ଫାଇଦା ନେବ ଛତିଶଗଡ଼, କ୍ଷତି ସହିବ ଓଡ଼ିଶା

ମହାନଦୀ ନ୍ୟାୟାଧିକରଣକୁ ବିଭ୍ରାନ୍ତ ଉଦ୍ୟମ, କଲମା ଗେଟ୍‌ ଖୋଲିବାକୁ ଛତିଶଗଡ଼କୁ ଚିଠି ଲେଖିଥିଲା ଓଡ଼ିଶା

ଝାରସୁଗୁଡ଼ା :  କଲମା ବ୍ୟାରେଜରୁ ମହାନଦୀରେ ପାଣି ଛାଡିବା ଆକସ୍ମିକ ନୁହେଁ; ଏଥିପାଇଁ ଛତିଶଗଡ଼କୁ ପୂର୍ବରୁ ଚିଠି ଲେଖିଥିଲେ ଓଡ଼ିଶା ସରକାର । ଅଣମୌସୁମୀ ଋତୁରେ ତଳମୁଣ୍ଡରେ ଜଳପ୍ରବାହ କମି ଯାଇଥିବାରୁ ପାଣି ଛାଡ଼ିବାକୁ ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କୁ ଏକାଧିକ ଥର ଚିଠି ଲେଖିଛନ୍ତି। ତା ପରେ ଛତିଶଗଡ଼ ପର୍ଯ୍ୟାୟକ୍ରମେ ୨୦ଟି ଫାଟକ ଖୋଲିଛି ବୋଲି ଓଡ଼ିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତଚରଣ ମହାନ୍ତି କହିଛନ୍ତି। ତେବେ ମହାନଦୀ ନ୍ୟାୟାଧିକରଣଙ୍କ ଗସ୍ତ ସମୟରେ କଲମା ପାଣି ଛାଡ଼ିବା ଛତିଶଗଡ଼ର ଚାଲାକି ବୋଲି କୁହାଯାଉଛି। ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦ ନେଇ ମହାନଦୀ ନ୍ୟାୟାଧିକରଣଙ୍କ ପ୍ରଥମ ପର୍ଯ୍ୟାୟ ସମୀକ୍ଷା ସରିଥିବା ଏବଂ ୨୯ରୁ ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା ଥିବାବେଳେ କଲମା ବ୍ୟାରେଜର ଗେଟ୍‌ ଖୋଲି ଛତିଶଗଡ଼ ସରକାର ରାୟ ନିଜ ସପକ୍ଷରେ କରିବା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି। ଏହ​‌ା ଦ୍ବାରା ଓଡ଼ିଶା କ୍ଷତିରେ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଓଡ଼ିଶା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଥମ ସପ୍ତାହରେ ପ୍ରାୟ ସବୁ ଫାଟକ ବନ୍ଦ ଥିଲା। ହେଲେ ଦ୍ବିତୀୟ ସପ୍ତାହରୁ ସେମାନେ ଫାଟକ ଖୋଲିବା ଆରମ୍ଭ କରିଥିଲେ। ହୀରାକୁଦ ନଦୀ ବନ୍ଧକୁ ଜଳପ୍ରବେଶ କମି ଯାଉଥିବାରୁ ଆମେ ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଚିଠି ଲେଖିଥିଲୁ। ଓଡ଼ିଶା ସର୍ବୋଚ୍ଚ ଯନ୍ତ୍ରୀ ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଓ ଓଡ଼ିଶା ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଛତିଶଗଡ଼ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ। ଏପରିକି ଓଡ଼ିଶା ଜଳସମ୍ପଦ ମନ୍ତ୍ରୀ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିପାଇଁ ଛତିଶଗଡ଼ କଲମା ଫାଟକ ଖୋଲିଥିବ। ଅଥବା ହୀରାକୁଦ ଜଳବିବାଦ ଟ୍ରିବୁନାଲଙ୍କ ଗସ୍ତକୁ ଆଖି ଆଗରେ ରଖି ହୁଏତ ଜଳ ନିଷ୍କାସନ କରୁଥାଇପାରନ୍ତି’ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ହୀରାକୁଦ ଜଳସ୍ତର ବୁଧବାର ୬୧୧.୭୫ ଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ୧୬୬୧ ଘନଫୁଟ (କ୍ୟୁସେକ୍‌) ଜଳପ୍ରବେଶ କରୁଛି। ଚଳିତ ମାସ ୧୭ ତାରିଖ ପୂର୍ବରୁ ନଦୀବନ୍ଧକୁ ଜଳପ୍ରବେଶ ଅପେକ୍ଷାକୃତ କମ୍ ରହୁଥିବା ବେଳେ ତା ପରଠୁ ଜଳସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ୧୭ ତାରିଖ ଜଳପ୍ରବେଶ ୧୦୨୦ କ୍ୟୁସେକ୍‌ ଥିବାବେଳେ ୨୨ ତାରିଖ ଯାଏ ୧ ହଜାର କ୍ୟୁସେକ୍‌ ପାଖାପାଖି ଥିଲା; କିନ୍ତୁ ୨୩ ତାରିଖ ୧୧୩୮ କ୍ୟୁସେକ୍‌, ୨୪ ତାରିଖ ୧୨୯୦ କ୍ୟୁସେକ୍‌, ୨୫ ତାରିଖ ୧୪୭୨ କ୍ୟୁସେକ୍‌ ଜଳପ୍ରବେଶ କରୁଥିବା ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛତିଶଗଡ଼ ଅଣମୌସୁମୀ ଋତୁରେ ଅନ୍ୟବର୍ଷ ଜଳ ନିଷ୍କାସନ କରୁ ନ ଥିବା ବେଳେ ଏ ବର୍ଷ କାହିଁକି କଲା? ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗତ ୧୮ରୁ ୨୨ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସମୀକ୍ଷା କରି ଫେରିଥିବା ବେଳେ ଆସନ୍ତା ୨୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା କରିବେ। ୨ ତାରିଖ କଲମା ବ୍ୟାରେଜ ପରିଦର୍ଶନ କରିବେ। ଛତିଶଗଡ଼ ଠିକ ଏହି ସମୟରେ ମହାନଦୀ ପାଣି ଛାଡ଼ିଥିବାରୁ ଟ୍ରିବ୍ୟୁନାଲ ରାୟ ଛତିଶଗଡ଼ ସପକ୍ଷରେ ଯିବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।
ଓଡ଼ିଶା ସୀମାରୁ ଅଳ୍ପ ଦୂରରେ ଓଡ଼ିଶାରେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜରେ ୬୬ଟି ଫାଟକ ଅଛି। କଲମାର ସର୍ବାଧିକ ଜଳଧାରଣ କ୍ଷମତା ୧୯୭ ମିଟର ଛୁଇଁଥିବାରୁ ଛତିଶଗଡ଼ ଅତିରିକ୍ତ ପାଣି ଛାଡ଼ିଛି। ଫଳରେ ଦୀର୍ଘ ମାସେ ହେଲା ଶୁଖିଲା ପଡ଼ିଥିବା ଓଡ଼ିଶା ଭାଗ ମହାନଦୀରେ ଜଳପ୍ରବାହ ସ୍ବାଭାବିକ ହୋଇଛି।

Comments are closed.