଚାଳନା ପାଇଁ ବ୍ୟବସ୍ଥା ହେଉ। ଟ୍ରିବ୍ୟୁନାଲ କେବେ ଜଳ ବିବାଦ ସମାଧାନ କରି ପାରିନାହିଁ। ମହାନଦୀରେ ଜଳ କମିବା ଘଟଣା ଛତିଶଗଡ ଯୋଗୁଁ ନୁହେଁ। ଏହାର ଅନେକ କାରଣ ରହିଛି। ତେଣୁ ୨ଟି ରାଜ୍ୟ ମିଶି ଏହାର ସମାଧାନ କରିବା ଉଚିତ୍। ଏହି ଅବସରରେ ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ରଙ୍କୁ ଜଳ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିପରି ଅନୁଗୁଳ ଜିଲ୍ଲା ଚାରମଲ୍ଲିକ ଆଞ୍ଚଳିକ ବିକାଶ ପରିଷଦକୁ ଭାଗିରଥି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏଥିସହ ୧୧ଜଣ ସେଲଫି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରୋଜ ଦାଶ, ସ୍ନେହା ମିଶ୍ର, ଗୌରୀଶ୍ୟାମ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ।