ବାସ୍ତବ ସମସ୍ୟା ସମାଧାନ ପାଇଁ ଆନ୍ତରିକତା ନାହିଁ

0

ଭୁବନେଶ୍ୱର: ମହାନଦୀ ଜଳକୁ ନେଇ ଏବେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିଛି। ବିଶେଷକରି ଶାସକ ବିଜେଡି ଓ ବିଜେପି ଦଳ ପରସ୍ପରକୁ ଦୋଷାରୋପ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁ ନଥିବା ଦେଖାଯାଉଛି। କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍‍ କରିଛି। ମାତ୍ର ଖୋଦ୍‍ ରାଜନୈତିକ ଦଳମାନେ ଏ ଦିଗରେ କେତେ ତତ୍ପର ତାହା ନିମ୍ନରେ ଉଲ୍ଲେଖିତ କିଛି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ଉଭୟ କଂଗ୍ରେସ ଶାସନ, ବିଜେଡି-ବିଜେପି ମେଣ୍ଟ ଓ ଏବେ ବିଜେଡି ଶାସନ ଅମଳରେ ଓଡ଼ିଶାର ନଦୀ ଜଳ ସଂରକ୍ଷଣ ପାଇଁ ଆନ୍ତରିକତା ପ୍ରଦର୍ଶନ ହୋଇନଥିବା ଅଭିଯୋଗ ହୋଇଛି। କଂଗ୍ରେସ ବିଧାୟକ ନବ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରଖିଥିବା ଉତ୍ତର ଆଧାରରେ ଏହି ପରିସଂଖ୍ୟାନ ମିଳିଛି।
ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ମୋଟ୍‍ ୪୬.୭୭ ପ୍ରତିଶତ ଜଳ ବ୍ୟବହାର ହେଉଥିବା ବେଳେ ୫୩.୩୩ ପ୍ରତିଶତ ନଷ୍ଟ ହେଉଛି। କେବଳ ମହାନଦୀ ନୁହେଁ ବ୍ରାହ୍ମଣୀ ନଦୀର ୫୬%, ବୈତରଣୀର ୪୧%, ରୁଷିକୂଲ୍ୟାର ୨୬%, ବଂଶଧାରାର ୬୪%, ବୁଢ଼ାବଳଙ୍ଗର ୬୬%, କୋଲାବର ୫୮%, ନାଗାବଳୀର ୭୦%, ସୁବର୍ଣ୍ଣରେଖାର ୬୩% ପାଣି ସମୁଦ୍ରକୁ ଯାଉଛି। ମହାନଦୀର ମୋଟ୍‍ ୪୮,୭୩୨ ନିୟୁତ କ୍ୟୁବିକ୍‍ ମିଟର ଜଳରୁ ମାତ୍ର ୨୨.୭୩% ଜଳସେଚନ ପାଇଁ ବ୍ୟବହୃତ ହେଉଥିବା ବେଳେ ୦.୨୩% ପାନୀୟ ଜଳ ଓ ୨.୩% ଶିଳ୍ପ ପାଇଁ ବ୍ୟବହାର ହେଉଛି। ୨୧.୫% ପରିବେଶ ସୁରକ୍ଷା ପାଇଁ ବିନିଯୋଗ ହେଉଛି। ଓଡ଼ିଶା ସରକାର ପ୍ରଥମେ ମହାନଦୀ ଓ ଅନ୍ୟାନ୍ୟ ନଦୀର ନଷ୍ଟ ହେଉଥିବା ଜଳକୁ ରୋକିବାକୁ ଚେଷ୍ଟା କରିବା ଉଚିତ ବୋଲି କଂଗ୍ରେସ କହିିଛି।

Leave A Reply