ପୁଣି ଜୋର ଧରିଲା ମହାନଦୀ ରାଜନୀତି

0

ଭୁବନେଶ୍ୱର: ପୁଣି ମହାନଦୀ ପ୍ରସଙ୍ଗରେ ରାଜନୀତି ଉଷ୍ମ ହୋଇଛି। ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଆଜି ମହାନଦୀ ପ୍ରସଙ୍ଗରେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଥିବା ବେଳେ ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପି ପ୍ରତାରଣା କରିଥିବା କହିଛନ୍ତି।

ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରୁ: ବିଜେପି

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମହାନଦୀ ବିବାଦ ସମାଧାନ ପାଇଁ ବିଜେଡି ରାଜରାସ୍ତା କିମ୍ବା ଟ୍ରାଇବୁନାଲ୍‍କୁ ଆପଣେଇବ ତାହା ସ୍ପଷ୍ଟ କରୁ। ଅଯଥା ଭୋଟ୍‍ ପାଇବା ପାଇଁ ରାଜରାସ୍ତାରେ ଆନ୍ଦୋଳନରୁ ବିଜେଡି ନେତାମାନେ ନିବୃତ୍ତ ରୁହନ୍ତୁ। ଯଦି ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତ ବଳ ଖଟାଇ ଟ୍ରାଇବୁନାଲ୍‍ରେ ଲଢ଼ିବା ପାଇଁ ବିଜେଡି ପ୍ରସ୍ତୁତ ତେବେ ବିଜେପି ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ଶ୍ରୀ ହରିଚନ୍ଦନ ନିନ୍ଦା କରିବା ସହିତ ‘ପାର୍ଟି ନୁହେଁ ମାଟି ଆଗ’ ବୋଲି କହିଛନ୍ତି। ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଠିକ୍‍ ହେବନି ବୋଲି ସେ କହିଛନ୍ତି।

ବିଜେପି ପ୍ରତାରଣା କରିଛି: ବିଜେଡି

ଅପରପକ୍ଷରେ ଏହାର ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପି ସବୁବେଳେ ପ୍ରତାରଣା କରି ଆସିଛି। ଯଦି କାବେରୀ ଜଳ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କଲେ ମହାନଦୀ ପ୍ରସଙ୍ଗରେ କାହିଁକି ହସ୍ତକ୍ଷେପ କରିବେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଟ୍ରାଇବୁନାଲ୍‍ ଗଠନ ପାଇଁ ବିଜେପି ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ଆଗକୁ ଛତିଶଗଡ଼ ନିର୍ବାଚନ ଥିବାରୁ ଟ୍ରାଇବୁନାଲ୍‍ର ରାୟ ବିଳମ୍ବିତ ହେବାର ଆଶଙ୍କା ଦେଖାଦେଇଛି।

Leave A Reply