ମହାମେଣ୍ଟ ରଣନୀତି: ୪୦୦ ଆସନରେ ବିଜେପି ବିରୋଧରେ ଦ୍ୱିମୁଖୀ ଲଢ଼େଇ

0

ନୂଆଦିଲ୍ଲୀ: ୨୦୧୯ରେ ବିଜେପିକୁ ହରାଇବା ପାଇଁ ପଣ କରିଛନ୍ତି ବିରୋଧୀ। ଦଳୀୟ ମତଭେଦ ଓ ପୂର୍ବ ବାଦବିବାଦକୁ ଭୁଲି ବିଜେପି ବିରୋଧରେ ମିଳିତ ଲଢ଼େଇ ପାଇଁ ବିରୋଧୀ ଦଳ ସହମତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସବୁ ସର୍ତ୍ତ ଓ ସମସ୍ତ ବିକଳ୍ପକୁ ଉପଯୋଗ କରିବାକୁ ଯୋଜନା ଚାଲିଛି। ବିଜେପି ବିରୋଧୀ ମହାମେଣ୍ଟ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ହେଁ ବିଜେପିକୁ ଯେ କୌଣସି ପରିସ୍ଥିତିରେ ହରାଇବା ପାଇଁ ମିଳିତ ରଣନୀତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।
ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ୫୪୩ ଆସନରୁ ପ୍ରାୟ ୪୦୦ ଆସନରେ ବିଜେପି ବିରୋଧରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରାକ୍‍ମେଣ୍ଟ ସହମତି ହୋଇଛି। ଅର୍ଥାତ୍‍ ସେହିସବୁ ସ୍ଥାନରେ ବିଜେପି ପ୍ରାର୍ଥୀ ବିରୋଧରେ ମେଣ୍ଟ ତରଫରୁ ମାତ୍ର ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ତାଙ୍କୁ ମେଣ୍ଟ ସହଯୋଗୀ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇ ଦେବେ। ଏନ୍‍ସିପି ନେତା ମାଜିଦ୍‍ ମେମୋନ୍‍ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଯେଉଁ ରାଜ୍ୟରେ ଯେଉଁ ଦଳର ଅଧିକ ପ୍ରଭାବ ରହିଛି ସେଠାରେ ବିଜେପି ବିରୋଧରେ କେବଳ ସେହିଦଳର ପ୍ରାର୍ଥୀଙ୍କୁ ମେଣ୍ଟ ସମର୍ଥନ କରିବ। ଉଦାହରଣସ୍ୱରୂପ ଉତ୍ତରପ୍ରଦେଶ ଉପନିର୍ବାଚନରେ ଏସ୍‍ପି ଓ ବିଏସ୍‍ପି ମେଣ୍ଟ ସଫଳତା ଲାଭ କରିଥିବାରୁ ସେଠାରେ ମହାମେଣ୍ଟ ତରଫରୁ ବିଜେପି ବିରୋଧରେ କେବଳ ଏସ୍‍ପି ଓ ବିଏସ୍‍ପି ପ୍ରାର୍ଥୀ ହିଁ ନିର୍ବାଚନ ଲଢ଼ିବେ। ସେହିପରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଆଧିପତ୍ୟ ଥିବାରୁ ସେଠାରେ ବିଜେପି ବିରୋଧରେ ମମତା ବାନାର୍ଜୀଙ୍କୁ ମେଣ୍ଟ ସମର୍ଥନ ଓ ସହଯୋଗ ଯୋଗାଇ ଦେବ। ସେହି ସୂତ୍ର ଆଧାରରେ କେରଳରେ ବାମପନ୍ଥୀ, ଦିଲ୍ଲୀ ଓ ପଞ୍ଜାବରେ ଆପ୍‍, ବିହାରରେ ଆରଜେଡି ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। କିନ୍ତୁ ଏ ପର୍ଯ୍ୟନ୍ତ ମହାମେଣ୍ଟ ରୂପରେଖ ପ୍ରସ୍ତୁତ ହୋଇ ନଥିବାରୁ ଯୋଜନା କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକଟ କରିଛନ୍ତି ରାଜନୈତିକ ମହଲ। ତେବେ ଆଗାମୀ ଦିନରେ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଡିସେମ୍ବର ଶେଷ ସୁଦ୍ଧା ମେଣ୍ଟ ରୂପରେଖ ସମ୍ପର୍କରେ ସମ୍ପୂର୍ଣ୍ଣ ଚିତ୍ର ମିଳିପାରିବ ବୋଲି ଆଶା କରାଯାଉଛି।

Leave A Reply